Unknown

 

 

 

 

 

 

 

 

 

 

 

ବିଦୀର୍ଣ୍ଣ

ରବୀନ୍ଦ୍ରନାଥ ସିଂହ

 

ଉତ୍ସର୍ଗ

 

ଜାତୀୟ-କାପୁରୁଷତାର ତୀର୍ଥଭୂମି ଏ ଦେଶରେ

ହେ ପୌରୁଷର ପତାକାବାହୀ ଶାଣିତ-ବିବେକର

ସଚେତନ-ତକ୍ଷକ ଦୁର୍ଭାଗା ଛାତ୍ର ସମାଜ !

 

ତୁମେ ଆଉ ତୁମର ତାରୁଣ୍ୟ ଏଇ ୧୯୬୪ ସାଲର ସେପ୍‌ଟେମ୍ୱରର

ଆଖି ଆଗରେ, ‘‘ଗଣତଂନ୍ତ୍ର ଭାରତବର୍ଷ’’-ରାଜପଥର

ପ୍ରକାଶ୍ୟ ଦିବାଲୋକରେ, ଜନଗଣର ଉନ୍‌ମୁକ୍ତ ଚକ୍ଷୁ ସାମ୍ନାରେ

ଆଜି

ଅପମାନିତ...ଲାଂଛିତ...ବୁଟ୍‌ଦଳିତ !

ଗାଂଧୀମାର୍କା-ବେୟୋନେଟ୍‌ ଆଉ

ବଂଧୁକ କୁଂଦାରେ

ସର୍ବାଂଗ ତୁମର

କ୍ଷତ-ବିକ୍ଷତ

ଏବଂ

ରକ୍ତାକ୍ତ !!

 

ତୁମ ପଛରେ ଜନ-ସମର୍ଥନ ନାହିଁ,

(କାରଣ, ଜନଚରିତ୍ର ଆଜି କ୍ଷମତାମଦୋନ୍ମତ୍ତ ବର୍ବର ଶାସକଗୋଷ୍ଠୀ ଦ୍ୱାରା

କଳୁଷିତ ଏବଂ ବିଭ୍ରାଂନ୍ତ ।)

ତଥାପି ତୁମେ

ମହାଭାରତର ‘ଅଭିମନ୍ୟୁ’ ଭଳି

ପ୍ରତିକ୍ରିୟାଶୀଳ ବଳଦର୍ପୀର ବ୍ୟୂହ ଭିତରେ

ସଂଗ୍ରାମରତ

ଏକାକୀ !!

 

ଯେଉଁ ରକ୍ତ ତୁମର ଆଜି ଏଇ ଧରିତ୍ରୀର ଧୂଳି-ଧୂସରିତ ବକ୍ଷରେ ଝରିପଡ଼ି ବି

ଅତ୍ୟାଚାରୀର ଆଇନ୍‌କୁ କ୍ଷମା ଦେଇନାହିଁ,

ଯେଉଁ ବିବେକର ପତାକା ତୁମର-ତୁମରି ତରୁଣ-ତନୁର

ସଦ୍ୟ-ରକ୍ତରେ ଲାଲେଲାଲ୍‌ ହୋଇ ମଧ୍ୟ

ଅବନତ ହୋଇନାହିଁ ଗଣିକାର

ହର୍‌ରଂଗୀ ପତାକା ତଳେ

ବରଂ

ପ୍ରାଣପଣେ ସ-ହିଂସ୍ର-ପ୍ରତିରୋଧ କରିଛି

ଦୌର୍ଯୋଧନୀ-ଶାସନ ସଂସ୍ଥାର

ନାରକୀୟ ପଶୁବଳକୁ ;

 

ସେହି ତୁମ ତରୁଣ-ଭୋଳାନାଥର ଉତ୍ତପ୍ତ ସ୍ଖଳିତ-ରକ୍ତ ଆପାତତଃ ନିଷ୍ଫଳ

ହେଲେ ବି

ପ୍ରତିଟି କଣିକାରୁ ତା’ର ଦିନେ ଜନ୍‍ମ ନେବ ଅସଂଖ୍ୟ, ଅକଳନ

ଅଗ୍ନି-ତୂଣୀ-ଫାଲଗୁନୀ;

ଯିଏକି ଅତି ନିଷ୍ଠୁର ଭାବରେ ପରିଶୋଧ କରିବ

ସମସ୍ତ ବଜ୍ଜାତୀର ଦେ’ଣା ।

 

ତେଣୁ

ହେ ଅଭିମାନୀ-ତାରୁଣ୍ୟର ଗର୍ଜମାନ-ସାଇକ୍ଳୋନ୍‌ !

ହେ ନିଷ୍କଳୁଷ-ଜୀବନର ଫଲ୍‌ଗୁ-ପ୍ରବାହ !!

ଆସନ୍ନ-ରକ୍ତପ୍ରଭାତ ଓ ତା’ର

ବେତାର କେଂଦ୍ରର

ହେ ପ୍ରଥମ

ସାହନାଇ !!!

 

ତୁମକୁ ଶୁଣିବା ପାଇଁ ସକାଳର ନବ-ଜାଗ୍ରତ-ଶିଶୁ ଆଜି ଉତ୍‌କର୍ଣ,

ତୁମ ରକ୍ତାଶ୍ୱର କଦମ୍‌ରେ ଶହୀଦ୍‌କୁଳର ମସ୍ତକ ଆଜି ଅବନତ ।

 

ହେ ‘ମଶାଲବାହୀ ବିଶାଳ ପୁରୁଷ’ !

ହେ ବିବେକର କୋଷମୁକ୍ତ-ଖଡ଼୍‌ଗ !!

ହେ ସୂଚନାହୀନ କାଳ-ବୈଶାଖୀ !!!

ଏ ‘ନିଂଦାବାଦର ବୃଂଦାବନ’ରେ

ଯିଏ ଯାହା କହୁ ପଛକେ

ମୁଁ, ମୋ ଅମାନବତା-ବିଦୀର୍ଣ-ହୃଦୟର ପୁଂଜିଭୁତ-ଆବେଗର ଅର୍ଘ ନେଇ

ତୁମକୁ ଅଭିନଂଦନ କରୁଛି......

 

ତଳ ତେଲେଂଗାବଜାର, କଟକ

 

୨୮ ସେପ୍‌ଟେଂବର, ୧୯୬୪

ରବୀଂଦ୍ରନାଥ ସିଂହ

ମଧ୍ୟରାତ୍ରି

 

Image

 

ମୁଁ ଓ ମୋର କବିତା

 

କ୍ୟାଂପ୍‌:

ଜେ. ଏନ୍‌. ମହାଂତି ଲଜ୍‌,

ତଳ ତେଲେଂଗା ବଜାର, କଟକ

୨୭ ସେପ୍‌ଟେଂବର, ୧୯୬୪ ।

ସମୟ : ନିଶିଭୋର୍‌ ।

 

‘ପଥ-ପ୍ରାନ୍ତର କବିତା’, ‘ଚରମ ପତ୍ର’, ‘ଶିଥିଳ-ବଲ୍‌ଗା’, ‘ଲାଲ୍‌-ପାଗୋଡ଼ାର ପ୍ରେତ’, ‘ଭ୍ରୂକୁଟି’–ମୋର ଏହି ପାଂଚ ଗୋଟି କବିତା ବହି ପାଠକମାନଂକ ହାତରେ ପଡ଼ିସାରିବା ପରେ ‘ବିଦୀର୍ଣ’ କବିତା ଗୁଚ୍ଛର ପାଂଡ଼ୁଲିପିକୁ ଯେଉଁଦିନ ପ୍ରକାଶକଂକ ହାତକୁ ଟେକି ଦେଲି ମୁଦ୍ରାଯଂନ୍ତ୍ରର କୋଳକୁ ଯିବାଲାଗି, ସେଦିନ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି ମୋ କବିତାମାନଂକ ସଂପର୍କରେ ଲିଖିତ ଭାବରେ ମୋର କିଛି କହିବାର ଅଛିବୋଲି । ସାଂପ୍ରତିକ ‘ଅତ୍ୟାଧୁନିକ କବିତା’ରେ ଦୁର୍ବୋଧ୍ୟତା ବା କ୍ଳିଷ୍ଟତା ଆଜି ଯେପରି ଗୋଟାଏ ‘ଚେଷ୍ଟାକୃତ-ଫେସନ୍‌’ ହୋଇପଡ଼ିଛି, ମୋ କବିତା ମାନଂକରେ ଯେହେତୁ ସେ ‘ଚେଷ୍ଟାକୃତ-ଫେସନ୍‌’ ନାହିଁ ସେହେତୁ ମୋ କବିତାମାନଂକ ସଂବଂଧରେ ମୋର କିଛି ବିଶେଷ ‘ସଫେଇ’ ଦେବାର ଆବଶ୍ୟକତା ଅଛି, ଏ ଧାରଣା ନରହିବା ମୋ ପକ୍ଷରେ ସ୍ୱାଭାବିକ । ମୋ ମତରେ କବିତାରେ ଏହି ଦୁର୍ବୋଧ୍ୟତା ବା କ୍ଳିଷ୍ଟତାର ‘ଚେଷ୍ଟାକୃତ-ଫେସନ୍‌’ ଯେ ଖାଲି କବିତାର କାବ୍ୟଧର୍ମକୁ ନଷ୍ଟକରେ ତାହାନୁହେଁ; ଶୋଚନୀୟ ଭାବରେ ଆହତ କରେ କାବ୍ୟର ଅହମିକାକୁ । ପୁଣି ଶବ୍‌ଦ-ବିନ୍ୟାସର ପରିପାଟୀରୁ ଯେଉଁ ‘ଛଂଦ’ର ଜନ୍ମ, ‘କବିର ଭାଷା’ କହିଲେ ନିୟମତଃ ଯେଉଁଠି ବୁଝାଏ ‘ଛଂଦୋବଦ୍ଧ’; ସେ କ୍ଷେତ୍ରରେ ‘ଛଂଦ’କୁ ବାଦ୍‌ ଦେଇ ପଦ୍ୟ ବା କବିତା ରଚନା ଯେ କିପରି ସଂଭବ ତାହା ମୋର କଳ୍ପନାର ଅତୀତ । ଯେଉଁ ଦୁଇଟି ଉପକରଣ ବ୍ୟତିରେକେ ପଦ୍ୟ ବା କବିତା ନିସ୍‌ପଂଦ ଓ ନିଷ୍‌ପ୍ରାଣ ସେ ଦୁଇଟି ଉପକରଣ ହେଲା: Rhyme ଆଉ Rythme । ‘ଛଂଦ’ର ପୁଣି ଶୋଚନୀୟ ନପୁଂସକତା ପ୍ରତିପାଦିତ ହୁଏ ସେହିଠାରେ ଯେଉଁଠାରେ ‘ଛଂଦ’ରେ Rythme ନଥାଏ । ପଦ୍ୟର ଏହି ମୌଳିକ-ନିୟମ ପ୍ରତି ସତର୍କ ଦୃଷ୍ଟି ମୋର କବି-ଜୀବନର ପ୍ରାରଂଭରୁ ଥିଲା, ଆଜି ମଧ୍ୟ ପୂର୍ଣ୍ଣମାତ୍ରାରେ ରହିଛି ବୋଲି ମୋର ମନେହୁଏ-। ‘ଅତ୍ୟାଧୁନିକତା’ର ମାପକାଠିରେ ଏହାକୁ ଯଦି ବର୍ତମାନ ଏକ ‘‘ଦୁର୍‌ଗୁଣ’’ ବୋଲି କୁହାଯାଏ ଏବଂ ସେହି କାରଣରୁ ମୋର କବିତାବଳୀ ଯଦି ‘‘ଅତ୍ୟାଧୁନିକ’’ପଦବୀରୁ ବଂଚିତ ହୁଏ, ତାହେଲେ ମୁଁ ମୋଟେ ଦୁଃଖିତ ହେବି ନାହିଁ । ଆଉ ମଧ୍ୟ ମୁଁ ଅନ୍ୟମାନଂକ ସହିତ ଏଇଠି ଏକମତ : କବିତା ଯଦି ତା ନିଜର ଅଭିବ୍ୟକ୍ତିକୁ ସହଜ, ସରଳ, ସୁଲଳିତ ଭାବରେ ପାଠକ ସମ୍ମୁଖରେ ଉପସ୍ଥାପିତ କରିବାକୁ ସକ୍ଷମ ନ ହେଲା, ତାହେଲେ ଦୀର୍ଘ ଏକ ସଫେଇ ବା ଦର୍ଶନ-ସୁଲଭ ଉପୋଦ୍‌ଘାତଦ୍ୱାରା ତା’ର ଅଭିବ୍ୟକ୍ତିକୁ ଯେ ଠିକ୍‌ ଭାବରେ ଉପସ୍ଥାପିତ କରାଯାଇ ପାରିବ, ଏ ବିଶ୍ୱାସ ମୋର ମୋଟେ ନାହିଁ । ସେହି ଦୃଷ୍ଟିରୁ ମୋର ଯେତୋଟି କବିତା ବହି ଏପର୍ଯଂତ ପ୍ରକାଶ ପାଇଛି ସେଥିରେ ଥିବା କବିତାମାନଂକ ସଂପର୍କରେ କୌଣସି ଗୋଟିଏ ବହିରେ ବି ମୁଁ ଦାର୍ଶନିକ ତତ୍ୱ ବାଢ଼ି ଦୀର୍ଘ ସଫେଇ ଦେଇନାହିଁ । ‘ବିଦୀର୍ଣ’ର କବିତାମାନଂକ ସଂବଂଧରେ ମଧ୍ୟ ସେଇ ‘ସଫେଇ’ର ଆବଶ୍ୟକତା ଅଛି ବୋଲି ମୋର ଧାରଣା ନଥିଲା (ଏ ଲିଖିତ ଉପୋଦ୍‌ଘାତ ମଧ୍ୟ ସେପରି ‘ସଫେଇ’ ନୁହେ) । ‘ବିଦୀର୍ଣ’ ପ୍ରକାଶ ପାଉଛି–ଏ ସଂବାଦ ଶୁଣି ସାରିବା ପରେ ଦିନେ ଆଲୋଚନା ପ୍ରସଂଗରେ ମୋର ମତାମତଦ୍ୱାରା ମୋତେ ପ୍ରଭାବିତ କଲେ, ଯାହାଫଳରେ ମୁଁ ଏ ଦୀର୍ଘ ଦୁଃଖାବହ, ଅପ୍ରୀତିକର (ଅବଶ୍ୟ ମୋ ନିଜ ପକ୍ଷରେ) ଉପୋଦ୍‌ଘାତଟିକୁ ଲେଖିବାକୁ ବାଧ୍ୟ ହେଲି ।

 

ବଂଧୁ ରାୟଂକର ଇଚ୍ଛା : ମୋ କବିତାର ବିଦ୍ରୋହୀ-ଭୁମିକାର କାରଣ, କି ଦୃଷ୍ଟିରେ ମୁଁ ସମାଜ-ବ୍ୟବସ୍ଥାକୁ ଦେଖିଛି, ମୋର ଅତୀତ ଏବଂ ବର୍ତମାନର ପାରିପାର୍ଶ୍ୱ, ମୋର ଆଦର୍ଶ- ଏ ସଂପର୍କରେ ପାଠକମାନଂକୁ ମୁଁ ନିଜେ କେବେହେଲେ କିଛି କହି ନ ଥିବାରୁ ଆଜି ତାହା କହିଲେ ମୋ କବିତା ଆହୁରି ଜନପ୍ରିୟ ହୋଇ ପାଠକମାନଂକଠାରୁ ଆହୁରି ଶ୍ରଦ୍ଧା, ସମର୍ଥନ, ଦରଦ ହାସଲ କରିବାକୁ ସକ୍ଷମ ହେବ ଏହିକାରଣରୁ ଯେ ଯେହେତୁ ପାଠକ ଜାଣିପାରିବ ମୋ ସୃଷ୍ଟିର ଉତ୍ସ କେଉଁଠି ଓ କି ପ୍ରକାରର ପରିପାର୍ଶ୍ୱ ଏବଂ ଜଳବାୟୁରେ ଏପରି ସୃଷ୍ଟି ସଂଭବ ହୋଇଛି ।

 

ଏଥିପାଇଁ ବଂଧୁ ଶ୍ରୀ ରାୟଂକ ପାଖରେ ମୁଁ ଯେତିକି କୃତଜ୍ଞ ପାଠକମାନଂକ ପାଖରେ ସେତିକି କ୍ଷମାପ୍ରାର୍ଥୀ: ଏ ଉପୋଦ୍‌ଘାତ ରଚନା ମୂଳରେ ନାହିଁ କୌଣସି ଆତ୍ମ-ବିଜ୍ଞାପନ ବା ନିଜକୁ ଏକ ‘ହିରୋ’ ବୋଲି ସାବ୍ୟସ୍ତ କରିବାର ଉଦ୍ଦେଶ୍ୟ ।

 

ବଂଧୁ ଶ୍ରୀ ରାୟଂକଠାରୁ ଉପରୋକ୍ତ ମତାମତ ଶୁଣିବା ପରେ ଦିନ ଦିନ, ରାତି ରାତି ବିତିଛି ଚିଂତାରେ-ସିଂହାବଲୋକନ କରିଛି ବ୍ୟକ୍ତିଗତ ଅତୀତ ଜୀବନ ଓ ତା’ର ବିଭତ୍ସ ନିଷ୍ଠୁର ପରିପାର୍ଶ୍ୱକୁ । ତା’ର କରୁଣତମ ପୂର୍ଣାଂଗ ଚିତ୍ର ଆଂକିବା ଅତି କଷ୍ଟକର ବ୍ୟପାର ମୋ ପକ୍ଷରେ । ତେବେ ତା’ର ଆଂଶିକ ଚିତ୍ରାଂକନ କିଛିଟା ସଂଭବପର । ମୋ ପାଖରେ ମୁଁ, ମୋ ପାଖରେ ମୋର ଅତୀତ ଓ ବର୍ତମାନର ଜୀବନ ଯେତିକି ଦୁଃଖଦାୟକ, ଯେତିକି ରହସ୍ୟମୟ, ସେତିକି ବିସ୍ମୟକର । ଏ ଦୁଃଖ, ଏ ରହସ୍ୟ, ଏ ବିସ୍ମୟ କିଛି ଦିନେ ଦୁଇଦିନର ନୁହେ, ଦୀର୍ଘ ୩୩ଟା ବର୍ଷର ।

 

ମୋ ମତରେ : ମୁଁ ଏପରି ଏକ ଯୁଗରେ; ଜନ୍‌ମଗ୍ରହଣ କରିଛି, ଯେଉଁ ଯୁଗରେ ମଣିଷ ଭୟଂକର ଭାବରେ ଏକୁଟିଆ, ସାହାସାଥୀହୀନ, ଶାସିତ, ଶୋଷିତ, ନିପୀଡ଼ିତ ଆଉ ପଦଦଳିତ । ମଣିଷର ଚତୁର୍‌ପାର୍ଶ୍ୱରେ ଏପରି ଏକ ‘ମାନବିକ-ଯନ୍ତ୍ରଣାର ଭୟାବହ ନରକ’ ବିଦ୍ୟମାନ ଯାହା ‘ଜୀବନ’ର ସଂପୂର୍ଣ୍ଣ ପ୍ରତିକୂଳ, ଯାହା ସହିତ ‘ସାଲିସ୍‌’ କରି ବଂଚିରହିବାଟା ମଣିଷ ପରି ମଣିଷଟିଏ ପକ୍ଷରେ ଏକ ଗର୍‌ହିତ ଅକ୍ଷମଣୀୟ ଅପରାଧ ଓ କାପୁରୁଷତା ବ୍ୟତୀତ ଅନ୍ୟକିଛି ନୁହେ । କାରଣ, ମୃତ୍ୟୁ ଏଠି ‘ଜୀବନ’ ନାମରେ, ପାପ ଏଠି ‘ପୁଣ୍ୟ’ ନାମରେ, ଅମଂଗଳ ଏଠି ‘ମଂଗଳ’ ନାମରେ, ପଶୁ ଏଠି ‘ମଣିଷ’ ନାମରେ ଏବଂ ଦୁର୍‌ନିତୀ ଏଠି ‘ନୀତି’ ନାମରେ ଚଳାଇଛି ନିରୁଦ୍‌ବିଗ୍ନ ରାଜୁତୀ-ଏହାର ‘ରାଜୁତୀ’ ଜନସାଧାରଣଂକଦ୍ୱାରା ସ୍ୱୀକୃତ ମଧ୍ୟ । ଏହି ନାରକୀୟ ବ୍ୟବସ୍ଥାକୁ କ୍ଷମାଦେବାର ପକ୍ଷପାତୀ ମୁଁ ନୁହେ ବରଂ ଯେ କୌଣସି ପଂଥାରେ ଏ ବ୍ୟବସ୍ଥାର ପୂର୍ଣ୍ଣ ବିଲୋପସାଧନକୁ ସମର୍ଥନ କରୁଥିବା ମଣିଷମାନଂକ ଭିତରୁ ମୁଁ ଜଣେ ଆଉ ଏହା ଏକ ମହାମାନବିକ କର୍ତବ୍ୟ ଅବଶ୍ୟ ।) ମୋର ଏହି ମତକୁ ଗ୍ରହଣ କରିବା ନ କରିବା ପାଠକର ସଂପୂର୍ଣ୍ଣ ଇଚ୍ଛାଧୀନ, ୟାକୁ ବର୍ଜନ କରିବାର ପୂର୍ଣ୍ଣ ସ୍ୱାଧୀନତା ମଧ୍ୟ ତା’ର ରହିଛି । (କିଂତୁ ସବୁ ସତ୍ତ୍ୱେ ବି, ଏ ବ୍ୟବସ୍ଥା ଯେ ମଣିଷର ମୋଟେ କଲ୍ୟାଣକର ନୁହେ, ଏକଥା ଅତି ଦଂଭର ସହିତ କହିବାକୁ ମୁଁ ସର୍ବଦା ପ୍ରସ୍ତୁତ ଅଛି ଓ ରହିବି ମଧ୍ୟ । ଏହି ଦାଂଭୀକତାହିଁ ମୋ କବିତ୍ୱର ଗୋଟାଏ ଦୀର୍ଘ ଅଂଶ, ସଂଗ୍ରାମର ଆନଂଦ, ଏକ ‘କାବ୍ୟିକ-ଯଂନ୍ତ୍ରଣା’ ମଧ୍ୟ । ଏହି ଯଂନ୍ତ୍ରଣାହିଁ ସାଧାରଣ ମଣିଷ ଆଉ ଗୋଟିଏ କବି ଭିତରେ ପାର୍ଥକ୍ୟ । ମୋର ଏ ‘କାବ୍ୟିକ-ଯଂନ୍ତ୍ରଣା’, ଦାଂଭୀକତା-ବୋଧ ମୋତେ ଦେଇନାହିଁ କୌଣସି ସ୍କୁଲ୍‌-କଲେଜର ଶିକ୍ଷା (କଲେଜ୍‌ ତ ଦୂରର କଥା, ଗ୍ରାମ୍ୟ ପାଠଶାଳାର ମୁଖଦର୍ଶନ ବି ମୋ ‘ଭାଗ୍ୟ’ରେ ଯୁଟିନାହିଁ), ଦେଇଛି ମୋର ଜୀବନ, ମୋର ଉଗ୍ର-ବାସ୍ତବତା ।)

 

(ଉପନିବେଶୀକ-ପରାଧୀନତାର ଦାସତ୍ୱ-ବଂଧନର ମୁକ୍ତି-ସଂଗ୍ରାମର ଅଗ୍ନି-ସ୍ଫୁଲିଂଗରେ ସମଗ୍ର ଭାରତବର୍ଷ ଯେତେବେଳେ ପ୍ରଖର, ୧୯୨୧ ମସିହାରୁ ୧୯୪୭ ମସିହା-ଏହି ଦୀର୍ଘ ୨୭ଟା ବର୍ଷ ଯେତେବେଳେ ଥିଲା ମୋର ପିତା ୰ରାମଚନ୍ଦ୍ର ସିଂହଂକ ଜୀବନରେ ତ୍ୟାଗର, ନିଜକୁ ନିଃଶେଷ କରିଦେବାର, ଦେଶମାତୃକାର ମୁକ୍ତିପାଇଁ ମୋର ଭବିଷ୍ୟତକୁ ଭୁଲି ପାଗଳ ହେବାର ବର୍ଷ; ଯେତେବେଳେ ତାଂକର ବାରଂବାର କାରାବରଣ, ଆତ୍ମଗୋପନ, ଇଂରେଜ ସରକାରଦ୍ୱାରା ବାରଂବାର ଜମି ନିଲାମ୍‌, ଘର କୋରାକ୍‌, ଅର୍ଥଦଂଡ଼ ଆଦିରେ ପାରିବାରିକ ଶାଂତି, ସ୍ୱଚ୍ଛଳତା ସବୁ ଧୂଳିସାତ୍‌, ଗ୍ରାମ୍ୟ-ବାସଗୃହଟି ଯେତେବେଳେ ପୋଲିସ-ପରିବେଷ୍ଟିତ, ପ୍ରତିବେଶୀ ଘରେ ଯେତେବେଳେ ଆଶ୍ରିତା ମୋର ଜନନୀ; ଠିକ୍‌ ସେତିକିବେଳେ, ୧୯୩୨ ସାଲର ମାଘ ବସଂତ-ପଂଚମୀର ଅତି ପ୍ରତ୍ୟୁଷରେ ମୋର ଜନ୍ମ ।) ବାପା ସେତେବେଳେ ସୁଦୂର ପାଟ୍‌ନା କ୍ୟାଂପ୍‌ ଜେଲ୍‌ରେ ବଂଦୀ । ମୋର ବୟସ ଯେତେବେଳେ ଚାରିମାସ ବାପା ସେତେବେଳେ କାରାମୁକ୍ତ ହେଲେ । ଘରେ ପହଂଚି, ମୋତେ ଦେଖି ତାଂକର ସେଦିନ କୁଆଡ଼େ ପ୍ରଥମ ପ୍ରଶ୍ନ ଥିଲା : ‘‘ଏ ଛୁଆଟା ଆଜିଯାଏଁ ବଂଚିଛି ତାହେଲେ !’’

 

୧୯୩୬ ମସିହାରେ ବାପା ପୁଣି ଗିରଫ୍‌ ହେଲେ । ଘରେ ରୁଗ୍‌ଣା ସଂଗ୍ରାମାଭ୍ୟସ୍ତା ମା ପାଖରେ ମୁଁ । ସରକାରୀ ଜୁଲୁମ୍‌ରେ କଷାଘାତକୁ ସାମ୍ନା କରିବାକୁ ମା ଏକା । ଉତ୍‌କଟ ଦାରିଦ୍ର୍ୟ । ଏହିପରି ମାସ ମାସ ବର୍ଷ ବର୍ଷ ବିତେ, ବାପା ଜେଲ୍‌ରୁ ଖଲାସ ହୋଇ ପୁଣି ଗିରଫ୍‌ ହୁଅଂତି । ଫଳରେ ମୋର ଶିକ୍ଷାଦୀକ୍ଷା ପ୍ରତି ନଜର୍‌ ଦେବ କିଏ ଓ କିପରି ? ମୋର ବଡ଼ଭାଇ ସାନକକାଂକର କୁ-ଶିକ୍ଷାରେ ପିତା-ମାତା-ବିରୋଧୀ; ତାହା ବାପା-ମାଂକ ମନରେ, ଜୀବନରେ ଏକ ବିରାଟ ଦୁଃଖ ଏବଂ କ୍ଷତ ହୋଇ ରହିଥିଲା ।

 

୧୯୪୨ ସାଲ । ‘ଭାରତ ଛାଡ଼’ ଆଂଦୋଳନରେ ଦେଶର ଜନପ୍ରାଣ ଉଦ୍‌ବେଳିତ । ବାପା ଆତ୍ମଗୋପନ କରିଥାଂତି । ଶିକ୍ଷାଦୀକ୍ଷା ନଥିଲେ ମଧ୍ୟ ମୁଁ ବାପାଂକର ଏହି ଭୂମିକାକୁ ବେଶ୍‌ ନିର୍ନିମେଷ ଭାବରେ ଲକ୍ଷ କରୁଥାଏ । ବହୁ କଂଗ୍ରେସ କର୍ମୀ ଆମ ଘରକୁ ଯିବା ଆସିବା କରୁଥାଂତି-। ଏକ କୁସଂସ୍କାରଗ୍ରସ୍ତ ଗାଁରେ ଆମର ପରିବାର ସେତେବେଳେ ଏକ ଉଗ୍ର-ପ୍ରଗତିଶୀଳ ପରିବାର-। ଗ୍ରାମବାସୀଂକ ତରଫରୁ ଆମ ପରିବାରକୁ ବାସଂଦ କରାଯାଇ ନିଆଁ ପାଣି ବଂଦ କରାହୋଇଥାଏ, କାରଣ, ବାପା ବାରଂବାର ଜେଲ୍‌ଖାନା ଯାଇ ଖଲାସ୍‌ ହୋଇ ଯେହେତୁ ପ୍ରାଶ୍ଚିତ ହୋଇନଥାଂତି ।

 

ସେତେବେଳକୁ ବାପାଂକର ସାନ୍ନିଧ୍ୟ ମୁଁ ଯେତିକି ପାଇଥିଲି, ତା’ରି ଭିତରେ ତାଂକରିଠାରୁ ଆୟତ୍ତ କରିଥିଲି ଅ ଆ କ ଖ ଓ A B C D–ଏହି ହେଉଛି ମୋର ପ୍ରଥମ ଆଉ ଶେଷ ପାଠପଢ଼ା ।

 

୧୯୪୨ରେ ବାପାଂକୁ ଗିରଫ୍ କରାଯାଇ ପାରିଲାନାହିଁ, ସେ ବି ଧରା ଦେଲେ ନାହିଁ ।

 

ଆତ୍ମଗୋପନରୁ ଆସିଲା ପରେ ବାପା ପୂରାପୂରି ଘରେ ରହିଲେ । ସେତିକିବେଳେ ଦୁଇଟି ସ୍ୱଚରିତ ଗୀତିକବିତା ପୁସ୍ତକ ସେ ରଚନା କରିଥିଲେ- ‘ଚଷାପୁଅ’ ଓ ‘ରାମରାଜ୍ୟ’ । ତା’ର ପ୍ରକାଶକ ଥିଲା ସେତେବେଳର କଟକ ଜିଲ୍ଲା କଂଗ୍ରେସ କମିଟି । ମୁଁ ତାକୁ ଗାଇ ଲୋକଂକୁ ମୁଗ୍‌ଧ କରି ପାରୁଥିଲି । ଏଥିପାଇଁ ମୋତେ ୨।୩ ଥର ପୋଲିସ ହାଜତ୍‌ରେ ଅଟକ ହେବାକୁ ବି ପଡ଼ିଥିଲା-

 

ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇ ଉଠିଲା, ଭଗ୍ନସ୍ୱାସ୍ଥ୍ୟ ବାପା, ରୁଗ୍‌ଣା ମା, କୌଣସି ଆୟର ପଂଥା ନାହିଁ, ଯାହା ଥିଲା ସବୁ ଯାଇଛି । ବାପା-ମା ଦିନ ଦିନ ଧରି ଅନାହାରରେ ରହଂତି, ସେମାନଂକ ସହିତ ମୁଁ ବି ।

 

ଦୁଃଖ-ଦାରିଦ୍ର୍ୟ-ଅଧ୍ୟୁଷିତ ଆମ ପରିବାରର ରଥଚକ ଏଇପରି ଗଡ଼ିଚାଲିଲା ଆଗରୁ ଆଗକୁ । ଆସିଲା ୧୯୪୭ ମସିହା, ମା ମୋର ସେତେବେଳେକୁ ଏକ ଦୁରାରୋଗ୍ୟ ବ୍ୟାଧିରେ ଶଯ୍ୟାଶାୟୀ, ଚିକିତ୍ସା ହୋଇପାରୁ ନଥାଏ । ବାପାଂକଠାରୁ ଖଂଡ଼େ ଚିଠି ନେଇ ମୁଁ ଆସିଥାଏ କଟକ-ତାଂକର ଜଣେ ବଂଧୁଂକ ପାଖରୁ କିଛି ଟଂକା ନେବାକୁ । ସେଦିନକୁ ସଂବର ଦଶମୀ ଥାଏ ମାତ୍ର ୩ଦିନ । କଟକରୁ ମୁଁ ଫେରୁଥାଏ ଘରକୁ । ଘନାଇ ଆସୁଥାଏ ଧୀରେ ଧୀରେ ସଂଧ୍ୟାର ଅଂଧକାର-ଗାଁ ମୁଂଡ଼ ଶ୍ମଶାନ ଭିତରର ସର୍ପିଳ ପାଦଚଲା ବାଟରେ ଗୋଟିଏ ଜ୍ୱଳମାନ ଚିତାଗ୍ନିକୁ ପଛରେ ପକାଇ ମୁଁ ଆଗେଇ ଚାଲିଥାଏ । ଗାଁ ଭିତରେ ପଶି ଶୁଣିଲି ମା’ର ମୃତ୍ୟୁ ସଂବାଦ । (ଯେଉଁ ଜ୍ୱଳମାନ ଚିତାଗ୍ନିକୁ ଛାଡ଼ି ଆସିଲି ଶ୍ମଶାନରେ ସେ ଆଉ କାହାର ନୁହେ- ମୋ’ରି ମା’ର ।)

 

ସେହି ବର୍ଷ ମାଘ-ସପ୍ତମୀ ଦିନ ମୋର ସାନକକାଂକ (ବାପାଂକ ସାନ ଭାଇ) ଦେହାଂତ ହେଲା । ପରେ ପରେ ଆସିଲା ବାପାଂକ ପାଳି । ଦୋଳ ପୂର୍ଣ୍ଣମୀ ସେଦିନ । ଅପରାହ୍ନ । କଥାବାର୍ତା କରୁ କରୁ ବାପା ଟଳି ପଡ଼ିଲେ । ଦୁଃଖ-ଦାରିଦ୍ର୍ୟର ମରୁଭୂମି ଭିତରେ ସାଂତ୍ୱନାର ଯେଉଁ ଶେଷ ଓୟେସିସ୍‌ ଟିଏ ଥିଲା ସିଏ ଗଲା-ଏଥର ଧୁ ଧୁ ସାହାରାର ବାଲି । ମୃତ୍ୟୁ ପୂର୍ବରୁ ବାପା ଗୋଟିଏ କଥା ମୋତେ କହିଥିଲେ; ତାହା ସ୍ପଷ୍ଟ ମୋର ମନେ ଅଛି : ‘‘ରବି ! ତୋ ପାଇଁ ମୁଁ କିଛି ରଖି ଯାଇନାହିଁ । ଅନାଦର ଭିତରେ ତୁ ବଢ଼ିଛୁ । ତତେ ମୁଁ ଆଶୀର୍ବାଦ କରୁଛି, ତୁ ବଡ଼ ମଣିଷଟିଏ ହବୁ-।’’ ଏତକ କହି ସେ ମୋ ମୁଂଡ଼ରେ ହାତ ବୁଲାଇଥିଲେ, ଆଉ କାଂଦିଥିଲେ ।

 

ବାପାଂକ ମୃତ୍ୟୁ ପରେ ପରିବାର ବୋଇଲେ ମୁଁ, ସାନକକାଂକ ବିଧବା ସ୍ତ୍ରୀ, ତାଂକର ତିନି ଝିଅ ଓ ଗୋଟିଏ ପୁଅ, ମଝିଆଁ କକା ଓ ମୋର ବଡ଼ଭାଇ । ସେହିବର୍ଷ ଦଶହରା ଦିନ ମଝିଆଁ କକା ମଧ୍ୟ ମୃତ୍ୟୁ ମୁଖରେ ପଡ଼ିଲେ । ଗୋଟିଏ ବର୍ଷ ଭିତରେ ମୃତ୍ୟୁର ଏ ତାଂଡ଼ବଲୀଳାରେ ମୁଁ ସ୍ତବ୍‌ଧ ।

 

ମୋର ବଡ଼ଭାଇ ତତ୍‌କାଳୀନ ଇରେଜ୍‌ ସରକାରଂକ ସାମରିକବାହିନୀର ଜଣେ ସୈନିକ ।

 

ବାପା ଓ ମାଂକୁ ହରାଇ ମୁଁ ରହିଲି ବିଧବା କାକୀ (ଯିଏକି ମୋତେ ମୋଟେ ଭଲ ପାଏ ନାହିଁ, ଯାହାର କୁଶିକ୍ଷାରେ ଶିକ୍ଷିତ ହୋଇ ମୋର ବଡ଼ଭାଇ ଶେଷ ଜୀବନରେ ବି ବାପା-ମାଂକୁ ପଚାରି ନଥିଲେ) ତତ୍ୱାବଧାନରେ । ଗାଁ’ରେ ରହିବା ଭିତରେ ମୋର କାମ ଥିଲା : ଦିନଯାକ ବାହାରେ ବୁଲିବା, ଖାଇଲେ-ନଖାଇଲେ କେହି ପଚାରିବାକୁ ନାହିଁ, ମୋ’ରି ଘର ଭିତରକୁ ମୋତେ ଯିବାକୁ ହେଲେ କାକୀର ଅନୁମତି ମାଗିବାକୁ ପଡ଼ୁଥିଲା, ତା’ରି ଝିଅମାନେ ଖାଇସାରି ଯାହା ଛାଡ଼ି ଯାଉଥିଲେ, ତାହାହିଁଥିଲା ମୋର ଖାଦ୍ୟ ।

 

ଗାଁ’ରେ କ୍ରମାଗତ ଭାବରେ ୮ଦିନ ଅନାହାର ତା ଉପରେ ପୁଣି କାକୀର ଝାଡ଼ୁପ୍ରହାର, ଏପରି ନିର୍ଯାତନାରୁ ମୁକ୍ତି ପାଇବା ପାଇଁ ବାଧ୍ୟ ହୋଇ ହେଲି ଗୃହତ୍ୟାଗୀ । ଦୀର୍ଘ ୨୭ ମାଇଲ ବାଟ ପାଦରେ ଚାଲି ଚାଲି ଆସି ପାଦଦେଲି କଟକ ସହରରେ । ଏବେ ସାହିତ୍ୟ ସଭା-ସମିତିରେ ଯେଉଁଠି ମୁଁ ବେଳେ ବେଳେ ବତ୍କୃତା ଦିଏ ସେହି ଟାଉନ୍‌ହଲ୍‌ ବାରଂଡ଼ା ସେତେବେଳେ ମୋତେ ଆଦରରେ ନେଇ ତା ବୁକୁରେ ଆଶ୍ରୟ ଦେଇଥିଲା । ପ୍ରାୟ କେତେମାସ ଧରି ତା’ରି କୋଳରେ ଶୋଇଛି; କଳର ଥଂଡ଼ା ପାଣି ପିଇ ନିରୁଦ୍ଦିଷ୍ଟ ଭାବରେ ସହରସାରା ବୁଲିଛି ସେ ସବୁ ଅବର୍ଣନୀୟ-

 

ପ୍ରଥମ କଂଗ୍ରେସ ମଂନ୍ତ୍ରୀମଂଡ଼ଳ ସେତେବେଳେ । ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ରାଜସ୍ୱ ମଂନ୍ତ୍ରୀ । ବାପାଂକ ସହକର୍ମୀ ହିସାବରେ ଦିନେ ତାଂକୁ ଭେଟି ମୋର ଗୋଟାଏ କିଛି ବ୍ୟବସ୍ଥା କରିଦେବାକୁ କହିଲି, ଯେଉଁଥିରେ କି ମୁଁ ପାଠ ପଢ଼ି ପାରିବି । ସେ ଶ୍ରୀ ସୁରେଂନ୍ଦ୍ରନାଥ ଦ୍ୱିବେଦୀଂକୁ ଡକାଇ ମୋତେ ତାଂକରି ହାତରେ ଅର୍ପଣ କଲେ ଓ ମୋର ସମସ୍ତ ବ୍ୟବସ୍ଥା କରିଦେବାକୁ କହିଲେ-। ସେତେବେଳେ ସୋସଲିଷ୍ଟ ଗ୍ରୁପ୍‌ କଂଗ୍ରେସ ସହିତ ମିଳିତ ହୋଇଥାଏ ।

 

କଂଗ୍ରେସ ସୋସଲିଷ୍ଟ ପାର୍ଟିର ଅଫିସ ସେହିଦିନଠୁଁ ମୋର ହେଲା ଆଶ୍ରୟସ୍ଥଳ ।

 

ଜୀବନର ଗୋଟିଏ ଅଧ୍ୟାୟର ଶେଷ ହୋଇ ଆଉ ଗୋଟିଏ ଅଧ୍ୟାୟର ଆରଂଭ ହେଲା-

 

ମୁଁ ପାଠପଢ଼ିବି...ମଣିଷ ହେବି...ଏ ଝୁଂକ୍‌ କେବଳ ‘ଝୁଂକ୍‌’ରେହିଁ ରହିଲା । ମୁଁ ହେଲି ତତ୍‌କାଳୀନ କଂଗ୍ରେସ-ସୋସଲିଷ୍ଟ ପାର୍ଟିର ଏକ ଆଶ୍ରିତ ନିଃସହାୟ ବାଳକ । ସଭା-ସମିତିରେ ପାର୍ଟିର ଗୀତ ବୋଲିବ । ସଭାପାଇଁ ପ୍ରଚାର କରିବା, ନେତାମାନଂକ ରକ୍ତଚକ୍ଷୁକୁ ସହ୍ୟକରି ସର୍ବଦା ଦୀର୍ଘଶ୍ୱାସ ନିର୍ଗତ କରିବା, ମୋର ଏକ ବେଦନା ରୂପରେ ଦେଖାଦେଲା । କେତେଦିନ କଟକ ସହରରେ ରହିଲା ପରେ ମୋତେ ମଫସଲ ଅଂଚଳକୁ ପଠାଗଲା ପାର୍ଟିର କାମ କରିବାକୁ । ୟା ଭିତରେ ନିଜ ଉଦ୍ୟମରେ ମୁଁ ଯେତିକି ପାରୁଥାଏ ସେତିକି ପଢ଼ାପଢ଼ିର ଚେଷ୍ଟା କରୁଥାଏ । ପିଲାଦିନରୁ ମୋର ସ୍ମରଣଶକ୍ତି ଅତି ପ୍ରଖର । ଯାହା ଶୁଣେ, ଯାହା ଅନୁଭବ କରେ, ଯାହା ପଢ଼େ ତାହା ମନେରୁହେ...ରହିଛି । ସେହିଦୃଷ୍ଟିରୁ ନିଜେ ନିଜର ବିଦ୍ୟାଗୁରୁ ହୋଇ ପ୍ରତ୍ୟକ୍ଷ ଜୀବନ-ସଂଗ୍ରାମରେ ଅଗ୍ରଣୀ ହୋଇ ଅଗ୍ରସର ହେବାକୁ ପଡ଼ିଲା । ଯଦିଓ କୌଣସି ‘ଇଜମ୍‌’ ମୁଁ ସେତେବେଳେ ଜାଣିନଥିଲି ତଥାପି ‘ସାମ୍ୟବାଦ’ ଶବ୍‌ଦଟା ପ୍ରତି ମୋର ଥିଲା ଏକ ବିଶେଷ ଅନୁରାଗ ଓ ଆନୁଗତ୍ୟ ।

 

୧୯୪୭ରୁ ୧୮୫୨–ଏହି ଛ’ଟା ବର୍ଷ ମୋ’ ଜୀବନର ଏକ ରାଜନୈତିକ-ଉନ୍‌ମାଦର ଅଧ୍ୟାୟ । ଜଗତ୍‌ସିଂହପୁର, ବାଲିକୁଦା, ତିର୍ତୋଲ୍, ଏର୍ସମା, ଟାଙ୍ଗୀ, ଆଠଗଡ଼ ପ୍ରଭୃତି ଅଂଚଳରେ ପ୍ରତି ଗାଁ, ପ୍ରତି ଘର, ପ୍ରତିଟି ଲୋକ ସହିତ ଏହି ଛ ବର୍ଷ ଭିତରେ ମୋତେ ପରିଚିତ ହେବାକୁ ହୋଇଛି । ଖଂଡ଼େ ନାଲି ପତାକା, ପାର୍ଟିର ସାହିତ୍ୟ ପୁସ୍ତକ ଆଦି ଧରି ଲୋକଂକ ସହିତ ନିଜକୁ ମିଶାଇ ଦେବାକୁ ହୋଇଛି ମୋତେ । ଦୈହିକ ଅସୁସ୍ଥତାରେ, ଅର୍ଥାଭାବରେ ସେହି ଲୋକମାନେହିଁ ନିଜରଭଳି ମୋତେ ଦେଖିଛଂତି, ସାହାଯ୍ୟ କରିଛଂତି, ନିଜଘରେ ଆଶ୍ରୟ ଦେଇଛଂତି । ପାର୍ଟିର ନେତାମାନେ କିଂତୁ ମୋର କୌଣସି ଖବର ନେଇ ନାହାଂତି । ସେମାନଂକର ଏହି ଉଦାସୀନତା ସେତେବେଳେ ମୋ ମନରେ ଯେଉଁ ଗଭୀର ଅସଂତୋଷର ମଂଜି ପୋତିଥିଲା; ତାହାହିଁ ପରବର୍ତୀ ଜୀବନରେ ଭିନ୍ନ ଆଭିମୁଖ୍ୟ ନେଇ ସମସ୍ତ ଦଳୀୟ ରାଜନୀତି ପ୍ରତି ମୋର ଘୃଣା ଉଦ୍ରେକ କରାଇବାରେ ସାହାଯ୍ୟ କରିଥିଲା ।

 

୧୯୫୨ ମସିହା ବେଳକୁ ମୁଁ ଭଲଭାବରେ ବିଦ୍ୱାନ୍‌ । ଇଂରାଜି ଭାଷାକୁ ପଢ଼ି ବୁଝିପାରିଲା ଭଳି ଯୋଗ୍ୟତା, ହିଂଦୀ, ଓଡ଼ିଆ ସାହିତ୍ୟର ଅଧ୍ୟୟନ ଆଦି ମୋର ଭଲଭାବରେ ପ୍ରାୟ ଚାଲିଥାଏ ।

 

ମାର୍କସ୍‌ବାଦୀ ଚିଂତାଧାରା ସଂପର୍କୀୟ ସାହିତ୍ୟ, ଫରାସୀ ବିପ୍ଳବ ଓ ରୁଷ୍‍ ବିପ୍ଳବର ଇତିହାସକୁ ପଢ଼ି ମୁଁ ସେତେବେଳକୁ ପଢ଼ୁଥାଏ ବିଶ୍ୱସାହିତ୍ୟର କେତୋଟି ବଛା ବଛା ଉପନ୍ୟାସ । ଏହି ଅଧ୍ୟୟନ କାଳରେ ଗୋଟିଏ ଜାଗାରୁ ମୋର ହସ୍ତଗତ ହେଲା କେତେଖଂଡ଼ି ପୁସ୍ତକ । ଯେଉଁ ପୁସ୍ତକ ସେତେବେଳେ ମୋର ହସ୍ତଗତ ହୋଇ ନଥିଲେ ମୁଁ ଆଜି ମଣିଷ ପରି ମଣିଷଟିଏ ନହୋଇ ଏକ ଦାନବରେ ପରିଣତ ହୋଇଥାଂତି ବୋଲି ମୋର ଧାରଣା । ସେ ପୁସ୍ତକମାନେ ହେଲା : ଇଭାନ୍‌ ତୁର୍ଗେନେଭ୍ଂକ On the eve ଦସ୍ତୋୟେଭସ୍କିକଂ The Insulted and humiliated ଓ notes From a Dead house, ମାକ୍‌ସିମ୍‌ ଗର୍କୀଂକ Mother ଏବଂ Literary Portraits, କାଜୀ ନଜ୍‌ରୁଲ୍‌ ଇସ୍‌ଲାମ୍ଂକ ‘ଅଗ୍ନିବୀଣା’, ‘ସଂଚିତା’, ତୁରସ୍କର ଯୁଗସ୍ରଷ୍ଟା କବି ନାଜିମ୍‌ ହିକ୍‌ମତ୍ଂକ କବିତା ସହିତ ରୁଷ୍‌ ବିପ୍ଳବର କବି ମାୟକୋଭସ୍କିଂକ କବିତା ଗୁଚ୍ଛ ପ୍ରଭୃତି ।

 

ସେତେବେଳକୁ ମୁଁ ଜଣେ ଭଲ ବକ୍ତା ମଧ୍ୟ ।

 

୧୯୫୨ ମସିହାରେ ସୋସଲିଷ୍ଟପାର୍ଟି ସହ ଆଚାର୍ଯ କ୍ରିପ୍ଳାନିଂକ ପ୍ରଜାପାର୍ଟିର ମିଶ୍ରଣ ହେଲା । ମୁଁ ଏହାକୁ ସମର୍ଥନ କରି ନପାରି ବିଦାୟ ନେଲି ସୋସଲିଷ୍ଟ ପାଟିରୁ ।

 

୧୯୫୨ରୁ ୧୯୫୫ ଏହାରି ଭିତରେ ଭାରତୀୟ କମ୍ୟୁନିଷ୍ଟ ଦଳ, ସୋସଲିଷ୍ଟ ୟୁନିଟି ସେଂଟର୍‌ ଅଫ୍‌ ଇଂଡ଼ିଆ ସହିତ ମୋର ସଂପର୍କ ସ୍ଥାପିତ ହୋଇଥିଲା ଓ ଉକ୍ତ ଦଳ ପାଇଁ ଅନେକଦିନ କାମ ବି କରିବାକୁ ପଡ଼ିଥିଲା । କିଂତୁ କେଜାଣି କାହିଁକି ସବୁ ଭଂଡ଼ାମୀ ବୋଲି ମନେହେଲା ! ଏହି ସମୟ ଭିତରେ ‘ଅଦୃଷ୍ଟ’ର ଆଶୀର୍ବାଦ ଭଳି ଜଣେ ଲୋକଂକୁ ଭେଟିଥିଲେ । ସେ ହେଉଛଂତି ଶ୍ରୀଯୁକ୍ତ ରଘୁନାଥ ଦାସ, ଆଡ଼୍‌ଭୋକେଟ । ତାଂକରି ପ୍ରଦତ୍ତ-ଆଲୋକ କମ୍‌ ଆଲୋକିତ କରିନାହିଁ ମୋତେ ।

 

୧୯୫୫ ସେପ୍‌ଟେଂବରରେ ମୁଁ ଚାଲିଲି ଏକୁଟିଆ ଗୋଆମୁକ୍ତି ଆଂଦୋଳନରେ ଅଂଶଗ୍ରହଣ କରିବା ଲାଗି । ସେଠୁ ଫେରିବା ପରେ ମୋର ଆଉ କୌଣସି ରାଜନୈତିକ ଦଳ ସହିତ ସଂପର୍କ ରହିଲା ନାହିଁ । ପଢ଼ାପଢ଼ି, ଲେଖାଲେଖିରେ ନିଜକୁ ସଂପୂର୍ଣ ନିୟୋଜିତ କଲି । ଏ କ୍ଷେତ୍ରରେ ମୋତେ କମ୍‌ ସାହାଯ୍ୟ କରି ନାହାଂତି ପୂଜ୍ୟ ଶ୍ରୀ ରଘୁନାଥ ଦାସ ।

 

ପ୍ରଥମେ ଗଦ୍ୟ ରଚନାରୁ ମୋର ସାହିତ୍ୟିକ ଜୀବନର ଆରଂଭ ହୁଏ ।

 

୧୯୫୬ରୁ ୧୯୫୭-୫୮ ମସିହା ଭିତରେ ଏକ ସଂସାରୀ ମଣିଷ ହେବାକୁ ମନ ବଳିଲା । ଚାକିରି-ବାକିରି କରି ବଂଚିବାକୁ ଘୁରିବୁଲିଲି । ଗ୍ରାମସେବକ ତାଲିମ୍‌ ପାଇଁ ଭର୍ତି ହୋଇଥିଲେ ଢେଂକାନାଳର ମହିଷାପାଟ କୃଷିବିଦ୍ୟାଳୟରେ । କିଂତୁ ତାହା ସଂଭବ ହେଲା ନାହିଁ । ଦେଖିଲି, ସେଠାରେ କେବଳ ଟାଉଟର୍‌ ତିଆରି ହୋଇ ଲୋକଂକୁ ବିଭ୍ରାଂତ କରିବାହିଁ ସାର ହେବ । ତା’ଛଡ଼ା ସେଠାରେ ଏପରି ଅବ୍ୟବସ୍ଥା, ଅନ୍ୟାୟ, ଦୁର୍ନୀତି ଆଦି ଚଲିଥାଏ ଯେ, ମୁଁ ବାଧ୍ୟ ହୋଇ ତା’ର ପ୍ରତିବାଦ କରି ଆରଂଭ କରିଥିଲି ଦୀର୍ଘ ଆଠଦିନ ଧରି ଅନଶନ ଧର୍ମଘଟ । ଏଥିପାଇଁ ମୋତେ ଗିରଫ ହୋଇ ଢେଂକାନାଳ ଜେଲ୍‌ରେ ଅଟକ ରହିବାକୁ ପଡ଼ିଥିଲା । ମୋ ନାମରେ ମୋକଦ୍ଦମା ଚାଲିଥିଲା ପ୍ରାୟ ବର୍ଷାଧିକ କାଳ ।

 

୧୯୫୨ ମସିହାଠାରୁ କ୍ରମାଗତ ପଢ଼ିଛି...ଲେଖିଛି...ଚିଂତା କରିଛି । ସୁ-ପ୍ରସ୍ତୁତ ହୋଇ ଓଡ଼ିଆ-ସାହିତ୍ୟର ଇଲାକାକୁ ପ୍ରବେଶ କଲାବେଳେ ଉତ୍ସାହ ତ ମିଳିବା ଦୂରର କଥା ; ବିଦ୍ରୂପ, ତାଚ୍ଛଲ୍ୟ, ନିଂଦାର ଝଡ଼ ମୋ ଉପର ଦେଇ କମ୍ ବହିନାହିଁ ! ସାହିତ୍ୟ ରାଜ୍ୟକୁ ଆସି ଦେଖିଛି ରାଜନୀତି କ୍ଷେତ୍ରଠାରୁ ଆହୁରି ବିଭତ୍ସତା, ଅନୁଦାରତା-ଯାହା ସଂପୂର୍ଣ ଅବାଂଛନୀୟ । ଦୀର୍ଘଦିନର ପ୍ରାଣପାତ-ସଂଗ୍ରାମ, ଅନୁଭୂତି, କ୍ଷତ-ଚିହ୍ନକୁ ପୁଂଜିକରି ବାକ୍‌ଦେବୀର ରିକ୍ତକୋଳକୁ ଲଂଫ ଦେଲାବେଳେ ମଣିଷ ଭିତରର ପଶୁ ମୋତେ କମ୍‌ ଆହତ, କମ୍‌ ରକ୍ତାକ୍ତ କରିନାହିଁ ! ମୋର ସମସାମୟିକ ସାରସ୍ୱତ-ସାଧକଗୋଷ୍ଠୀ, ସାହିତ୍ୟର ଜୀବିତ-ସୂରୀ ବା କାର୍‌ପଟ୍‌ଦାର୍‌ କେହି ହେଲେ ବି ମୋତେ ଶୁଭଦୃଷ୍ଟିରେ ଦେଖି ନାହାଂତି । ଜୀବନର ଏହି ତୃତୀୟ ଅଧ୍ୟାୟରେ ବି ମୁଁ ମୋ ପଥରେ ଏକୁଟିଆ ! କ୍ଷତ-ବିକ୍ଷତ-‘ଅତୀତ’ ନୀରବ, ‘ଭବିଷ୍ୟତ’ ଚୂର୍‌ମାର୍‌, ଦାରିଦ୍ର୍ୟ, ମାନବିକ-ମୂଲ୍ୟବୋଧର ଅଭାବ-ଅଧ୍ୟୁଷିତ ଯଂନ୍ତ୍ରଣାକର ‘ବର୍ତମାନ’ । ‘ପ୍ରତିଭା’ ଆଜି ଏକ ଅଭିଶାପ, ବଂଚିବା ପକ୍ଷରେ ପ୍ରଧାନ ପ୍ରତିବଂଧକ ରୂପରେ ଦଂଡ଼ାୟମାନ ସମ୍ମୁଖରେ । କେଉଁ ଏକ ଅ-ଶିବର ଅବିଚାରରେ ଖରାଜଳା-ଶସ୍ୟକ୍ଷେତପରି ଜଳି ଯାଇଛି ମୋର ସମସ୍ତ ନମ୍ରତା, ସମସ୍ତ ସ୍ୱପ୍ନ, ଆଶା-ଭରସା ଯାହାକିଛି । ମୋ ଦେହର ଶିରାପ୍ରଶିରା, ଅଂନ୍ତ୍ରନାଡ଼ୀ, ହୃତ୍‌ପିଂଡ଼ର ବୃହତ୍-ଧମନୀ ଆଜି ରୁଦ୍ର-କାପାଳିକର ପିଂଗଳ ଜଟାମାଳ ପରି ଭୟଂକର ।

 

ପ୍ରଥମେ ମୋର ଲେଖାଲେଖିମାନ ପତ୍ର-ପତ୍ରିକାମାନଂକୁ ପ୍ରକାଶପାଇଁ ପଠାଇଲେ ତାହା ପ୍ରକାଶ ପାଏନାହିଁ ; ହତାଶାହିଁ ସାର ହୁଏ । ଫଳରେ ପ୍ରାୟ ୫୦୦ କବିତା ବିରକ୍ତିରେ ଚିରି ନଷ୍ଟ କରିଦେବାକୁ ହୋଇଛି ମୋତେ । କାହିଁକି ଯେ ମୋର ରଚନାମାନ ପ୍ରକାଶ ପାଉନାହିଁ, ସେଥିରେ ଯୋଗ୍ୟତାର ଅଭାବ ନା ଆଉକିଛି, ଏକଥା ପରୀକ୍ଷା କରିବା ପାଇଁ ବହୁବାର ଚେଷ୍ଟା କରିଛି; ପତ୍ରିକା ସଂପାଦକଂକ ପାଖକୁ ପଠାଇଥିବା ଲେଖା ଫେରି ଆସିଲେ ସେହି ଲେଖାର ଶିରୋନାମାକୁ ବଦଳାଇ ‘ଲେଖିକା : କୁମାରୀ ଜ୍ୟୋତିର୍ମୟୀ ମିଶ୍ର,’ ‘କୁମାରୀ ଭାନୁମତୀ ସିହ୍ନା’ ଆଦି ନାମରେ ପୁନର୍ବାର ସେହି ସଂପାଦକଂକ ପାଖକୁ ପଠାଇବା ପରେ ତାହା ପ୍ରକାଶ ପାଇଛି ! ଏ ସବୁ ଦେଖି ଗଭୀର ଦୟା ଆସିଛି ସେହି ସଂପାଦକମାନଂକ ଉପରେ ସେମାନଂକର ‘ବିକୃତି’ ପାଇଁ । ଯେଉଁ ସଂପାଦକମାନେ ମୋ ଲେଖାକୁ ପ୍ରଥମେ ସେମାନଂକ ପତ୍ରିକାର କଳେବରରେ ଭୂଷିତ କରି ମୋତେ ଉତ୍ସାହ, ପ୍ରେରଣା ଦେବା ସଂଗେ ସଂଗେ ଆଜିର ଆସନରେ ପ୍ରତିଷ୍ଠିତ କରାଇବାରେ ସାହାଯ୍ୟ କରିଛଂତି, ସେମାନଂକ ଭିତରେ ‘ନବଜୀବନ’ର ସଂପାଦକ ଶ୍ରୀଯୁକ୍ତ ଚିଂତାମଣି ମିଶ୍ର ହିଁ ଅଗ୍ରଗଣ୍ୟ । ‘ସାହିତ୍ୟ’ ରଚନାଟା ଯେଉଁଠି ଅବସର-ବିନୋଦନର କାର୍ଯ୍ୟ, ଯେଉଁଠି ତାହା ମଣିଷର ପ୍ରୟୋଜନୀୟତାର ସ୍ତରକୁ ଆସିବା ଉଚିତ ବୋଲି ମନେ କରାଯାଏନି ; ସେଠି ମୋର କବିତା ଆଉକିଛି ନହେଉ ପଛକେ ଗଭୀର ଆଂତରିକତାର ଭିତ୍ତି-ପ୍ରସ୍ତର ଉପରେ ପ୍ରତିଷ୍ଠିତ-ତାହା ସୌଖୀନ୍‌ ପ୍ରତିକ୍ରିୟାଶୀଳ ସାହିତ୍ୟିକ ଗୋଷ୍ଠୀକୁ ମର୍ମାହତ କରିବ, ଏଥିରେ ସଂଦେହରେ ଅବକାଶ ନାହିଁ । ଖାଲି ମର୍ମାହତ ହୋଇ ଯେ ସେମାନେ ସେମାନଂକ କର୍ତବ୍ୟ ଶେଷ କରିଛଂତି ତାହାନୁହେ; ବ୍ୟକ୍ତିଗତ-କୁତ୍ସା ଭଳି ଅତି ହୀନ ପଂଥାର ଆଶ୍ରୟ ନେବାପାଇଁ ମଧ୍ୟ ଭୁଲିନାହାଂତି । ତାହା ବର୍ଣନା କରିବସିଲେ ଶତାଧିକ ପୃଷ୍ଠାର ଗ୍ରଂଥ ଲେଖିବା ହିଁ ସାର ହେବ । ଏମାନଂକର ‘‘ତୈଳାକ୍ତ-ନିର୍ବୁଦ୍ଧିତା’’, ଅସୂୟା ଆଦି ମୋର ସାହିତ୍ୟିକ ଜୀବନର ପ୍ରାରଂଭରେ ମୋ’ଠାରେ ଏକ ନୂତନ କ୍ଷତ ସୃଷ୍ଟି କରିଥିଲା, ତତାଇ ଦେଇଥିଲା ମୋର ଏଇ ଅନାବିଳ-ହୃଦୟକୁ, ଅଗ୍ନି-ସଂଯୋଗ କରିଥିଲା ମୋର କାବ୍ୟ-କୁଂଜ-ବନରେ । ଚୋରିମାଲ୍‌ ଘରେ ରଖି ଯେଉଁମାନେ ‘ଧନୀ’, ଅନ୍ୟର ମୃତ୍ୟୁ ପରେ ତା’ର ସଂପଦକୁ ମାଡ଼ିବସି ତାକୁ ‘ନିଜର’ ବୋଲି କହିବାରେ ଯେଉଁମାନେ ଧୁରଂଧର; ସେହିମାନେ ହିଁ ସର୍ବପ୍ରଥମେ ଆଗେଇ ଆସିଥିଲେ ମୋତେ ଆକ୍ରମଣ କରିବାଲାଗି । ସେ ଆକ୍ରମଣକୁ ମୋତେ ମୁକାବିଲା କରିବାକୁ ହୋଇଥିଲା ୧୯୫୮ ମସିହାରେ ‘‘ଛାଟ’’ ଭଳି ଏକ ଉଗ୍ର ସମାଲୋଚନାମୂଳକ ପତ୍ରିକା ସଂପାଦନା କରି । ଫଳରେ ବହୁ ସାହିତ୍ୟ-ଚୋରୀ ଉଦ୍‌ଘାଟିତ ହେଲା, ଆକ୍ରମଣକାରୀମାନଂକ ମନର ପଶୁ, ବନର ପଶୁ ରୂପରେ ପଦାକୁ ବାହାରି ଆସିବାକୁ ବାଧ୍ୟ ହେଲା; ନାନା ଅପଦସ୍ତ, ହୀନସ୍ତା ହୋଇ ଛତ୍ରଭଂଗ ଦେଲା ପ୍ରତିକ୍ରିୟାଶୀଳ ନିଂଦୁକ ଗୋଷ୍ଠୀ । ଆଜି ସେମାନଂକର ସ୍ୱର ଅତ୍ୟଂତ କ୍ଷୀଣ । ସେମାନେ ମୁମୂର୍ଷୁ ।

 

ଯେଉଁ ଅମୃତ ସଂଧାନ ପାଇଁ ପରିବାରର ଅକାଳ ବିୟୋଗ, ପଛରେ ଚିରଦିନପାଇଁ ପଡ଼ିରହିଲା ଖେଳତୋଟା, ବାଲ୍ୟ-ଜୀବନର ସମସ୍ତ ସକରୁଣ ସ୍ମୃତି, ଯେଉଁ ଅମୃତର ସଂଧାନ ଉଦ୍ଦେଶ୍ୟରେ ଜୀବନର ପାଥେୟ ହେଲା ବଜ୍ର-ବିଦ୍ୟୁତର ମୁଖରିତ ରାତି; ଲକ୍ଷ୍ୟହୀନ ଭ୍ରମଣ, କଟକ ଟାଉନ୍‌ହଲ୍‌ ବାରଂଡ଼ା, ଅନାହାର, ଅନାଦାର, ବିଦ୍ରୁପ, ନିଂଦା, ଅର୍ଥାଭାବ, ରୋଗ, ଶୋକରେ ଯେଉଁ ଅମୃତ ମିଳିଲାନାହିଁ–ଦେବୀ ବୀଣାପାଣିର ମୁଲକକୁ ଆସି ତାହା ମିଳିବ ବୋଲି ପ୍ରଥମେ ଯେଉଁ ଭରସା ନିଜ ଭିତରେ ଜନ୍ମିଥିଲା, ତାହା ବାରଂବାର ଧୂଳିସାତ୍‌ ହୋଇଥିଲା ସାହିତ୍ୟ-ସଭାର ‘‘କର୍ପୂରମାଳିଆ’’ ପୟଗଂବର୍‌ମାନଂକର ତୀବ୍ର ଅସୂୟାପୂର୍ଣ ଭ୍ରୂକୁଟିରେ । ବାଧ୍ୟହୋଇ ମୋତେ ସେଦିନ ମୋର ବିବେକ ଦେଇଥିଲା କଳାପାହାଡ଼ର ଦୀକ୍ଷା । ଏହିପରି ଦୁର୍ଦ୍ଦିନ ବେଳେ ମୋର ସମର୍ଥକ ଯେଉଁ କେତେ ଜଣ ଥିଲେ, ଗଭୀର ହତାଶା ଓ ରଣକ୍ଳାଂତିରେ ଯେଉଁମାନେ ମୋତେ ଦେଉଥିଲେ ସାଂତ୍ୱନାର ପ୍ରଲେପ, ସେମାନଂକ ଭିତରେ କବିବଂଧୁ ବ୍ରଜନାଥ ରଥ ହିଁ ଅନ୍ୟତମ ।

 

ସେତେବେଳର ନିଂଦୁକ, ଆକ୍ରମଣକାରୀମାନେ ମଧ୍ୟ ଜୀବିତ । ସେମାନଂକ ଭିତରୁ କେତେକ ଆଜି ସ୍ତାବକତା ମଧ୍ୟ କଲେଣି ! ହାୟରେ ‘ପୁରୁଷତ୍ୱ’ !

 

ଯେଉଁ ପୁସ୍ତକ ପ୍ରକାଶକମାନେ (ମୁଁ ସେମାନଂକ ପାଖରେ ପାଂଡ଼ୁଲିପି କାଖତଳେ ଯାକି ପହଂଚିଲା ବେଳେ) ବିଦ୍ରୂପ କରି ମୋତେ ଅପମାନିତ କରିବାକୁ ଭୁଲୁ ନଥିବେ ଏବଂ ଏକଥା ମଧ୍ୟ କହୁଥିଲେ : ‘‘ବହି ଲେଖା ଛାଡ଼ି ମାଟି ବୋହୁନ !’’ ସେମାନେ ବି ଆଜି ଅଛଂତି । କିଂତୁ ଆଜି ମୁଁ ଏହି ‘ବିଦୀର୍ଣ’କୁ ମିଶାଇ ମୋଟ ୧୬ ଖଂଡ଼ ପ୍ରକାଶିତ ପୁସ୍ତକର ଲେଖକ-ଏ ପୁସ୍ତକ ସବୁକୁ ମୁଁ ପ୍ରକାଶ କରିନାହିଁ, କରିଛଂତି ପ୍ରକାଶକମାନେ !

 

ମୋର ଅତୀତ-ଜୀବନ ଓ ତା’ର ପରିପାର୍ଶ୍ୱକୁ ଯେଉଁମାନେ ସ୍ୱଚକ୍ଷୁରେ ଦେଖିଛଂତି, ସେମାନଂକ ସହିତ ଏବେ ବାଟରେ-ଘାଟରେ ମଝିରେ ମଝିରେ ଦେଖା ହୁଏ । ସେମାନେ ସେମାନଂକ ବିସ୍ମୟ ପ୍ରକାଶକରି କହିପକାଂତି : ‘‘ଦୁଃଖର ବେଳ ଆପଣଂକର ଯାଇଛି ! ବର୍ତମାନ ତ ଆପଣ ଏକାଧିକ ଗ୍ରଂଥର ରଚୟିତା !’’ ଇତ୍ୟାଦି ଇତ୍ୟାଦି । ନୀରବରେ ସବୁ ଶୁଣେ- ନ ହସି ରହିପାରେ ନାହିଁ । ‘‘ଏକାଧିକ ଗ୍ରଂଥର ରଚୟିତା’’ ବର୍ତମାନ ମଧ୍ୟ ପ୍ରତିଦିନ ସଂଧ୍ୟାରେ ଛୁଟେ ପ୍ରକାଶକଂକ ପାଖକୁ । ଏଥରକୁ ମିଶାଇ ହେଲା ୭ ଥର । ‘‘ଟଂକା ନାହିଁ, ବିକ୍ରି ହୋଇନାହିଁ, କାଲି ଆସିବେ ।’’ କାଲି ଗଲାବେଳକୁ ଦୋକାନରେ ବିରାଟ ଆଲିଗଡ଼ ତାଲା ! ଏଣେ ଘରଭଡ଼ା ବାକୀ, ପିଲାଦେହ ଖରାପ । ଆଉ ଜଣେ ପ୍ରକାଶକ ଆଉ ଗୋଟିଏ ପାଂଡ଼ୁଲିପି ନେଇଛଂତି, ତାକୁ କୁଆଡ଼େ ସେ ‘‘ପଢ଼ିବେ’’ ! ପଢ଼ିସାରିଲେ ପ୍ରେସ୍‌କୁ ଦେବେ ଛାପିବାକୁ ! ‘‘ରୟାଲିଟି କେତେ ପର୍ସେଂଟ୍‌ ?’’ ‘‘୧୦ ପର୍ସେଂଟ୍‌ ନେବେ ?’’

ସଂଗେ ସଂଗେ ଚିତ୍‌କାର କରି କହିବାକୁ ଇଚ୍ଛାହୁଏ, ‘‘ମୋଟେ କିଛି ରୟାଲିଟି ନଦେଲେ କ’ଣ ଚଳଂତା ନାହିଁ ?’’

ତେଣୁ ‘‘ଏକାଧିକ ଗ୍ରଂଥର ରଚୟିତା’’ର ଜୀବନ ଆଜି ମଧ୍ୟ ଉତ୍‌କଟ-ଦାରିଦ୍ର୍ୟ-ଅଧ୍ୟୁଷିତ, ଆଜିମଧ୍ୟ ସେ ଫେରେ : ବହି ଦୋକାନର ସୋପାନେ ସୋପାନେ ଆଂକି ଚରଣ ରେଖା-!

ତେଣୁ ମୋର ଏ ସଂଗ୍ରାମ-ସଂକୁଳ-ଜୀବନ ଓ ତା’ର ଘୂର୍ଣିକ୍ଷୁବ୍‌ଧ-ପରିପାର୍ଶ୍ୱ ଏବଂ ଉଗ୍ର-ବାସ୍ତବତାକୁ ବାଦ୍‌ଦେଇ ମୋର କାବ୍ୟକୃତିକୁ ଯେଉଁମାନେ ବିଚାର କରିବସିବେ ସେମାନେ ମୋ ପ୍ରତି ଘୋର ଅବିଚାର କରିବେ ସିନା !

‘ତତ୍ୱ’ର ପ୍ଳାଟ୍‌ଫର୍ମରେ ଠିଆହୋଇ ମୁଁ କେବେହେଲେ ଦୁନିଆକୁ, ଜୀବନକୁ ଦେଖିନାହିଁ-। ମଣିଷର ବୁଦ୍ଧିବୃତ୍ତିର ବହୁ ଊର୍ଧ୍ୱରେ ବିଶ୍ୱବ୍ରହ୍ମାଂଡ଼ର ଯେଉଁ ନିଗୁଢ଼-ରହସ୍ୟ ବିଦ୍ୟମାନ ସେହି ରହସ୍ୟକୁ ଉଦ୍‌ଘାଟିତ କରି ସିଦ୍ଧାଂତରେ ଉପନୀତ ହେବାକୁ ମୁଁ କେବେହେଲେ ଚେଷ୍ଟା କରିନାହିଁ, ଯେହେତୁ ମୁଁ ଦାର୍ଶନିକ ନୁହେ-ଜଣେ କବି । ମୋର କର୍ମ ଓ ଧର୍ମ ହେଲା : ଜୀବନଦର୍ଶନର ପଥକୁ ପ୍ରାଣପୂର୍ଣ୍ଣକରି ସେ ପଥରୁ ସମସ୍ତ କ୍ଳେଦାକ୍ତ, କ୍ଷତବିକ୍ଷତ ଆବର୍ଜନାକୁ ଧ୍ୱଂସକରି ନିଷ୍କଳୁଷ-ସତ୍ୟକୁ ପ୍ରକାଶ କରିବା । ଏହି ଉଦ୍ଦେଶ୍ୟରେ ମୋର ପୂର୍ବସୂରୀମାନଂକ ପଦଚିହ୍ନ ଯେଉଁ ପର୍ଯନ୍ତ ଅଂକିତ ହୋଇଛି, ମୁଁ ଠିକ୍‌ ସେହିଠାରୁ ଆଗକୁ ଅଗ୍ରସର ହେବାକୁ ଚେଷ୍ଟାକରିଛି ଆପ୍ରାଣ । କିଂତୁ କେତେଦୂର ଆଗେଇଛି, ତା’ର ବିଚାରକ ମୋର ଉଦାର ସମାଲୋଚକବୃଂଦ ।

 

ସାଂପ୍ରତିକ ଓଡ଼ିଆ ସାହିତ୍ୟରେ ମୋ କବିତା କୁଆଡ଼େ ଏକ ‘‘ଆତଂକ’’ ସୃଷ୍ଟି କରିଛି ଏବଂ ‘‘ସାହିତ୍ୟ ଭଳି ଜାତିର ଆଦର୍ଶ ଗଠନର ପବିତ୍ର-ପୀଠ’’ରେ ତାହା କୁଆଡ଼େ ‘‘ଅବାଂଛନୀୟ’’ ବୋଲି କେତେକ ‘‘ଅଂତର୍‌ଭେଦୀ ସମାଲୋଚକଙ୍କ’’ ମତ ଆଉ ଅଭିଯୋଗ ମଧ୍ୟ । କିଂତୁ ଦୁଃଖର କଥା, ‘ସମାଲୋଚକ’ ବଂଧୁମାନେ ଏପରି ମତ ବାଢ଼ି ଅଭିଯୋଗ କଲାବେଳେ ବୋଧେ ଭୁଲି ଯାଇଛନ୍ତି, ସେମାନଙ୍କ ମତରେ ଯାହାଟା ‘‘ବାଂଛନୀୟ’’, ମୁଁ ଯଦି ତା’ର ସମର୍ଥକ ହୋଇଥାଂତି, ତାହେଲେ ମୋ କବିତା ‘‘ଆତଂକ’’ ସୃଷ୍ଟି କରିବା ପରିବର୍ତ୍ତେ ‘ଦରବାରୀ କବିତା’ ହୋଇ ପାଟଯୋଡ଼କୁଣ୍ଡଳ ଆଉ ‘ଶହେ ଷୋହଳ ଟଂକା’ ପ୍ରାପ୍ତି ଲାଳସାରେ ପଂଚବାର୍ଷିକ ଯୋଜନା, ଜନ୍‌ମନିୟଂନ୍ତ୍ରଣ ଉପରେ ପ୍ରତିଷ୍ଠିତ ହୋଇ ରାଷ୍ଟ୍ରୀୟ-ସଂସ୍ଥାର ସ୍ତାବକତା କରିବା ସଂଗେ ସଂଗେ ଶାସନିକ-ସ୍ୱେଚ୍ଛାଚାରୀତା, ଶାସକର ଆସନ, ଯାହା ମାନବଜାତିର ଚିର-ଅସମ୍ମାନ; ତା’ରି ସ୍ତବଗାନ କରୁଥାଂତା । ମୋ କବିତାର କାବ୍ୟଧର୍ମ ତାହା ହୋଇ ନଥିବାରୁ ସେ ଏକ ‘‘ଆତଂକିତ’’ ବାତାବରଣ ସୃଷ୍ଟି କରିବାକୁ ବାଧ୍ୟ । କବି ଯେ ଆଜନ୍ମ-ବିଦ୍ରୋହୀ-ଏହି ସାଧାରଣ-ସତ୍ୟ ଟିକକୁ ଭୁଲି ବସିଯିବା ଫଳରେ ନାନା ହୀନ, ଅନୁଦାର-ମଂତବ୍ୟ ସହିତ ବିରୁଦ୍ଧବାଦର ଅସୂୟା-ମିଶ୍ରିତ ଉକ୍ତିର ପ୍ରତିଧ୍ୱନି ‘‘ସମାଲୋଚନା’’ ନାମରେ ଗୁଂଜରିତ ହେବା ସଂଭବ ହେଉଛି । (କବି-ପ୍ରତିଭା- (ମୋ’ ମତରେ) ଯାହାର ଅନ୍ୟନାମ ହେବା ଉଚିତ ‘ଯଂନ୍ତ୍ରଣାର ବିସ୍ତୃତ-ପ୍ରାଂଗଣ’, ଯାହା ଯୋଗୁଁ କବି-ହୃଦୟ ପ୍ରବଳ ଅଂତର୍‌ଦ୍ୱଂଦ୍ୱରେ ଦୀର୍ଣ; ଅସତ୍ୟ, ଅମଂଗଳର ନିର୍ମମ ସମାଲୋଚକ, ନବଜୀବନର ଉଦ୍‌ଗାତା ଯେଉଁ କବି, ବ୍ୟଥାର ବରଫ ପାହାଡ଼କୁ ବହନକରି, ବେଦନାରେ ବାରଂବାର ବିଦ୍ଧହୋଇ ଯିଏ କେବଳ ବେଦନାର ପତାକା ଉଡ଼ାଏ ନାହିଁ; ପ୍ରତିଶୋଧ ନିଏ ସମସ୍ତ ପ୍ରକାର ମାନବିକ-ବେଦନାର- ସିଏ ବିଦ୍ରୋହୀ ବ୍ୟତୀତ ଅନ୍ୟ କିଛି ହୋଇପାରେନା । ଯେଉଁ ପ୍ରତିଭାରେ ବିଦ୍ରୋହରେ ପ୍ରତିଭା ନଥାଏ ତାହା ସେହିପରି ‘ବିଦ୍ରୋହ’ ନୁହେଁ । ବିଦ୍ରୋହହୀନ-ପ୍ରତିଭାଦ୍ୱାରା ଯେଉଁ ସାହିତ୍ୟର ସୃଷ୍ଟି ହୁଏ ତାହା ଆପାତତଃ ଆଦୃତ ହୋଇ ପାରୁଥାଏ ଏହି କାରଣରୁ ଯେ, ଯେହେତୁ ସେ ଜନ-ବିକୃତିକୁ ଇଂଧନ ଯୋଗାଇବାକୁ ସକ୍ଷମ । କଳୁଷିତ-ମାନବତା, ଅସୁସ୍ଥ-ଜନଜୀବନ ଏକ ଶଯ୍ୟାଗତ ରୋଗୀ ସହିତ ସମାନ । ରୋଗୀ ଯେପରି ଅପଥ୍ୟପ୍ରିୟ, ଏହା ସେହିପରି ଅପଥ୍ୟପ୍ରିୟ ହେବାକୁ ବାଧ୍ୟ । ଏହି ଅପଥ୍ୟ-ରୁଚିକୁ ପୁଷ୍ଟକରିବା ଉଦ୍ଦେଶ୍ୟରେ ଯେଉଁମାନେ କଲମ ଚଳାଂତି, ସେଇମାନେହିଁ କେବଳ କହଂତି : ‘‘ଆମେ ସାହିତ୍ୟର ସେବା କରୁଛୁ ।’’ ସେମାନଂକ ଦୃଷ୍ଟିରେ ସାହିତ୍ୟଟା ଅସୁସ୍ଥ । କିଂତୁ ଏହାଦ୍ୱାରା ସେମାନେ ନିଜ ‘ଅସୁସ୍ଥତା’ର କେବଳ ସେବାହିଁ କରିବସଂତି-। ସେମାନଂକର ଏକ ଚମତ୍‌କାର ପରିଚୟ ଦେବାକୁ ଯାଇ ଆଲ୍‌ଡ଼୍ୟୁସ୍‌ ହକ୍‌ସ୍‌ଲୀ କହିଛନ୍ତି : ‘‘× × × ଖରାପ ସାହିତ୍ୟଟାହିଁ ଖରାପ ସାହିତ୍ୟ, କାରଣ ଏହାର ଲେଖକମାନେ ସତ୍ୟ-ଅନ୍ୱେଷଣରେ କେବେହେଲେ ବେଶୀଦୂର ଯାଂତିନାହିଁ । ସେମାନଂକଠାରୁ ଯାହାଟା ମିଳେ, ତାହାହେଲା ଯାହା ବିଦ୍ୟମାନ ସେ ସଂପର୍କରେ ଖାଂଟି କଥା ନୁହେ । ଯାହା ଗତାନୁଗତିକ ତାହାରହିଁ ଛବି । ଫ୍ଳବେୟାର୍ଂକ ନାୟିକା ମାଡ଼ାମ୍‌ ବୋଭାରୀର ବିପଦ ଘନାଇ ଆସିଲା ଏହି କାରଣରୁ, ବାଜେ ସାହିତ୍ୟ ପଢ଼ି ପଢ଼ି ସେ କ୍ରମାଗତ କଳ୍ପନା କରିଛି-ସିଏ ଯାହା ସେ ତାଠାରୁ ଅନ୍ୟଜାତିର ମଣିଷ । ତା’ରି ନାମରୁ ଫରାସୀ ଦାର୍ଶନିକ ଜୁଲ୍‌ ଦ୍ୟ ଗଟିଏ ଏକ ଭାବାର୍ଥବାଚକ ବାକ୍ୟ ସୃଷ୍ଟି କରିଛଂତି-‘ବୋଭାରିଜମ୍‌’ । ତା’ର ଅର୍ଥ-ନିଜର ସତ୍ତା ବା ଚରିତ୍ରଠାରୁ ଭିନ୍ନ ଗୋଟିଏ ଚରିତ୍ରର ଅଭିନୟ, ମୁଁ ଯେପରି ଅନ୍ୟବ୍ୟକ୍ତି ଏଇ ଧରଣର ଗୋଟାଏ ଛଳନା କରିବାର ଅତିପ୍ରବୃତ୍ତି । (କେବେ କେବେ ଅଭିନିତ ଚରିତ୍ର ସହିତ ଅଭିନେତାର ମେଳ ଥାଏ; ସେ କ୍ଷେତ୍ରରେ ବୋଭାରିକ୍‌ କୋଣଟା ହ୍ରସ୍ୱ ।) ଅନ୍ୟତ୍ର ଦୁଇଟି ଭିତରେ ଥାଇପାରେ ଘୋରତର ବୈଷମ୍ୟ । ଏଇ ବୋଭାରିକ୍‌ କୋଣଗୁଡ଼ିକ ଷାଠିଏ, ନବେ, ଏପରିକି ଶହେ ଅଶୀ ଡିଗ୍ରୀର ମଧ୍ୟ ହୋଇପାରେ । ଭଲ ଆଉ ମଂଦ ସାହିତ୍ୟ ଭିତରେ ଏଇ ଯୋଉ ପାର୍ଥକ୍ୟ, ତାକୁ ଏଇ ବୋଭାରିକ୍‌ ଶବ୍‌ଦାର୍ଥଦ୍ୱାରା ବୁଝାଇ ଦିଆଯାଇପାରେ । ଯେଉଁ ସାହିତ୍ୟ ବାଜେ, ତାହା ପାଠକ ସମ୍ମୁଖରେ ଧରାବଂଧା ଛକରେ ଗତାନୁଗତିକ ଚରିତ୍ର ଉପସ୍ଥାପିତ କରେ, ତାକୁ ଏପରି ଏକ ପାର୍ଟ୍‌ର ଅଭିନୟରେ ଉତ୍ସାହିତ କରେ ଯାହା ତା’ର ନିଜସ୍ୱ ପ୍ରକୃତିଠାରୁ ଭିନ୍ନ । × × ×’’

 

ସେହିପରି ପ୍ରତିଭାହୀନ-ବିଦ୍ରୋହଦ୍ୱାରା ଯେଉଁଠି ଜାତିର ନେତୃତ୍ୱ, ରାଷ୍ଟ୍ରୀୟ-କ୍ଷମତା ଅକ୍ତିଆର୍‌ ହୁଏ, ସେଠି ସେ ନେତୃତ୍ୱ ମଣିଷକୁ ଶିଖାଏ ପାଶବିକତାର ଜୟଗାନ; ଜାତୀୟ-ଭୀରୁତାର ବୀଜ ବପନ କରେ ସମାଜ-ଜୀବନରେ; ମଣିଷକୁ ଏକ ଭୁଲ୍‌ବାଟରେ ଟାଣିନେଇ ତା’ର ମାନବିକ-ଚରିତ୍ରକୁ ହତ୍ୟାକରେ ଦସ୍ୟୁଭଳି । ସାହିତ୍ୟ କ୍ଷେତ୍ରରେ ବିଦ୍ରୋହହୀନ-ପ୍ରତିଭାସୃଷ୍ଟ-ସାହିତ୍ୟର ଭୂମିକା ଯାହା ରାଜନୀତି କ୍ଷେତ୍ରରେ ପ୍ରତିଭାହୀନ-ବିଦ୍ରୋହର ଭୂମିକା ତା’ଠାରୁ କୌଣସି ଗୁଣର ନ୍ୟୂନ ନୁହେ; ବରଂ ତା’ର ମାରତ୍ମକତା ଆହୁରି ପ୍ରବଳ । ଏହିଠାରେହିଁ ଜଣେ କବି ହିସାବରେ ମୋର ଚିତ୍‌କାର କରି କହିବାକୁ ଇଚ୍ଛାହୁଏ: ‘‘ମୁଁ ଅନ୍ୟ ଜଣେ ବ୍ୟକ୍ତି ନୁହେ-ମୁଁ ନିଜେହିଁ ମୁଁ ।’’ ଏହି ‘ମୁଁ’-ତ୍ୱର ବୋଧହିଁ କବିର ବୀର୍ଯ, ଶାଣିତ-ବିବେକ, ବିଦ୍ରୋହ ଏବଂ ପ୍ରତିଭା । ଏହାର ଅଭାବରେ କବି-ସାହିତ୍ୟିକ ଅମଂଗଳ, ପାପର ଶୀକାର ହୁଏ, ପାଶବ-ବିପଦଗ୍ରସ୍ତ ମଣିଷକୁ ଆହୁରି ଏକ ଭୟାବହ ନରକକୁ ଟାଣିନେଇ ଯିବାରେ ସାହାଯ୍ୟ କରେ । ସାହିତ୍ୟିକର ଏହି ସାହିତ୍ୟିକ-ନପୁଂସକତା ପ୍ରତି ସର୍ବଦା ସଚେତନ ରହି ମୁଁ ତା’ର ପ୍ରବଳ ବିରୋଧ କରିଆସିଛି । ମୋର ଏହି ବିରୋଧ-ଭୂମିକା ତଳେ ‘‘କେବଳ ବିରୋଧ କରିବାକୁହିଁ ହେବ’’ ଏ ମନୋବୃତ୍ତି ନାହିଁ, ଅଛି ଏକ ଶାଣିତ ପୌରୁଷପୂର୍ଣ୍ଣ ଯୁକ୍ତି ଏବଂ ଦର୍ଶନ । ଏହା ପୁଣି ଗ୍ରଂଥ-କିତାବ୍‌ ଅଧ୍ୟୟନରୁ ସଂଜାତ ନୁହେ; ଉଗ୍ର-ବାସ୍ତବତାର କଠୋର ସହାୟତାରୁ ଉଦ୍‌ଭବ । ଆଗରୁ କହିଛି ଜୀବନଯାତ୍ରାର ପଥ ମୋର ମୋଟେ ସୁଗମ ନୁହେ- କ୍ଳେଦାକ୍ତ, କ୍ଷତ-ବିକ୍ଷତ ଏବଂ ଝଂଜାକ୍ଷୁବ୍‌ଧ । ଏହି ପଥରୁ ମୁଁ ଯାହାଟା ପାଇଛି ତାହା ହେଲା ବସ୍ତୁବାଦର ଏକ ବାସ୍ତବ-ଚଷମା; ଯାହାର ସ୍ୱଚ୍ଛ ଉଜ୍ଜ୍ୱଳ ଲେନ୍‌ସ୍‌ରେ କେତେ ଶତ-ସହସ୍ର ବାର ମୁଁ ଦେଖିଛି ଅକଳନ ସକାଳ ଓ ସୂର୍ଯୋଦୟ; ସେ ସୂର୍ଯୋଦୟ ଓ ସକାଳ ମୋତେ ପ୍ରତୀୟମାନ ହୋଇନାହିଁ ଉଷା-କାମିନୀର ନାଲି ଟୁକୁଟୁକୁ ହସ ରୂପରେ କିଂବା ସେ ସୂର୍ଯକୁ ମୁଁ ଦେଖିନାହିଁ ପୂର୍ବାଶାର ଫୁଲବଗିଚାର ‘ଜବାକୁସୁମ’ ରୂପରେ । ପ୍ରତିଟି ସକାଳ...ପ୍ରତିଟି ସୂର୍ଯୋଦୟ, ତା’ର ଲାଲ୍‌ ମଖମଲ ପଟ୍ଟଭୂମି ମୋ ଆଗରେ ଦେଖାଦେଇଛି ଏକ ପୁଂଜିଭୂତ ବିଦ୍ରୋହର ଅଭ୍ୟୁତ୍‌ଥାନ ରୂପରେ । ସୂର୍ଯ୍ୟ...ସକାଳର ଲାଲ୍‌ସୂର୍ଯ୍ୟ ସତେ ଯେପରି ବିଗତ ରାତିର ଏକ ବିନିଦ୍ର-ମଜଦୁର୍ ! ଯିଏକି ରାତିର ଖଣିତଳେ ‘କାଟିଛି କୋଇଲା, ତାଡ଼ିଛି ପଥର ଅବା ଜାଗି ରାତିଯାକ !’ ଆଖିରେ ଅପ୍ରଚୁର ତଂଦ୍ରା, ପେଟରେ ଭୋକର ଜ୍ୱାଳା, ମଜୁରୀ ବା ବୋନସ୍‌ ବଦଳରେ ହୁଏତ ମିଳିଛି ଅପମାନ ! ରାତିର ଖାଦାନ୍‌, ତା’ର ଘୋଡ଼ଣିକୁ ଏକ ରକ୍ତାକ୍ତ-ହୁଂକାରରେ ଦୂରକୁ ଫିଂଗିଦେଇ ଧର୍ମଘଟର ରକ୍ତ-କେତନହସ୍ତା...ମେହନତର ମହାକାବ୍ୟ...ଶ୍ରମର ମହା-ସନ୍ନ୍ୟାସୀ ସକାଳର ଉଦିତ-ସୂର୍ଯ...ସତେ ଯେପରି ରୁଦ୍ଧ-ରୋଷରେ ଶ୍ରମିକ-ସଖା ମନୀଷୀ କାର୍ଲ ମାର୍କ୍‌ସ୍ଂକପରି ଦୁନିଆର ମେହନତୀ ମଣିଷକୁ ଡାକରା ଦେଇ କହୁଛି: ‘‘× ×

 

The proletarians have nothing to lose but their chains. They have a world to win.

 

Working men of all countries unite.”

 

ଏଇ ପରିପ୍ରେକ୍ଷିରେ ମୁଁ ସବୁକୁ ଦେଖିଛି । ସତ୍ୟ-ଶିବ-ସୁଂଦରକୁ ଭୁଲ୍‌ରେ ବି ଦିନେହେଲେ ମୁଁ ମୋ ପଥରେ ଭେଟିନାହିଁ–ଭେଟିଛି ଅସତ୍ୟ-ଅଶିବ-ଅସୁଂଦରକୁ କ୍ରମାଗତ । ସତର୍କ ରହିବାର ସମସ୍ତ ଶକ୍ତି ସଂଚୟ କରି ଜୀବନର ବିଭିନ୍ନ ପର୍ଯ୍ୟାୟରେ ତାକୁ ଆଘାତ କରିଛି ଏହି କାରଣରୁ: ସତ୍ୟ-ଶିବ-ସୁଂଦରକୁ ପୂଜା ନକଲେ ତାହା ମରିଯିବ ନାହିଁ । ଯାହା ସତ୍ୟ, ଯାହା ଚିରଂତନ, ଯାହା ଅବିନଶ୍ୱର ତା’ରି କ୍ଷୟନାହିଁ, ସେ ମୃତ୍ୟୁହୀନ । କିଂତୁ ଅସତ୍ୟ-ଅଶିବ-ଅସୁଂଦର- ଯାହା ପାପ, ଯାହା ଅମଂଗଳ, ଯାହା ଅମାନବତା; ତାକୁ ଆଘାତ ନକଲେ, ତାର ପ୍ରତିରୋଧ ନକଲେ ସେ ପ୍ରଭୂତ କ୍ଷତି ସାଧନ କରିବ ମାନବସମାଜର ।

 

ମୋର ରୁକ୍ଷ କଠୋର ଗଦ୍ୟମୟ ଅ-କାବ୍ୟିକ-ପରିପାର୍ଶ୍ୱ ମୋତେ ଶିଖାଇଛି ଦୁଇଟିକଥା-: ଧ୍ୱଂସ ନଚେତ୍‌ ସୃଷ୍ଟି ; ଜୀବନ ନଚେତ୍‌ ମରଣ ; ଏପାଖ ନଚେତ୍‌ ସେପାଖ । Reform, Evolutionର ହେର୍‍ଫେର୍ ମୁଁ ଜାଣେନା । ପୁରୁଣା ବୋତଲ୍‌ରେ ନୂଆ ମଦ, ନୂଆ ବୋତଲରେ ପୁରୁଣା ମଦର ଢଳାଢ଼ଳି କାରବାରରେ ମୁଁ ଏକେବାରେ ଅପଟୁ । ପ୍ରଥମେ ବୋତଲ (Setup) କୁ ଭାଂଗିବାହିଁ ଦରକାର । ଯେଉଁ ପୃଥିବୀରେ ଲାଂଛନା ଓ ନିପୀଡ଼ନ ପରି ‘‘ମାନବିକ-ଯଂନ୍ତ୍ରଣାର ଭୟାବହ ଜଗତ୍‌’’ ବିଦ୍ୟମାନ, ସେଠି revolution ହିଁ ଏକମାତ୍ର ସର୍ବଶେଷ ମୁକ୍ତିର ବାଟ । ମୋର ଏକଥା କହିବା ମୂଳରେ ନାହିଁ କୌଣସି ଖାନ୍‌ଦାନୀ ଆଦବ୍‌-କାଏଦା ବା କୃତ୍ରିମ-ଆଭିଜାତ୍ୟ; ଅଛି ଏକ ଗଣତାଂତ୍ରିକ-ବିବେକର ଦର୍ଶନ ।(ନରସୃଷ୍ଟନରକ-ଶାସିତ ପୃଥିବୀରୁ ମୁଁ କେବେହେଲେ ପଳାଇ ଯିବାପାଇଁ ଚେଷ୍ଟା କରିନାହିଁ, ପୃଥିବୀର ଧୂସର ବକ୍ଷର ବହୁ ଉର୍ଧ୍ୱକୁ ଉଠି ସ୍ୱପ୍ନବିଳାସୀଂକ ପରି ‘ସ୍ୱର୍ଗ’ର ସଂଧାନ କରିବାକୁ ମଧ୍ୟ ଚେଷ୍ଟା କରିନାହିଁ । ବରଂ ଚେଷ୍ଟା କରିଛି ପାଦପର ଚେର ପରି ଏଇ ମୌନା ସମୁଦ୍ର-ମେଖଳା ଆଦିମାତା ପୃଥିବୀକୁ ପ୍ରାଣପଣେ ଜାବୁଡ଼ିଧରି ତା’ କୋଳର ଅସରଂତି ପ୍ରାଣ-ପ୍ରବାହର ସାନ୍ନିଧ୍ୟ ପାଇଁ) । ମାନବତାର ଅଧଃପତନରେ, ଦୁର୍ଦ୍ଦଶାରେ ବିଶ୍ୱସାହିତ୍ୟର ବହୁ ସ୍ରଷ୍ଟା ଅତୀତରେ ପିଲାଂକପରି କାଂଦିଛଂତି । ସେମାନଂକର ସେହି କ୍ରଂଦନର ଧ୍ୱନି ଆଜିମଧ୍ୟ ମଣିଷର ଆଖିରେ ସମବେଦନାର ଅଶ୍ରୁସଂଚାର କରେ । ସେମାନଂକ ଜୀବନକାଳରେ ହୁଏତ ଏପରି କିଛିଟା ଆଶା-ଆଶ୍ୱାସନା ବା ଆକାଂକ୍ଷା ଥିଲା, ଯେଉଁଥିପାଇଁ ସେମାନେ ସେପରି କାଂଦିବା ପାଇଁ ଲଜ୍ଜାବୋଧ କରିନଥିଲେ । କିଂତୁ ଆଜି ବର୍ତମାନ ଯେତେବେଳେ ସମସ୍ତ ଆଶା, ଆଶ୍ୱାସନା, ଆକାଂକ୍ଷା ନିରାଶାର ତୀବ୍ର-ଅଟ୍ଟହାସରେ, ଆଧୁନିକ ପ୍ରୟୋଗ- ବିଜ୍ଞାନର ନପୁଂସକତାରେ, ଯାଂତ୍ରିକତାର ହାତୁଡ଼ି ଚୋଟରେ ଭାଂଗି ଚୂର୍‌ମାର୍ ହୋଇଯାଉଛି, ମଣିଷର ଭଗ୍ନ ଯୌଥ-ଜୀବନର ଆର୍ତନାଦରେ ହସି ଉଠୁଛି ଏକାକୀତ୍ୱର ପତାକା; ସେତେବେଳେ ମୁଁ କାଂଦିବାଟାକୁ ପୌରୁଷର ଅବମାନନା, ବିଧବାର ଅଭିଶାପ ବୋଲି ମନେକରି କାଂଦିପାରୁନାହିଁ । ଅନ୍ୟଦିଗରେ ମୋର କବିତା ହୋଇ ଉଠୁଛି ଦାବାନଳର ଉଗ୍ର-ସ୍ୱାଧୀନତା-ବୋଧରେ ଲେଲିହାନ, ସତୀହରା ଶିବଠାରୁ ଉନ୍‌ମାଦ । ମୋ ମତରେ ଏ କ୍ଷେତ୍ରରେ ‘ସ୍ୱର୍ଗ’-ଅନ୍ୱେଷଣକାରୀ ଦଳେ କବିଂକ ଅପେକ୍ଷା ବର୍ତମାନ ଏପରି ଦଳେ କବିଂକର ଦରକାର, ନିଜ ପ୍ରେୟସୀର ନାୟିକା ଯାହାଂକ ଆଗରେ ଏକ ତରବାରୀ, ମଣିଷର ହୃତ୍‌ସ୍ପଂଦନର ଛଂଦ ଯାହାଂକ ପାଖରେ ମିଲଟାରୀ ଡ୍ରମ୍‌ର ଆବାଜ୍‌- ତାଂକର । ଏହି ପରିପ୍ରେକ୍ଷିର ପ୍ଳାଟଫର୍ମରେ Romanticism ଅତି ଶୋଚନୀୟ ଭାବରେ ଗାଡ଼ିଫେଲ୍‌ ହେବା ଦରକାର । କାରଣ ମାକ୍‌ସିମ ଗତୀଂକ ମତରେ-ସତ୍ୟକୁ ସାମ୍ନାସାମ୍ନି ଅନାଇବାର ସତ୍‌ସାହାସର ଅଭାବଟାହିଁ Romanticism । ଏଠି Romanticism ଆଜିର ମଣିଷକୁ କୌଣସି ପ୍ରକାର ସାହାଯ୍ୟ କରି ପାରିବନାହିଁ; କୌଣସି ପ୍ରକାରର ସାହାଯ୍ୟ କରି ପାରିବନାହିଁ ଧର୍ମପ୍ରଚାରକମାନଂକ ‘‘ଧର୍ମ’’ ଏବଂ ‘‘ଭଗବାନ’’ । ଏଠି ମାନବିକ-ଚେତନାର ଉଗ୍ର-ଅଭ୍ୟୁତ୍‌ଥାନହିଁ ଜାଗ୍ରତ ‘‘ଭଗବାନ’’, ସମସ୍ତ ପ୍ରକାର ଲାଂଛନା, ନିପୀଡ଼ନ, ସାମୂହିକ ଶୋଷଣ, ଅମାନବତାର ବିଲୋପ ହିଁ ପ୍ରକୃତ ‘‘ଧର୍ମ’’ । ଏହି ‘ଧର୍ମ’ ଓ ‘‘ଭଗବାନ’’କୁ ପରିତ୍ୟାଗ କରି ‘‘ସ୍ୱର୍ଗ’’ର ବ୍ୟର୍ଥ ଅନ୍ୱେଷଣରେ ଚିଂତାର ମରୁଭୂମିକୁ ଅଯଥା ଚାଷ କରିବାର ପକ୍ଷପାତୀ ମୁଁ ନୁହେ ।

 

ପରିଶେଷରେ ଏତିକି କହିବି : ଯେଉଁଦିନ ମୋ ଜାତିର ଅଗଣିତ ଜନଗଣ ଚେତନାଶୀଳ ହୋଇଉଠି ଏକ ସୁଖୀ-ସୁଂଦର ଯୁଗର ଆସନ୍ନ-ପ୍ରଭାତକୁ ଅପେକ୍ଷା କରିବ, ଯାବତୀୟ ଅନ୍ୟାୟ ଅବିଚାରର ସହିଂସ୍ର-ପ୍ରତିରୋଧ କରି ଶିଖିବ, ଶତ୍ରୁକୁ କ୍ଷମା ଦେଇ ଶିଖିବ ପ୍ରତିହିଂସାରେ, ମାନବିକ-ଚେତନାର ସ୍ଖଳିତ-ବିଦ୍ୟୁତ୍‌ରେ ଫାଟି ଫାଳ ଫାଳ ହୋଇଯିବ ସମସ୍ତ ଅମାନବତାର କଳାମେଘ; ସେହିଦିନ ପ୍ରତିପାଦିତ ହେବ ମୋ କବିତାର ସାର୍ଥକତା- ଆଜିର ‘ବିଦୀର୍ଣ’ ସେହି ଭରସାର ଦୃଢ଼ ବିଶ୍ୱାସୀ ।

 

ରବିନ୍ଦ୍ରନାଥ ସିଂହ

Image

 

ଗ୍ରଂଥସୂଚୀ

 

୧.

ପରିଚୟ

୨.

ଷ୍ଟୋଭ୍‌

୩.

ବିଦ୍ରୋହୀ

୪.

ଆମଂନ୍ତ୍ରଣ

୫.

ପଳାୟନ

୬.

ଧୂମକେତୁ

୭.

ମେଲାଣି

୮.

ପ୍ରାର୍ଥନା

୯.

ପଛରେ ଯିଏ ଯା କହୁଛି କହୁ

୧୦.

ଦିନଲିପି

୧୧.

ଗୋଟିଏ କୈଫିୟତ୍‌

୧୨.

ମଣିଷର ପ୍ରିୟ ସ୍ୱାଧୀନତା

୧୩.

ତୁମେ ସରକାରୀ

୧୪.

ହେ ପ୍ରିୟ ପାଠକ !

୧୫.

ଚେତନାର ମର୍ମପଟେ

୧୬.

ଚେତନାର ଲାଲ୍ ବତି

୧୭.

ଉତ୍ତର

୧୮.

ଆହ୍ୱାନ

୧୯.

ପଂକଜ

Image

 

ପରିଚୟ

 

।। ଏକ ।।

 

ମୁଁ ଏକ ଗ୍ରଂଥ, ତୁମେକି ପଢ଼ିଛ ମୋତେ ?

ମୁହିଁ ଏକ ଦିଗ,

ତୁମେ କେବେ ସଖା

ଯାଇଅଛ ମୋର ପଥେ ?

 

ମୁଁ ଏକ ସୂର୍ଯ,

ମୋର ଉଦୟର ଉତ୍ସବ ଦେଖିଛ କି ?

ମୁଁ ଏକ ମାନବ,

ବଂଧୁହେ, ମୋର

ମାନବତା ଚାଖିଛ କି ?

 

ପଢ଼ିଛ କି କେବେ

ମୋଅରି ଭାଷ୍ୟ ?

ମୋର ଶସ୍ୟର

ସବୁଜ-ଲାସ୍ୟ-

ତୁମେକି ଦେଖିଛ

ମୋ ମୁଖ ହାସ୍ୟ ?

ଜୀବନେ ବରଣ କରିଛ କି ମୋର ପଥ ?

ମୁହିଁ ଏକ ପୀଠ,

ମୋର ପାଶେ କେବେ

ହୋଇଅଛି ସମବେତ ?

 

।। ଦୁଇ ।।

 

ସୁଂଦର-ଚିର-ମାନବତା ମୋର

ଦେଖିନ ଦେଖିନ ହୃଦହୀନ-ନର,

ଅନୁଭବିନ ମୋ ତପ୍ତ-ନିବିଡ଼-ମୈତ୍ରୀ,

ଦେଖିଛ ଚେହେରା ମୋ ଭୀଷଣତର

ଛବି ମୋ ଦେଖିଛ କକ୍ଷଚ୍ୟୁତର

ଦେଖିଛ କେବଳ

ଗୈରିକ ମୋର ଜୈତ୍ରୀ ।

 

ଦୀପତଳ ଦେଖି

‘ଦୀପ ଇତିହାସ’ ବସୁଅଛ ଲେଖି

ଉପରେ ପ୍ରଚୁର ଆଲୋକ-ବନ୍ୟା

ଏକଥା ମାଲୁମ୍‌ ନାହିଁ,

ଆଖିରେ ତୁମର

ନିଂଦାର ଜାଲି

ସେ ପାଇଁ ଦିଶେ ମୋ

ରୁକ୍ଷତା ଖାଲି

ମୋ’ ତଳେ କିଂତୁ ଅଂତଃସଲୀଳା-

ଫଲ୍‌ଗୁ ଚାଲିଛି ବହି । *

 

୨୨ ଜାନୁଆରୀ, ୧୯୬୪

 

* ଫେବୃଆରୀ, ୧୯୬୪ ‘‘ଦିଗଂତ’’ରେ ପ୍ରକାଶିତ ।

Image

 

ଷ୍ଟୋଭ୍‌

 

ମୋ ଶୀର୍ଷରେ

ତୁମେ ଅଗ୍ନି-ସଂଯୋଗ କରିଛ

କେତେବେଳୁ

ମୁଁ ତ ଜଳୁଛି !

ପ୍ରବଳ ଗର୍ଜନରେ

ଝଡ଼ର କବିତା ଆବୃତ୍ତି କରି କରି ।

ମୁଁ ସିଦ୍ଧ କରୁଛି ତୁମର ଖାଦ୍ୟ ପଦାର୍ଥକୁ,

ତା ଭିତରେ ଭରି ଦେଉଛି ସ୍ୱାଦ ।

 

ବାସ୍‌, ଆଉ ଅଧିକ ତୁମେ କ’ଣ ଆଶା କର ?

ମୁଁ ତ ଜଳୁଛି !

 

ଶୀର୍ଷରେ ମୋର

ଅଗ୍ନି-ସଂଯୋଗ କରିବା ପୂର୍ବରୁ

ମୋ ଭିତରେ ତୁମେ ଭରି ଦେଇଥିଲ

ମାତ୍ର ବୋତଲେ କିରୋସିନି

ଆଉ

ତାକୁ ଊର୍ଧ୍ୱକୁ ନିକ୍ଷେପ କରିବା ଲାଗି

ଦେଇଥିଲ କେତେଟା ଚୋସ୍ତ୍‌ ପମ୍‌ପ ।

ତାକୁହିଁ ପାଥେୟ କରି

ମୁଁ ତ ଜଳୁଛି !

 

ମୁଁ ଜଳୁଛି

ମୁଂଡ଼ରେ ମୋର

ରକ୍ତାଗ୍ନିର ଗର୍ଜମାନ୍‌ ଶିଖା ।

 

ଗୃହିଣୀ,

ତୁମ ସଂସାରର ଖାଦ୍ୟ ପଦାର୍ଥକୁ

ସିଦ୍ଧ ଆଉ ସୁ-ସ୍ୱାଦୁ କରିବାରେ

କ’ଣ ଯଥେଷ୍ଟ ନୁହେ ମୋର ଏଇ ଶିଖା ?

 

ଜନନୀର ହୃଦୟ

ବିଧାତାର ଆଦିଶିଳ୍ପ

ହେ ନାରି,

ପୌରୁଷର ବାମରେ ତୁମର ଆସନ ।

 

ନାରି,

ତୁମେ ଆଉ ତୁମର

ଏଇ କମନୀୟ ତେଲ-ଲୁଣର ସଂସାର,

ସୁଖ-ଦୁଃଖ ଆଉ ହସ-କାଂଦର ଜୀବନ ପ୍ରତି

ଗୋଟାଏ ନୀରବ-ଶ୍ରଦ୍ଧା

ଗୋଟାଏ ମୌନ-ଆକର୍ଷଣ ନେଇ

ଭଦ୍ର, ସୁ-ସଂଯତ ଭାବରେ

ମୁଁ ତ ଜଳୁଛି !

ପୁଣି ମୋତେ ଅଧିକ ଜଳାଇବାର ପ୍ରଚେଷ୍ଟା କାହିଁକି ?

 

ମୋ ଦେହ ଛୁଅଁ,

ଦେଖ,

କିପରି ଉତ୍ତପ୍ତ ମୋର ସର୍ବାଂଗ,

 

କି ଆଗ୍ନେୟ-ତୋଫାନ୍‌ର ତାଂଡ଼ବ

ମୋ ଅଂତରର କିରୋସିନି-ସମୁଦ୍ରରେ !

 

ମୋର ସମସ୍ତ ଦୃଢ଼ତାର ସଂହତି

ବର୍ତ୍ତମାନ ଫାଟି ପଡ଼ିବାକୁ ଚାହୁଛି ବାହାରେ,

ଚତୁର୍ଦି୍ଗରେ ।

 

ମୋର ଊର୍ଧ୍ୱ ଆଉ ନିମ୍ନ,

ବାହାର ଆଉ ଭିତର

ଭୀଷଣ ଉତ୍ତପ୍ତ ‘ବର୍ତ୍ତମାନ’ ।

ଅସଂଭବ ଧରଣର ସହ୍ୟଶକ୍ତି

ଏବଂ ଦୃଢ଼ତା

ସେ ପଥରେ ପ୍ରଧାନ ଅଂତରାୟ ଯାହା !

 

ନ-ଚେ-ତ୍‌......... *

 

୨-ଜାନୁଆରୀ ୧୯୬୪

 

* ‘ରବିବାସରୀୟ ପତ୍ର’ ରେ ପ୍ରକାଶିତ ।

Image

 

ବିଦ୍ରୋହୀ

 

ଶୀର୍ଣ-ତନୁର ଜୀର୍ଣ ଯେ ବାତାୟନ,

‘ଆଖି’ ନାମେ ଯାହା ହୁତୁହୁତୁ ଜଳେ ମଶାଣୀର ଚିତା ସମ,

ତାହାରି ଭିତର ଦେଇ,

ମୋ’ ଭିତରେ ଥିବା ସଂତ୍ରାସୀ-କବି ମାରେ ରକ୍ତର ହାଇ ।

 

ମୋର କବିତ୍ୱ, ମୁହିଁ, ଆମ ପରିଚୟ-

ଅ-ମାନବତାର ମହା-ଆତଂକ, ଆମେ ଦୁହେଁ ମହାଭୟ ।

ଆମେ ଦୁହେଁ ସମଧର୍ମୀ,

ସିଏ ଯେବେ ହୁଏ ଝଂଜା-କୁମାର, ମୁହିଁତ ଅଗ୍ନି ଶର୍ମା !

 

ଅତି ନୀତିବାନ୍‌-ଗବେଷକ ଏକ ଏଇ କବିତ୍ୱ ମୋର

ଅନୀତିର ଏଇ ଦୁନିଆ ଛାତିରେ ମୁଁ ତା ଗବେଷଣାଗାର ।

ଚେତନା-ସୌଧ, ଚଳମାନ୍‌-ଇମାରତ,

ମୁ-ଉଁ ସେହି କବି, ଲାଭାର ଆଧାର, ଆଗ୍ନେୟ ପର୍ବତ ।

 

ଅତି ଜଣାଶୁଣା ଯେଉଁ ଭଂଡ଼ାମି

ଅତି ପରିଚିତ ମାୟା,

ଆସି ଦିବା-ନିଶି ମାନବ ଜୀବନେ

ପଡ଼ୁଛି ଯାହାର ଛାୟା,

କଳା-କଳୁଷିତ-ପକ୍ଷ ଉହାଡ଼ୁ

ଯା’ର ଅଶ୍ଳୀଳ ରୂପ-

ଦେଖିଛି ମୋ ଆଖି ଗୋପନେ ଗଠିତ

ସତ୍ୟ-ଶିବର ଯୂପ ।

ବହୁ ଜୀବନର ବୁନିଆଦି ନିଜ-

‘ବୁନିଆଦି’ ତଳେ ମାଡ଼ି,

ନିଜ ‘ଉତ୍‌ଥାନ’ ପଥେ ପଥେ କରି

ଅନ୍ୟ ଜୀବନ ସିଡ଼ି ।

 

ନିଜ ଲାଭ ପାଇଁ କରି ଅନ୍ୟର କ୍ଷତି,

ଅନ୍ୟର ଘୋର ଅବନତି ପରେ

ଆପଣାର ଉନ୍ନତି ।

ଯେ କରିଛି ଠିଆ ପୀଡ଼ନ-ମୀନାର

ଦୁଃଶାସନର କୁତ୍‌ତା,

ନରହତ୍ୟାର ‘ଗସ୍ତ’ ପାଇଁକି

ଆଜି ଯେ ନେଉଛି ଭତ୍‌ତା,

ସମାଜ-ରୀତିର ଏଇ ଭୀମକାୟ

ମୂକ-ମର୍ମର ମୂର୍ତ୍ତି

ଯେ’କି ପଶୁତାର ମହା-ସାଫଲ୍ୟ

ଉତ୍‌ପୀଡ଼ନର କୀର୍ତ୍ତି;

ପଦେ ପଦେ ତାକୁ ଅପମାନ ଦେବା ଲାଗି,

ବିଗତ-ରାତିର ଶେଷଯାଏଁ ଜାଗି ଜାଗି,

ଆଖିର ଆକାଶେ ଘୋଟିଆସେ ଯେବେ

ତଂଦ୍ରାର ଘନଛାଇ,

ଢଳିପଡ଼େ ତନୁ ସାଧିନା-ବେଦୀରେ

ରଚନା-କ୍ଳାଂତ ହୋଇ ।

 

।। ଦୁଇ ।।

 

ଦିନ ଆଠଟାରେ ତଂଦ୍ରା ତୁଟେ ମୋ ଶିଶୁପୁତ୍ରର ଡାକେ

ଅବସନ୍ନତା, କ୍ଳାଂତି-ଜଡ଼ିତ ଦେହ-ତରୁ ଶାଖେ ଶାଖେ ।

ପ୍ରଭାତ ପଖୀର ସମ,

ନାଚି ନାଚି ତା’ର କୂଜନ ଶୁଣାଏଁ ଏ ଶିଶୁପୁତ୍ର ମମ ।

ହାଇର ତୋଫାନ୍‌ ଉଠାଇ ଶଯ୍ୟାପରେ,

ଶିଶୁ-ଭୋଳାନାଥ କଅଁଳ-ଗାଲରେ ଚୁମାଟିଏ ଦେଲା ପରେ,

‘‘ଉଠିଲେଣି ବାବା’’ । କୁରୁଳି ଉଠେ ମୋ ଦୁରତଂ-ଶିଶୁପ୍ରାଣ

ଛୁଟି, ଜନନୀରେ ସଂବାଦ ଦେଇ ଆସଇ ମୋ ପାଶେ ପୁନଃ ।

ଯଦିଓ ଦୃଷ୍ଟି-ଅସ୍ତାଚଳେ ମୋ ବୁଡ଼େ ମାନବତା-ରବି;

ତଥାପି ମୋ ଶିଶୁ-ଲପନେ ଦେଖେଁ ମୁଁ ନୂଆ-ମଣିଷର ଛବି ।

ଅ-ଶିବ-ମୁଲକେ ମୋ ଶିଶୁ-ଶିବର କମନୀୟ ରୂପ-ଶିରୀ-

ଦେଖି, ଏ ଦୁନିଆ ପାଇଁ ମନ ମୋର କରୁଣାରେ ଉଠେ ଭରି ।

ସିଂହ-ଶାବକ ମୋର,

ସତେ ଅବା ଆସି କହେ ହସିହସି: ‘‘କ୍ଷମାକର, କ୍ଷମାକର-

ପୃଥିବୀର ଏଇ ସାମାଜିକତାକୁ, ବାବା !

ଯେଉଁ ପୃଥିବୀର ସ୍ୱପ୍ନ ଦେଖିଛ ମୁହିଁ ତ ତାହାରି ଶୋଭା ।

ହୃଦୟେ ତୁମର ବିଦ୍ଧ ହୋଇଛି ଯେତେ ଭାଗ୍ୟର ଗୁଳି,

ମହା-ପିପାସାର ଝଂଜା ନାଚିଛି ଥରାଇ କଂଠ ନଳି ।

ତୁମରି ଯାତ୍ରାପଥେ-

ମୁଂଡ଼ ଟେକିଛି ପ୍ରତିବଂଧକ, ବ୍ୟଥା ଓ ବେଦନା ଯେତେ,

ଚୁଲୀକୁ ଯାଉ ତା, ଭୁଲିଯାଅ ସବୁ, ଡାକିଲେଣି ତେଣେ ମାଆ...

ଉଠିଆସ ବାବା, ଥଂଡ଼ା ହେଲାଣି ଚାଆ !’’

 

।। ତିନି ।।

 

ଅବନତି-ଶିରେ ଦୀର୍ଘଶ୍ୱାସରୁ

ମେଂଚାଏ ଦେଇ ଛାଡ଼ି,

ମୁହଁ-ହାତ ଧୋଇ ଗରମ୍‌ ଚାଆରୁ-

କପ୍‌ଟିଏ ପିଇ ସାରି,

ସମାପନ କରେ ନିତ୍ୟକର୍ମ ଶୀଘ୍ର,

ଘରଭଡ଼ା ବାକି, ପକେଟ୍‌ ଶୂନ୍ୟ

ମନ ହୋଇ ଉଠେ ବ୍ୟଗ୍ର ।

 

ନାହିଁ ନିୟମିତ ଆୟର ପଂଥା, ଅର୍ଥ ଆସିବ କାହୁଁ ?

ମନ-ଚଂଦ୍ରକୁ ଗ୍ରାସକରେ ଆସି ଏଇ ଚିଂତାର ରାହୁ ।

ଦାରିଦ୍ର୍ୟ ମୋର ପ୍ରବାସ-କୁଟୀର, ଛୋଟ-ପରିବାର ହସେ ।

କ୍ଷିପ୍ର-ମନରେ ଲାଗେ ଆଲୋକର ବେଗ,

ସାରା ସହର ମୁଁ ଘୁରିବୁଲେ ଯଥା ରକେଟ୍‌ ଅଗ୍ରଭାଗ !

 

।। ଚାରି ।।

 

ବହି-ବଜାରରେ ଗତି କଲାବେଳେ ଆଖିଆଗେ ଉଠେ ଭାସି,

ସ୍ୱଚରିତ ମୋର ଗ୍ରଂଥ-କିତାବ୍‌, ଯା ପାଇଁ ମୁଁ ପଥବାସୀ !

ଯାହାକୁ ଜନ୍ମ ଦେବାପାଇଁ ଜଳିଜଳି,

ସିଗାରେଟ୍‌-ଧୂଆଁ, ତତଲା-ଚାଆରେ କଲିଜାକୁ ଦେଲି ଜାଳି ।

ପ୍ରକାଶକ-ଧନଭଂଡ଼ାର ହାୟ ସେ ଆଜି ଭରୁଛି ଧନେ !

ଆଖିଆଗେ ତାର ଅପମାନିତ ମୁଁ ଦାରିଦ୍ର୍ୟ-ଅପମାନେ ।

ମୋଅରି ରଚନା ନିର୍ଲ୍ଲଜ ଭାବେ ମୋତେ ବିଦ୍ରୂପ କରେ,

କ୍ରୋଧରେ ସବୁଜ ହୋଇ ଅଂତର, ଭ୍ରୂଣସମ ହୃଦ ଥରେ ।

ମୋର କବିତ୍ୱ, ପ୍ରତିଭା ପାଇଁକି ମୁଁ ଏଠି ପାରୁନି ବଂଚି,

ବାଣୀ-ଆରାଧନା-ପଥେ ପଥେ ମୋର ଅପମାନ ଦିଏ ବିଂଚି ।

 

ହୃଦୟର ତାପମାନ-ଯଂନ୍ତ୍ରରେ

ଚରମକୁ ଉଠେ ତାପ

ମୋର ପ୍ରତିଭାକୁ ମୁଉଁ ଦିଏ ନିତି

ଧ୍ୱଂସର ଅଭିଶାପ ।

ନିଜର ଗ୍ରଂଥ-କିତାବ୍‌ ମଲାଟେ

ପଡ଼ିଗଲେ ଥରେ ଆଖି

ମନର ଇଶାଣେ ଜାଗିଉଠେ ଝଡ଼,

ଭୀମ କାଳ-ବଇଶାଖୀ ।

ଦେଖି ଦେଲେ ନିଜ ବହି,

ନଖ-ଦଂତର ଦୟା ଜାଗିଉଠେ ନୀରବେ ତାହାରି ପାଇଁ ।

 

ଇଚ୍ଛାହୁଏ ମୋ ଛିନ୍ନ କରିବି

ଆପଣା ଗ୍ରଂଥ-କିତାବ୍‌ର ପ୍ରତି ପୃଷ୍ଠା,

କଳୁଷିତ କରି

ବାଣୀର ଦେଉଳ

ଆରତୀର ଦୀପୁଁ

ନିଗାଡ଼ି ତଇଳ

ଫିଂଗିବି ନେଇ ବିଷ୍ଠା ।

ସାରସ୍ୱତର ଜଗତେ ଆଣିବ

ବହଳ-ଅଂଧକାର,

ବିଷ-ବାଷ୍‌ପର ଧୂପଦାନୀ ଧରି

ଏସିଡ଼୍‌-ଗଂଧକର-

ଧୂଆଁରେ ଭରିବି ଭାରତୀର ପୀଠ

ମୁଁ ଅପମାନିତ-ସ୍ରଷ୍ଟା,

ସର୍ବନାଶର ଝଂଡ଼ା ଧରିବି

ଧ୍ୱଂସର ଦିଗଦ୍ରଷ୍ଟା ।

ମାଟିର ପାରିଧି ସାରି,

ପ୍ରଳୟ-ପାଗଳ-ବାରିଧି ଫେରିବି ଛାଡ଼ିଦେଇ କିଛି ବାରି ।

ଲବଣାକ୍ତ ମୋ ହୃଦୟ, ଅତଳ-ତଳେ-

ପଚି ଯାଉ ଯେତେ ସୂର୍ଯ-ଉଦୟ ସଂଜର କୋଳାହଳେ ।

ଫାଲ୍‌ଗୁନ-ବନ-

ମଂଦ-ପବନ

ଦେହୁଁ,

ଦୁଃସହ-ଆତ-

ତାୟୀ ସମ ତାର

ଛାତିର ବାସ୍ନା-

ଲହୁ-

ଚାଖିବା ପାଇଁକି ଅଂତରେ ମମ

ଜାଗେ ଯେ ରକ୍ତପାୟୀ,

ଉଗ୍ର ସେ ଅତି

ବ୍ୟଗ୍ର-ତୋଫାନ୍‌

ବ୍ୟାଘ୍ର-କେତନବାହୀ ।

 

।। ପାଂଚ ।।

 

ମୁ-ଉଁ ଚାହିଥିଲି ନୂତନ-ବିଶ୍ୱ, ନୂଆ-ଆକାଶର ଛାତି,

ଅଭିନବ ଏକ ସୌର-ସୋପାନ, ତରୁଣ-ଅଂଶୁପତି ।

ବଂକିମ ପୁଣି ସ୍ନିଗ୍‌ଧ ପୂନିଅଁ-ଚାଂଦ,

ନିର୍ମଳ ଭରା କାକ-ଜ୍ୟୋତ୍ସ୍ନାରେ ପ୍ରୀତି-କବିତାର ଛଂଦ ।

ନବ-ଜୀବନର କାଂତି ମୁଁ ଥିଲି ଚାହିଁ,

ସୁଂଦରୁ ପୁଣି ସୁଂଦରତର କରିବାକୁ ଏଇ ମହୀ ।

 

ମୁଁ ଆସିନଥିଲି ଭାତମୁଠେ ପାଇଁ

କରିବାକୁ ଏଠି ଯୁଦ୍ଧ,

ଲାଂଚ-ମିଛ ଓ ଜାଲ୍‌-ଜୁଆଚୋରୀ-

ତୀରେ ହୋଇବାକୁ ବିଦ୍ଧ ।

ମୁଁ ଆସି ନଥିଲି ଏଥେ,

ଯାଯାବର-ଶ୍ୱାନ ସମ ଘୂରିବାକୁ ଏଇ ଏ ଭୂଲୋକ ପଥେ ।

 

।। ଛଅ ।।

 

ଜୀବନର ସବୁ ସ୍ୱପ୍ନ ଯେବେ ମୋ

ଜାଗ୍ରତେ ଗଲା ଜଳି,

ଦୁର୍ଘଟଣାରେ ଅଗ୍ରଗତିର

ଯାନ ମୋ ପଡ଼ିଲା ଟଳି,

ବିପର୍ଯୟର ଖାଲେ,

ପଡ଼ୁ ଏ ଦୁନିଆ ରହିଥିବ କିଆଁ ?

ପ୍ରଳୟର ହାହାକାରେ ।

 

ପୋଡ଼ି ତ ଯାଇଛି ଶିବ-ସୁଂଦର-ଯୀଶୁ,

ତାର ଜୀବନର ପୋଡ଼ା-ପାଉଁଶରୁ ଜନ୍ମୁ ମରଣ-ଶିଶୁ ।

ବାଜି ଉଠେ ମୋର କଂଠି-କିନାରେ

ସେ ଶିଶୁର ବଂଦନା

ଅଂତରେ ମୋର ଝଂକାରି ଉଠେ

ତରଳ-ଲୁହାର ବୀଣା ।

 

ଚଂଦ୍ରରେ ଯେବେ ନାହିଁ ଅମୃତ

ସୂର୍ଯଠିଁ ନାହିଁ ବୀର୍ଯ,

ନୀଳାକାଶ ତଳେ ନାହିଁ ଯେବେ ଆଉ

ତାରକାର କାରୁକାର୍ଯ,

ତେବେ, ଦୁର୍‌ବଳ-ମହାଶୂନ୍ୟରେ

ମୃତ-ଶଶୀ-ଦିବାକର-

ଝୁଲୁଥିବ କିଆଁ ? ଅଛି କି ଯୁକ୍ତି ?

ଅଛି କେଉଁ ଅଧିକାର ???

ଏଇ ପ୍ରଶ୍ନର ତୀବ୍ର-ଚାବୁକ୍‌ ହାତେ-

ଧରି ମୁଁ ଚାଲିଛି ରୁଗ୍‌ଣା, ପତିତା-

ଧରଣୀର ପଥେ ପଥେ ।

 

ଭଲ୍ଲୁକ ସମ ଆକାଶେ ଛାତିରୁ ମେଘର ଚମଡ଼ା ଚାଟି,

ଛାୟାପଥ-ତୀରେ ଦିନେ ମୁଁ ଧରିବି ଜଗତ୍‌ପିତାର ଚୁଟି ।

ସେହିଠାରେ ମୋର ଅଭିଯାନ ହେବ ଶେଷ,

ତା’ପରେ ନୂତନ ସ୍ରଷ୍ଟା କେ ତୁମେ ଆସୁଅଛ ଆସ, ଆସ ! *

 

୨୭ ଅକ୍‌ଟୋବର, ୧୯୬୩

 

* କଟକ ବେତାର କେଂଦ୍ରରୁ ପ୍ରଚାରିତ ହେବା ପରେ ପରିବର୍ଜିତ ଓ ପରିବର୍ଧିତ ହୋଇଅଛି ।

Image

 

ଆମଂତ୍ରଣ

 

କବିତ୍ୱର ଶିରସ୍ତ୍ରାଣ, ବିବେକର ଏଇ ଯେଉଁ ତୀକ୍ଷ୍‌ଣ-ତଲୁଆର୍‌

ମାନବତା, ଶାଳୀନତା, ଭଲ-ମଂଦ, ଆଚାର-ବିଚାର,

ଦୟା, କ୍ଷମା, ସୌଂଦର୍ଯର ଜ୍ଞାନ-

ଇତ୍ୟାଦି ଇତ୍ୟାଦି ଯାହା, ପ୍ରତିଭା ଗୋ, ସବୁ ତୁମ ଦାନ !

ସବୁ ସଖି, ତୁମ ଉପହାର,

ଯାହାପାଇଁ ଅଂତର ମୋ ସୂର୍ଯସମ ମହାନ୍‌, ଉଦାର ।

ଯାହାଟା ନଥିଲେ;

ମାନବତା ଠାରୁ ମୁହିଁ ଥାଂତି ବହୁଦୂରେ ।

ନଥାଂତା ଆପତ୍ତି,

ନୀରବରେ ସହୁଥାଂତି ସମାଜର ସମସ୍ତ ବିପତ୍ତି ।

 

କାହିଁ କେଉଁ ପଥଧାରେ

ନିର୍ବିକାରେ ଚାଟୁଥାଂତି ଜିଭ,

ଯେଉଁପରି ସାରମେୟ ଅଥବା ବୃଷଭ ।

କିଏ ଆସି ଅକାରଣେ

କରୁଥାଂତା ନିସ୍‌ତୁକ-ପ୍ରହାର,

କିଏ ଡାକି ଦେଉଥାଂତା

ପରିତ୍ୟକ୍ତ, ଉଚ୍ଚିଷ୍ଟ-ଆହାର !

ହେଉଥାଂତା ତାହା ମୋ କୈବଲ୍ୟ,

ଏ ପବିତ୍ର-ଜୀବନର ବୋଧ ଆଉ ମୂଲ୍ୟ,

ମାନବର ସୌଜନ୍ୟଟା, କୌଳିନ୍ୟ ସୃଷ୍ଟିର

ଚେତନା-ଅତୀତ ଥାଂତା, ଥାଂତା ମୋର ସବୁ ଅଗୋଚର ।

ମାନବତା-ଦେବାଳୟ ଏଇ ମୋର ଦେହେ-

ବାସ କରୁଥାଂତା ଆସି ଆତତାୟୀ,

ଦୁଷ୍ଟବୁଦ୍ଧି-ପିଶାଚ ଗୋ, ପ୍ରିୟେ !

ଯାହାର ଇଂଗିତ,

କଂଠେ ମୋର ଭରିଥାଂତା ଦୁର୍‌ନୀତିର ଘୃଣିତ-ସଂଗୀତ ।

ନୈତିକତା-ଶାଂତିଭଂଗକାରୀ,

ପରିଣାମ, ପରିଣତି ସବୁକୁ ପାଶୋରି-

ହୋଇଥାଂତି ଦୁଃଶାସନ,

ନତୁବା ଶାସକ,

ଜୀବନ ଓ ନୀତିର ନାଶକ ।

ସ୍ଫୁଲିଂଗ-କପୋତ

ସୌଂଦର୍ଯର ଅପମାନେ

ଦିବାରାତ୍ରି ଜଳି ଉଲ୍‌କାବତ୍‌,

ନେଉ ତ ନଥାଂତି ଜମା

ସୌଂଦର୍ଯର ସପକ୍ଷେ ଶପଥ ।

ଜନନୀର ସମ,

ଭୁଲି ନିଜ ଆହାର-ବିଶ୍ରାମ,

ସତ୍ୟ-ଶିବ-ଶଯ୍ୟାପାଶେ ବିନିଦ୍ର-ଶର୍ବରୀ-

କଟାଉ ନଥାଂତି ସଖି, ସାଜି ତା’ର ସତର୍କ-ପ୍ରହରୀ !

ସୂର୍ଯ-ବୈମାନିକ,

ବିମାନରୁ ଦିନସାରା ବିତରି ଆଲୋକ,

ଆକାଶର ଏ ପ୍ରାଂତରୁ ଅନ୍ୟ ପ୍ରାଂତ ଯାକେ,

ନୀରବେ, ନର୍‌ବାକେ,

 

ଜନ୍‌ମମାଟି

ପୂର୍ବର ବିମାନଘାଟି

କରି ନିତି ତ୍ୟକ୍ତ-ଉପତ୍ୟକା,

ପଶ୍ଚିମର ଏରୋଡ଼୍ରମୁ ଶୁଣି ନିଜ ଅସ୍ତ-ସ୍ୱାଗତିକା

ହେଉ ତ ନଥାଂତି କ୍ଷୁବ୍‌ଧ, ନିତି ଲାଲେଲାଲ୍‌,

ପୁନର୍ଜନ୍‌ମ-ଶପଥେ ମାତାଲ୍‌ ।

ଭାଂଗିବାକୁ ରାତିର ତୋରଣ,

ପୂର୍ବାଶାର ରକ୍ତକୋଷୁଁ

ନିତି ଜନମ୍‌ ଲଭେ ଯେଉଁ

ମାର୍ତ୍ତଂଡ଼ର ଭ୍ରୂଣ,

ମୁଁ-ଉଁ ସେଇ ଅ-ମଳିନ-ଔଜ୍ଜଲ୍ୟର କବି,

ରକ୍ତକେଶୀ-ପ୍ରଭାତର ମୁଁ ବି ଏକ ଦୁରତଂ-ଭୈରବୀ ।

 

ଏ ସବୁର ମୂଳେ ତୁମେ

ପ୍ରତିଭା ଗୋ, ମୋ ବିଶାଳ-ସୃଷ୍ଟିର ଜନନୀ,

ସହଜାତ-ସହଚରୀ ତୁମେ ମୋର

ଆମେ ଦୁହେଁ ଅବିଚ୍ଛିନ୍ନ, ବେନି ।

 

ସବୁ ସତ୍ୱେ ସଖି !

ପବିତ୍ରତା, ଦାଂଭୀକତା, ଆଜି ଆଉ ପାରୁନାହିଁ ରଖି ।

ମଣିଷର ଶୋକ,

ଚତୁର୍ଦିଗେ ଶୁଣିଶୁଣି ଚର୍‌ଚା-ପାଶବିକ

ଏକଦା ଅଂତର ମୋର ଉଠିଥିଲା ଜଳି

ଆବର୍ଜିତ-ସମାଜର ସରୁ-ଅଂଧ ଗଳି-

କରିଥିଲି ଆବିଷ୍କାର

ରଚିବାକୁ ସାଧନାର ବେଦୀ,

ଦୁର୍ଦିନର ଆବରଣ ଛେଦି ।

 

ଯାହାପାଇଁ ଏଇ ତ୍ୟାଗ

ଜୀବନର କଠୋର-ସାଧନା,

ଦେଖୁଛି, ସେ ଜଡ଼, ସ୍ଥାଣୁ

ପ୍ରାତ୍ୟହିକ-ସଂସାରର ଘଣା-

ତାଡ଼ନାରେ ପଶୁଠୁଁ ଅଧମ,

ଦେଖି ଦେଖି ଅବଶେଷେ

ଅକସ୍ମାତ୍‌ ଭାଂଗିଛି ମୋ ଭ୍ରମ ।

 

ଜୀବନକୁ ପୂଜି ପୂଜି କୂଜା ମୋର ପିଠି,

କେତେ ଧୂପକାଠି-

ଜଳି ଜଳି ହେଲାଣି ପାଉଁଶ,

ସୃଷ୍ଟି ପାପ-ଅଭିଶାପେ ନାହିଁ ଆଉ

ହାଡ଼ରେ ମାଉଁସ ।

 

ମାଜି ମାଜି ଅର୍ଘଥାଳି

ବଳି ବଳି ଦୀପର ସଳିତା,

ଲଳିତ-ଜଘନ ତୁମ

ସଜନି ରେ, ହୋଇଲାଣି ବ୍ୟଥା !

ତେବେ ବି ରେ ଧରା-

ପଡ଼ୁନାହିଁ ଜୀବନର କୌଣସି କିନାରା !

 

ଏ ଅଶ୍ଳୀଳ, ଏ ଲଂପଟ-ସମାଜର କଳାଛାଇ ତଳେ

ତୁମେ ପ୍ରିୟା କାଂଦି ବୁଲ,

କାଂଦେ ମୁହିଁ ମଣିଷର ତପ୍ତଲୁହ ଧାରେ ।

କାଂଦିଉଠେ ଆଦିମାତା-ଧରିତ୍ରୀର ନୀରବ-ଯାତନା

ଇଶାଣର ସିଂହଦ୍ୱାରେ

ଚୋଟମାରି କ୍ଳାଂତ ମୋର ଫଣା ।

ତଥାପି ରେ ଝଡ଼ର ସୂଚନା-

ମିଳିଲାନି ବିପ୍ଳବର ନିର୍ଦିଷ୍ଟ-ଠିକଣା ।

 

କେଉଁଠାରେ ଯାଇଅଛି ହଜି,

ସଂଯମର ସାଂଜୁ ମୋର

ପାଉନାହିଁ ଖୋଜି ।

 

ଆସ, ତେଣୁ ଗାଇବା ଗୋ ବିଚ୍ଛେଦର ଗାନ,

ମଣିଷର କଂଠସ୍ୱର ନାହିଁ ଏଠି

ଅଛି ଖାଲି ପଶୁର ଆହ୍ୱାନ ।

ତୁମକୁ ବିଦାୟ ଦେଇ ଯିବି ମୁହିଁ

ଜ୍ୱଳମାନ୍‌ ପଶ୍ଚିମର ଦ୍ୱାରେ

ଅନିର୍ଦିଷ୍ଟ କାଳର ପ୍ରହାରେ

ଖସିବି ମୁଁ ଶ୍ୟେନଗତି ନେଇ,

କିଛି ଚିଂତାନାହିଁ ।

 

ଚିଂତା ନାହିଁ କିଛି,

ଆମରି ସାଧନା ଯାହା

ଜୀବନରେ ଯେ ଛବି ଆଂକିଛି,

ନିଜ ଭାଗ୍ୟବଳେ ଯେବେ

ହୋଇପାରେ ସେ ନିଜେ ଅମର-

ହେଉ ତେବେ । ତାହା ମହାସୌଭାଗ୍ୟ ଆମର ।

 

ଆଶା ତ ଯାଇଛି ମରି, ଭାଷା ଯାଉ, ଯାଅ ତୁମେ

ହୁଏ ମୁହିଁ ନିର୍‌ବାକ ଓ ମୂକ,

ମାନବତା-ମୂଲ୍ୟବୋଧ-ଅଭାବର ଦୁଖ

ରହୁ ଆଜି ଉପଲବ୍‌ଧିଠାରୁ ବହୁ ଦୂରେ,

ହେ ପ୍ରତିଭା, ହରାଇ ତୁମରେ !

ହିଂସ୍ର-ପଶୁ-ସଂଗଠନେ

ଯାଏ ଥରେ, ଯାଏ ମୁହିଁ ମିଶି

ଘୂରିବୁଲେ କିଛି ଦିବା-ନିଶି

ଜାନୁଆର୍‌ ମେଳେ,

ଧାଏଁ ଦେଖି କିଛିଦିନ

ପଶୁତାର ଘନତ୍ୱ ଓ ଆୟତନ ତଳେ ।

 

ଉଠ ଉଠ ପ୍ରିୟତମା

ଡାକେ ଅମା

ଗାଢ଼ ହୁଏ ଧୀରେ ଧୀରେ

ପାଶବ-ପ୍ରହର,

ଏଇ ଶୁଣ, ହାତଠାରି ଡାକେ ମୋତେ

ଦୁନିଆର ଯେତେ ଜାନୁଆର !*

 

୨୯ ଜାନୁଆରୀ, ୧୯୬୪

 

* ୧୯୬୪ ମଇମାସର ‘ଝଂକାର’ରେ ପ୍ରକାଶିତ

Image

 

ପଳାୟନ

 

କର୍‌ପୂର ନାହିଁ

ପଡ଼ି ତ ରହିଛି କନା

ଝଂକାର ନାହିଁ

ପଡ଼ି ତ ରହିଛି ବୀଣା !

ମଣିଷ ଥିଲେ ବି

ମାନବତା ନାହିଁ ନାହିଁ,

ପଡ଼ିଅଛି ନାବ

ନାଉରିଆ ଗଲା କାହିଁ ?

ହସ ନାହିଁ ଆଜି

ଥିଲେ ବି ଓଷ୍ଠାଧର,

ସଂଗୀତ ଛାଡ଼ି

ପଳାଇଛି କାହିଁ ସୁର !

ବୁଦ୍ଧି ତ ନାହିଁ

ଥିଲେ ବି ଅନେକ ମଥା,

ହୃଦୟ ଥାଇ ବି

ନାହିଁ ନାହିଁ ହୃଦ୍ୟତା !

କବିତାକୁ ଛାଡ଼ି

ପଳାଇଛି ଦୂରେ ଛଂଦ,

ଧମନୀକୁ ଛାଡ଼ି

ପଳାଇଛ ପ୍ରାଣ-ସ୍ପଂଦ ।

ଗଂଧ ତ ନାହିଁ

ଫୁଲର ମରମ-ପଥେ,

ଏ’କି ପଳାୟନ

ଚଉଦିଗେ ନାନାମତେ ?

 

୨୨ ଜାନୁଆରୀ, ୧୯୬୪

Image

 

ଧୂମକେତୁ

 

ମାନବ ଭିତରୁ ମାନବିକତାଟା ଭିନ୍ନ,

ସେଥିପାଇଁ ଆଜି ମୁଁ ଏକ ମସ୍ତ-

ନାସ୍ତିବାଚକ ଚିହ୍ନ ।

ଜଗତ୍‌ପିତାର ଅଂଶଧର ମୁଁ

ନୈତିକତାର ମୂର୍ତି

ଭାବିଥିଲି ଦିନେ, ଭାବିଥିଲି ହେବି

ମାନବ-ସମାଜେ ଭର୍ତି ।

ଭେଟିବି ପଥରେ କେତେ ସହୋଦର, ବଂଧୁ,

କେତେ ଅନାବିଳ ଶୀତ-ସକାଳର

ସ୍ୱଚ୍ଛ-ଶିଶିରବିଂଦୁ !

ମୈତ୍ରୀ-କିନାରେ ମାନବିକତାର

ମୀନାର ମାଳକୁ ମାଳ-

ଦେଖି ଦେଖି ଯିବି, ଚାଖି ଚାଖି ମଧୁ

କୁସୁମିତ ଶତଦଳ ।

ଭାରତୀ-ପୀଠରେ ଆରତୀର ଦୀପ

ସଜାଡ଼ି ଡାକିବି : ‘‘ଦେବି !

ଆଶାଦିଅ, ଦିଅ ଭାଷାର ବନ୍ୟା,

କବିତା ଲେଖେଁ ମୁଁ କବି !’’

ଅତୀତର ଏଇ ସୁନେଲୀ-ସ୍ୱପ୍ନ

ସବୁ ଏକ ଫୁତ୍‌କାରେ,

ଧ୍ୱଂସ ପାଇଛି, ଅଗ୍ନି ଗିରିର

ଆଗ୍ନେୟ-ଘୁତ୍‌କାରେ ।

ଚାଲିଛି ଆଜି ମୁଁ

ଯେଉଁ ସମାଜର ବାଟେ,

ମୋର ସ୍ୱପ୍ନର ସମାଜ ନୁହେ ଏ

ପଶୁ ଏଠି ଜିଭ ଚାଟେ ।

ନିଇତି ସକାଳୁ ଆଖିରେ ପଡ଼େ ମୋ

ଯେଉଁ ଜନ-ପଟୁଆର,

ତା’ ଭିତରୁ ଜଣେ ହେଲେ ବି ମଣିଷ

ଦେଖେ ନାହିଁ ଆଖି ମୋର !

ମନେ ହୁଏ, ଯଥା ଗଂଧମୂଷିକ

ଅତି ହୀନ କ୍ଷୀଣଜୀବୀ,

ଇଚ୍ଛାଅଂଧ, ତୋଷାମୋଦ୍‌କାରୀ

ଦୁର୍‌ନୀତି-ପଦସେବୀ ।

ଏଇ ଏ ମାଟିର ଯଂତ୍ରଣାକର

ଅଶାଂତିମୟ ପଥେ

କ୍ରାଂତିର ମହା କେତନ ଉଡ଼ାଇ

ଆପଣା ରକ୍ତ-ରଥେ ।

ଅଂତୁଡ଼ିଶାଳୁଁ ଶମଶାନ ଯାଏଁ

ଏଯେ ମୋର ଅଭିଯାନ,

ତାହାରି ଭିତରେ ଏତେ ଲାଂଛନା,

ଏତେ ଥିଲା ଅପମାନ !

ଜାଣି ତ ନଥିଲି ଜମା,

ଦର୍ଶନ ନାହିଁ ପୂର୍ଣଛେଦର

ଖାଲି ମାଳମାଳ କମା !

ମୋର ଗତିପଥ ଉଭୟପାର୍ଶ୍ୱେ

ମଦଭାଟି ମାଳମାଳ,

ନାହିଁ ସଂଗୀତ, ଅଶ୍ଳୀଳତାର

ଇଂଗିତ, କୋଳାହଳ ।

ଲୋଫାର୍‌, ବଜାରୀ, ଗୁଂଡ଼ା ଯେତେକ

ଧୋତୀ-ପଂଜାବୀ ବେଶେ,

ସମାଜ-ଶୀର୍ଷ-ଆସନେ ଆସୀନ

ଲୋଟୁଛି ବେଦମ୍‌-ହସେ ।

ଗର୍ଜନ କରେ ଦୁର୍‌ନୀତି-ପାରାବାର,

ସେହି ପାରାବାରେ କାଂଡ଼ାରୀ ମୁହିଁ

ମୋର ନୀତି-ନଉକାର ।

ଜାଣେ ଚୂନାହୁଏ, ହେବ ମୋ ନିମ୍ନେ

ଫେନଚୂଡ଼ କେତେ ଢେଉ,

ଏକଥା ବି ଜାଣେ, ଲୀନ ମୁଁ ହୋଇବି

ତରୀ ମୋର ବାହୁ ବାହୁ ।

ଜଳଜଂତୁର ପୁଚ୍ଛ-ପ୍ରହାରେ

ବିକ୍ଷତ ହେବି, ହୁଏ,

କୃଷ୍ଣମେଘର ପାଲ ଟେକି ଆଗେ-

ତଥାପି ମୋ ନାବ ଧାଏଁ ।

ଏ’କି ନୁହେ ବିଦ୍ରୋହ ?

ମୁଁ କି ନୁହେ ତାର ସ୍ରଷ୍ଟା, ଶିଳ୍ପୀ,

ଜଗତ୍‌ମାତାର ଲୁହ ??

ଯେ ପୋଡ଼ାମାଟିରେ ଜନମ୍‌ ମୋହର

ମାନବର ଅଭିମାନେ,

ଯେଉଁଠି ହୃଦ ମୋ ଝଂକୃତ ହାୟ

ବେଦନାର ବୀଣା ତାନେ !

କପାଳରେ ଯହିଁ କୁଂଚନରେଖା

ସଦା-ସର୍‌ବଦା ଫୁଟେ,

ତମାଖୁର ଘନ-ନେଳିଚା-ଧୂଆଁରେ

କବିତା-ଖୋରାକ୍‌ ଯୁଟେ ।

ଭାବିଦେଲେ ଥରେ କର୍ଣ-କୁହରେ

ହତାଶାର କରତାଳି,-

ବାଜିବାଜି ଉଠେ, ସାରା ଅଂତର

ଦପ୍‌ କରି ଉଠେ ଜଳି ।

ଚାହିଁ ଦେଲେ ଥରେ ମୋ ଜାତିର ରାଜପଥେ

ମନେ ହୁଏ, ଯଥା ଘୋଟକର ଦଳ

ଦୁଃଶାସନର ରଥେ !

ଅତ୍ୟାଚାରୀର ଅନୁକଂପାର

ପଦଲେହୀ କ୍ରୀତଦାସ,

ମିଳିଗଲେ ମୁଠେ ଅଧରେ ଅଧରେ

ମହା-କୃତ୍ରିମ-ହସ-

ଫୁଟିଉଠେ ନିତି ଚାବୁକ୍‌-ପ୍ରହାରେ, ହାୟ !

କା’ର ଅଭିଶାପେ ଏ ସାରା ଜାତିଟା

ଚେତନାର ମରୁମୟ ?

ଜାଗ୍ରତ-ଭଗବାନ ମଂଦିର

ଯେଉଁ ମଣିଷର ଦେହ,

ସେହି ଦେହ ତଳେ ଆଜି କୋଳାହଳ

କରୁନି କି ସାରମେୟ ?

ଯେ ମଣିଷ ଦେହ ସତ୍ୟ-ଶିବର

ସୁଂଦର ଲୀଳାଭୂମି,

ଯେ ମଣିଷ-ମନେ ପବିତ୍ରତାର

ଦୁରଂତ-ମଉସୁମୀ-

ବହିବାର କଥା ସଦା-ସର୍‌ବଦା

ଦୁଃଖେ ଅଥବା ସୁଖେ,

ସଦ ଆଲୋକିତ ହେବାକଥା ଯା’ର

ବିବେକର ଶିଖାଲୋକେ;

ସେ ଶିଖାକି କେବେ ଏ ଜାତି ଭିତରେ

ଭୁଲେ ଥରେ ଅଛି ଜଳି ?

କହୁ, କେ ପଢ଼ିଛି ମାନବିକତାର

ଶାଶ୍ୱତ-ପଦାବଳୀ ?

ଆଜି ବି ଏ ଜାତି ନିଜ ସ୍ୱାଧୀନତା

ଅନ୍ୟର ‘ଦାନ’ ମଣେ,

ମରି ଜାଣେ ନାହିଁ, ବଂଚି ଜାଣେନା

ଘାଂଟି ହୋଇବା ଜାଣେ ।

ଏବେ ବି ତ ‘ରାଜଭକ୍ତି’ ଶିଖେ ସେ

ମୁକ୍ତିକୁ ପଦେ ଦଳି,

ନିଜ ମୃତ୍ୟୁର ଦୀପେ ତେଲ ଢାଳି

ଦିଏ ପୁଣି କରତାଳି !

ଏ ଯଦି ନୁହେ ତା ଶ୍ରେଣୀଚରିତ୍ର,

ନୁହଇ ରକ୍ତଗତ,

ଧରଣୀର ଏଇ ମଳିନ-ମାଟିରେ

କେତେ ଅସଂଖ୍ୟ-ପଥ-

ଲଂବି ଯାଇଛି ଦୂରକୁ ଦୂରକୁ, କାହିଁ !

ଏତେ ପଥମେଳୁଁ ଗୋଟିଏ ପଥ ବି

ଆଖି ତା’ର ଦେଖେ ନାହିଁ ?

ହାୟ, ଏ ଜାତିଟା ନୀରବରେ ଖାଲି

କରିଜାଣେ ପ୍ରାଣପାତ !

ଛାଗଳସୁଲଭ ଏଇ ଏ ମାଟିର-

ମଣିଷ କି ଅଦ୍‌ଭୁତ !!

ଅତ୍ୟାଚାରର ପ୍ରତିରୋଧ ଦୂରେ

ପ୍ରତିବାଦ ନାହିଁ, ହାୟ !

କୁହ ଭଗବାନ, ଜୀବନର ଏ କି

ନିର୍ଲ୍ଲଜ-ପରାଜୟ ?

କାପୁରୁଷତାର ପରାକାଷ୍ଠାରେ

ଏ ମଣିଷ ‘‘ମହୀୟାନ୍‌’’,

ଚଂଡ଼ାଶୋକର ତରବାରୀ ମୂନେ

ଦେଇ ଯେ ପାରିଛି ଜାନ୍‌,

ବିନା ପ୍ରତିବାଦେ କାଢ଼ିଯେ ଦେଇଛି

ଆପଣାର ନାଡ଼ୀ-ଅଂତ୍ର,

ମହାଚଂଡ଼କୁ ଦେଇ ଯେ ପାରିଛି

ଭୀରୁତାର ବୀଜମଂତ୍ର,

ସେ’କି କମ୍‌ ମହାଭୀରୁ !

ଶିଶୁ-ଧରମାକୁ ପେଲି ଯେ ପାରିଛି

କୋଣାରକ ଶିଳା-ଶିରୁ !

ଏଠି ଲେଖାହୁଏ ‘ମାଟିର ମଣିଷ’

ମଣିଷ ତ ଏଠି ମାଟି,

ତାକୁ କି କହିବ ଯାହାର ରହିଛି

ଚାଷଜମି ‘ବାରବାଟି’ ?

‘ଗହଣା ଭିତରେ ନିମକାଠି’ ପରି

‘‘ଛଅମାଣ ଆଠଗୁଂଠ’’-

ବୋଲି ସଂପଦ ଖଂଡ଼ାୟତର

ରଦି ତରବାରୀ ବେଂଟ ।

ଏଠି ଜଳେ ନାହିଁ ‘ନିଆଁ’ କେବେହେଲେ

ମିଁଜି ମିଁଜି ହୁଏ ‘ଖୁଂଟା’,

କି ଲାଭ ଡାକିଲେ ‘‘ଉଠ କଂକାଳ’’

ଭାଜି ତ ଯାଇଛି ଅଂଟା ?

‘‘ପାଂଚଜନ୍ୟ’’ ବାଜି ଲାଭ ନାହିଁ

ନିଇତି ସକାଳ-ସଂଜେ

ଜୀବନର ଏଠି ‘‘ଗୋଲାପ ଧୂସର

ସବୁଜପତ୍ର’’ ପୁଂଜେ ।

ମହା-ଅଶାଂତି ଭିତରେ ‘‘ଶାଂତି-

ଶିଖା’’ କେ ଜାଳିବ, କହ

ବିବେକର ପଶୁ ‘‘ଦାନାପାଣି’’ ପାଇଁ

ଯହିଁ ଢାଳେ ଖାଲି ଲୁହ,

ନାହିଁ ଏଠି ନାହିଁ ‘‘ବଜ୍ରବାହୁ’’ର ମାନେ,

‘‘ଶାସ୍ତି’’ର ଅଛି ଗଭୀର ଅର୍ଥ

ଏ ଜାତିର ଅଭିଧାନେ ।

ଯେତେ ଉଡ଼ାଇଲେ ଉଲ୍‌କା-କେତନ

ଯେତେ ପଢ଼ାଇଲେ

ଝଡ଼ର ‘‘ପାଂଡ଼ୁଲିପି’’,

ଅଚେତନ ଏଇ ଜାତିର ମାନସେ

ହେବନି ଚେତନା ଲେପି ।

ଗଂଡ଼ୁଷ-ଜଳେ ମଂଡ଼ୁକ ଜାଣେ

ପୃଥିବୀ କେବଳ କୂପ,

ତା ଆଗେ ମଦନ-ମଂଦିରେ ନେଇ

ଦେବ ଯିଏ ନିତି ‘‘ଧୂପ’’,

ସେହି ତାର ‘ବଡ଼ କବି’,

‘‘ପ୍ରଦୀପ ନିଭାଅ’’ ବୋଲି ଯେ କହିବ

ଶ୍ଳଥ କରିବାକୁ ନୀବି ।

ଏହି ପରି ଏକ ଭୂମେ

ଜନ୍‌ମିଛି ମୁହିଁ ପ୍ରତିଭାର ମହା-

ଜାଗ୍ରତ-ଶମଶାନେ ।

ମୂକ-ଯାତନାରେ କ୍ଷୁବ୍‌ଧ ମୁଁ

ଉଠେ ଥରି,

ସାରା ଜାତିଟାର ଅ-ମାନବତାକୁ

ନିଜ ଇଂଧନ କରି,

ଜଳି ଜଳି ଲେଖେଁ କବିତା ନୁହେ ରେ

ଧ୍ୱଂସର ମାନପତ୍ର,

ମହା ହତାଶାରେ ମର୍ମ-ପଖାଳି

ପଖାଳି ଆପଣା ଗାତ୍ର ।

ଯାହା ଅଛି ତାହା କରିବାକୁ ବରବାଦ୍‌

ବିଚ୍ଛୁରିତ ଏ ପ୍ରକୃତି ମୋର

ଇଂଗିତେ ଉନ୍‌ମାଦ ।

ବଂଚିବା ପାଇଁ ମୃତ୍ୟୁ ସହିତ

କରି ଜାଣେ ନା ମୁଁ ଚୁକ୍ତି,

ମୁଁ ଜାଣିଛି କେତେ ଜୀବନର ମୂଲ

ସନାତନ-ମାନ-ଶକ୍ତି ।

ଏ ମୋର କଲମ ସେହି ଶକ୍ତିର ଭୃତ୍ୟ,

କରି ଜାଣେ ସିଏ ସବୁ ବଜ୍ଜାତୀ-

ସମାପନ, ଶେଷକୃତ୍ୟ ।

ଇଶାଣ-ସିଂହଦ୍ୱାରେ,

ଏଇ ଯେ ଉକୁଟେ ଝଡ଼ର ଭ୍ରୂକୁଟି

ଗଇରିକି ପତାକାରେ

ମୁଁ କବି ତାହାର ସ୍ରଷ୍ଟା,

ମୁଁ କହୁଛି, ଶୁଣ, ମାଟି ମାଆ ମୋର

ରୁଗ୍‌ଣା, ପତିତା, ଭ୍ରଷ୍ଟା ।

ଘୂରିବୁଲେ ମୁହିଁ ଏ ଦେଶର ବାଟେ ଘାଟେ

ନିତି ଅସଂଖ୍ୟ କଳାପାହାଡ଼ ମୋ-

ଗତିପଥେ ପଥେ ଭେଟେ ।

ରକ୍ତକଣାରେ ସବୁ ଆଣି କରେ ଠୁଳ,

କୁହ ପଛେ ମତେ ସବୁ ଅନର୍ଥ

ଦୁର୍ବିପାକର ମୂଳ,

ପ୍ରଚଳିତ-ପଚାରୀତି,

ମଣିଷର ଯାହା ଅବାଂଛନୀୟ

ସଂଚାର କରେ ଭୀତି ।

ମଣିଷ ହୋଇ ମୁଁ ସହିବି କିପରି

ଉଲ୍ଲାସ-ପାଶବିକ ?

କିପରି ଦେଖିବ ମାନବ-ଆସନେ

ଦାନବର ଅଭିଷେକ ?

ଯାହା ଅଛି ବୁଡ଼ାଇବି,

ଦୁଃଶାସନର ଆଇନ-କାନୁନ୍‌-

ଭାଂଗିବାର ମୁଁ କବି ।

ସୁଖୀ ସୁଂଦର ମୁଲକ ରହିଛି

ମୋର ଭାଂଗିବା ତଳେ

ଆସନ ଯାହାର ଅ-ମଳିନ ଏକ

ବଜ୍ର-କୁସୁମ ଦଳେ,

ମୋତେ ବି ମାଲୁମ୍‌ ସୃଜନ-ଛଂଦ,

ଜୀବନାନଂଦ-ଧାରା,

ସୃଷ୍ଟି ସୁଖରେ ମୋତେ ହୋଇ ଆସେ

ଗଭୀର ଆତ୍‌ମହରା ।

ଏବେ ସେ ସ୍ୱପ୍ନ ଦୂରେ,

ମେଘର ନିଶାଣେ ଝଲସେ ମୁଁ ନିତି

ଝଟିକାର କରବାଳେ ।

ପ୍ରଚଳିତ ଏଇ ଅପସୃଷ୍ଟିର

ହେବ ଯେବେ ଅବସାନ

ସେଦିନ ହସିବ ନୂତନ ସୃଷ୍ଟି

ମୋର ନବ-ଉତ୍‌ଥାନ ।

 

୧ ଫେବୃଆରୀ, ୧୯୬୪

Image

 

ମେଲାଣି

 

ଅତୀତରେ ମୋ ବିଦ୍ରୋହେ

ଯିଏ ତୁମେ କରିଛ ସ୍ୱାଗତ,

ମୋ ପଥକୁ ମଣିଅଛ ଯିଏ ନିଜପଥ

ଗୁଳିବିଦ୍ଧ-ଛାତିର କ୍ଷତରେ,

ସାଂତ୍ୱନାର ପ୍ରଲେପ ଯେ ଦେଇଛ ସତରେ !

ମୋର ଅଭିଯାନେ ଯିଏ

ମାନବର ଅଭିମାନେ ଛାତି-

ଫୁଲାଇଛ ବଂଧୁବର,

ହେ ମୋ ପ୍ରିୟ ସାଥି !

 

ମୋ ସାଥେ ଶୁଣିଛ ଯିଏ

ମାନବତା-କ୍ରଂଦନର ରୋଳ,

ଘେନିଛ ଶପଥ ସଖା,

ସ୍ପର୍ଶକରି ଅଗ୍ନିର କପାଳ !

ଭାଂଗିବାକୁ ଅମଂଗଳ-ସେତୁ

ଜୀବନର ଧରା-ବଂଧା ପଥୁଁ-

ବିଚ୍ୟୁତ ହେଲି ଯେଦିନ

ଅତିକ୍ରମୀ ବେଲୁନୀ-ସଭ୍ୟତା,

ସେଦିନ ପଛରୁ ମୋତେ

ଡାକିଥିଲା ମଶାଣୀର ଚିତା ।

 

ମନେ ପଡ଼େ

ଆସିଥିଲି ଦେଇ ତାକୁ ଜବାବ ନିର୍ଭର :

‘‘ଲାଗିବ ଲାଗିବ ଯେବେ

ପୂର୍ବମେଘେ

ସମାରୋହ ଉଦୟ-ପର୍ବର

ଶୋଷଣର ଶେଷ ଅଧ୍ୟାୟରେ

ହେ ସଖା, ଆସିବ ଫେରି

ସେନାପତି, ମୁହିଁ ତୁମ କୋଳେ !

 

ଗଳେ ବହି ଜୟମାଳା,

ମନେ ଆଂକି ବିଜୟର ଛବି

ଲେଉଟିବ ଭାଂଗିବାର କବି ।

ଆହେ ହୁତାଶନ !

ନିଶ୍ଚୟ ଆସିବ ଫେରି

ତୁମପାଶେ ଏ ମୋର ସ୍ୟଂଦନ ।’’

 

।। ଦୁଇ ।।

 

ଏ ନଶ୍ୱର-ତନୁର ତୋରଣ-

ଥରିଲାଣି

ଉନ୍‌ମୁଖ ମୋ ପ୍ରାଣ

ଯିବା ପାଇଁ ଦୂରେ,

ଅବଶ୍ୟ ଅ-ବେଳେ !

 

ମୃତ୍ୟୁ ମାଗେ ଜୀବନଠୁଁ

ତା ପ୍ରାପ୍ୟ ଖଜଣା,

ଶୁଝିବାକୁ ହେବ ମୋତେ

ତା ସମସ୍ତ ଦେ’ଣା ।

 

ହେ ଅଗ୍ରଗ ସହଯାତ୍ରୀ ଦଳ !

ବିଦ୍ରୋହରୁ ବଳି ପ୍ରିୟ

ତୁମେ ମୋର ଅତି ଆପଣାର ।

 

ସମରର ହେ ଅମର ସାଥୀ,

ଛାଉଣିରେ ମୋ ଅନୁପସ୍ଥିତି-

ଜାଣେ, ତୁମ ମର୍ମମୂଳେ

ହାଣିବ ଆଘାତ,

ପାହିନାହିଁ ରାତି ଯେଣୁ

ହୋଇନି ପ୍ରଭାତ ।

 

ଜାଣେ, ବଂଧୁ, ଜାଣେ !

ଉର୍ଧ୍ୱ, ନିମ୍ନ, ଚଉପାଶ କାଂଦିବ କରୁଣେ ।

 

ହେଲେ ବି, ହେଲେ ବି,

ଧରଣୀର ସରଣୀରେ ମୁହିଁ ନ ଥିଲେ ବି;

ଥିବ ମୋର ପଦଚିହ୍ନ ଶୋଇ,

ବତାସର ବାଦ୍ୟଯଂତ୍ର

ଧ୍ୱନୁଥିବ ମୋ’ରକ୍ତ-ସାନାଇ ।

 

।। ତିନି ।।

 

ହୃଦୟର ଘନକାଂଥୁ

ମୋ ସଂଗ୍ରାମୀ-ଜୀବନର ଛବି,

ମୃତ୍ୟୁର ଫୁତ୍‌କାରେ ଯାହା

ଆସେ ଏଇ ନିଭି,

ତୁମ ମେଳୁଁ ବିଦାୟର ବେଳ,

ଯାହା ଆଜି ଘନୀଭୁତ

ତାହା ମୋର

ବ୍ୟକ୍ତିଗତ-ଅସତର୍କ ଫଳ ।

ଆରେ ମୋର ଝଡ଼ର ବାହିନୀ !

ଅସଂପୂର୍ଣ ରହିଗଲା ଯେ ସଂଗୀତ,

ଯାହା ମୁଁ ଗାଇନି,

ସଖା ମୋର, ତୁମ କଂଠ-ସୁରେ !-

ଧ୍ୱନିତ ହେଉରେ ତାହା

ଆଜିଠାରୁ, ଏଇ ଧରଣୀରେ ।

 

ଧମନୀର ତପ୍ତ-ରକ୍ତେ

ଆର୍ଦ୍ର ମୋର ଯେଉଁ ରକ୍ତଧ୍ୱଜା,

ମଣିଷର ଆଖି-ଲୁହେ ଭିଜା,

ଭୁ-ଲୁଂଠିତ ଆଗୁଁ ତାହା

ଟେକି ନବ ତମେ

ଅସମାପ୍ତ-ବିଦ୍ରୋହର ପ୍ରେମେ ।

 

ବିଧାତାର କରୋଟିରେ

ଗଢ଼ିଥିଲି ଯେଉଁ ହାତବୋମା,

ଏ ଯାଏଁ ଯା ବିସ୍ଫୋରଣ ହୋଇନାହିଁ ଜମା,

ଆହାର, ବିଶ୍ରାମ ଭୁଲି

ରଜନୀର ଘନ-ଅଂଧକାରେ,

ଗଢ଼ିଥିଲି ଯେଉଁ ଘାଟି

ଏ ଲଂପଟ-ସମାଜ-ଗୁହାରେ,

ସେହି ଘାଟି ଆଜି ବି ରହିଛି,

ଅସରଂତି ମାରଣାସ୍ତ୍ର-ସଂପଦ ବହିଛି ।

 

ନିଅ ତା’ର ଚାବି !

ହେ ଅମର-ସାଥି ମୋର

ବାରୁଦର କବି !

ଅଗ୍ନିର ସାନ୍ନିଧ୍ୟ ଲାଗି

ଦିବାରାତ୍ରି ଜାଗି,

କାବ୍ୟ ଲେଖ, କାବ୍ୟ ଲେକ, ରାତିର ମରାଳ !

ଦେବୀ ମୋର, ଦେବୀ ତୁମ ଅତୀବ କରାଳ ।

ମୋ ବିଦାୟେ ଟେକିଧର

ଇଶାଣର ସିଂହଦ୍ୱାରେ

ତା’ର କୃଷ୍ଣଧ୍ୱଜା,

ବାଜି ଉଠୁ ଝଟିକାର ଭେରୀ,

ତୋଫାନ୍‌ର ସୋପାନରେ

ନାଚୁ ଆଜି, ନାଚୁ ଭୟଂକରୀ ।

ସ୍ୱୈରାଚାର-ଦୁର୍ଗଦ୍ୱାରୁ

ଏଇ ଦେଖ, ଖସେ ଆଜି ଶିଳା !

‘ଅମଂଗଳ’- ଅଭିସାରେ

ବାଜି ଉଠେ ଉଲ୍‌କାର ବେହେଲା ।

ସର୍ବଶେଷେ ମଣିଷର ଗାନ୍‌

ହେବ ବଂଧୁ, ହେବ ପ୍ରାଣବାନ୍‌ !

ଏହା ମୋର ଆଶୀର୍ବାଦ

ଧରିତ୍ରୀର ନୀରବ-ସ୍ଳୋଗାନ୍‌ ।

 

।। ଚାରି ।।

 

ଶ୍ମଶାନର ଚିତାନଳ

ଥରିଥରି ଡାକେ ମୋତେ ଉତ୍‌କଟ କ୍ଷୁଧାରେ

ମଶାଣୀର ମାଟିମାତା

ଡାକେ ମୋତେ ନୀରବ-ଶ୍ରଦ୍ଧାରେ ।

ସାମରିକ-ବୁଟ୍‌ ମୋର

ନିଅ ଖୋଲି

ରାତିଠାରୁ କଳା ଏଇ ସୁଟ୍‌

ଜୀବନର ଦ୍ୱାର ଦେଶେ

ଆଉ ଥରେ କର ରେ ସାଲ୍ୟୁଟ୍‌ !

ଗୁପ୍ତରଖ ମୋ ମୃତ୍ୟୁ-ସଂବାଦ,

ଭାଂଗି-ଚୂରୀ କରି ସାର

ପ୍ରଚଳିତ-ରୀତି ବରବାଦ

ତା ପରେ ବସିବ ଖୋଜି

ନଷ୍ଟ-ଶିବ-ଜଟା ତଳୁ ଧାରା-ସୁରଧୁନୀ,

ଭଗ୍ନଦୀପ-ସ୍ତୂପ ତଳୁ ଶିଖାର ଶିଂଜିନୀ ।

 

୧୮ ନଭେଂବର, ୧୯୬୩

Image

 

ପ୍ରାର୍ଥନା

 

ସମ୍ମୁଖୁଁ ଡାକେ ଜରା ଓ ମରଣ

କ୍ଷତ-ବିକ୍ଷତ- ‘ଅତୀତ’ ରହିଛି

ଦୂର-ପଶ୍ଚାତୁଁ ଚାହିଁ,

ଯଂତ୍ରଣାକର ‘ବର୍ତମାନ’ରେ

ଅଭିମନ୍ୟୁର ଜୀବନକୁ ମୋର ନେଇ-

ମୁଁ ଆଜି ଲଢ଼ୁଛି

ପଥରେ ଗଢ଼ୁଛି

ପୀଡ଼ିତ-ସତ୍ୟ ପାଇଁ ।

 

।। ୨ ।।

 

କପାଳରେ ବାଜେ ପଶୁ-ନିଃଶ୍ୱାସ

ପାଶେ ଘନୀଭୁତ

ପାଶବିକତାର ରାତ୍ରି,

କିଏ ଅଛକାହିଁ

ବଢ଼ାଅ ହାତ ରେ,

ସଂଗ୍ରାମ ମୋର

ଏ ପ୍ରାଣପାତ ରେ !

ରହିବାକୁ ଚାହେ

ମୁଁ ଆଜି ନୂତନ-ମୈତ୍ରୀ ।

 

୪, ଜାନୁଆରୀ, ୧୯୬୪

Image

 

Unknown

ପଛରେ ଯିଏଯା କହୁଛି କହୁ...

(ଜଣେ ସଚ୍ଚା କଂଗ୍ରେସ କର୍ମୀଂକ ଖେଦୋକ୍ତି ଶୁଣି...)

 

ଦୁଃଶାସନର ଫଟା-ଛାତ ତଳେ

ବିରାଟ ଏ ଦେଶ ଏ ପୋଡ଼ା-ମାଟିରେ

ଧନ, ମାନ, ଯଶ, ନିଜର ଖ୍ୟାତି-

ନ ବଢ଼ିଲା ଯେବେ ବଂଧ, ତମର

ତମେ ଉଠିଅଛ ସ-ରୋଷେ ତାତି !

 

ମୂକ-ଯାତନାରେ ଅଂତର ତୁମ

ଉଠୁଛି ଜଳି,

ଗଭୀର ଦୁଃଖ ରହିଛି ବଂଧୁ

ତୁମକୁ ଘେରି !

 

ଏଇ ଯେ ଦୁଃଖ, ଏଇ ଯେ ଜ୍ୱଳନ

ଗ୍ରାସି ଅଛି ଆଜି ତୁମ ମନ-ପ୍ରାଣ

ସେଥି ପାଇଁ ଭାଇ

ତୁମେହିଁ ଦାୟୀ !

ଯେହେତୁ ରହିଛ ତୁମେ ନୀତିବାନ୍

କଂଠେ ଭରିଛ ସତ୍ୟର ଗାନ

ସବୁ ବିକ୍ଷୋଭ

ତାହାରି ପାଇଁ ।

 

ଛାଡ଼ି ଦିଅ ଦେଖି ସତ୍ୟର ପଥ

ମିଥ୍ୟାରେ କର ନିତି ପ୍ରଣିପାତ

ପବିତ୍ରତାର ବୃହତ-ଧମନୀ

ଓଟାରି ଆଣ !

ଶୁଭ୍ର-ଖଦଡ଼େ ନାଚିଯାଅ ଖୁବ୍‌,

ହୃଦୟେ ହୃଦୟେ ବସାଅ ‘ଟିଉବ୍‌’

କର ନିକ୍ଷେପ ‘‘ଅମୋଘ ବାଣ !’’

ଜନ-ଜୀବନକୁ କଲେ ହେଲା ଖାଲି

ସୋପାନ ସମ,

ପୋଛି ଦେଲେ ହେଲା ଲପନୁ ଲଜ୍ଜା

ବଂଧୁ, ତୁମ !

 

ଭୁଲି ଗଲେ ହେଲା ମଣିଷ ପଣିଆ

ନିଜ ପରିଣତି, ନିଜ ଚିତା-ନିଆଁ-

ଜଳୁଅଛି କେତେ ଜଳୁରେ ଜଳୁ,

ନିଜ ଲଗା ଗଛେ କେତେ ବିଷଫଳ

ଫଳୁଛି, ଫଳୁ ।

 

ତେବେ, ଧନ, ମାନ, କ୍ଷମତା-ମଦରେ-

ଭାସି ତ ପାରିବ ନିର୍ବିବାଦରେ

ହେଲେ ରୂପାଜୀବା ହୋଇବ ‘ସତୀ’,

ହୋଇଥାଅ ପଛେ ଲୋଫାର୍‌-ବଜାରୀ,

ଦିନ ଦି’ପହରେ ହୋଇବ ହଜାରୀ,

ଲକ୍ଷପତି ।

 

ଆସ ହେବ ଥୁଆ କ୍ଷମତାର ନୂଆ-

ସିଂହ-ଆସନ ତମରି ପାଇଁ,

ହେବ ହେବ ପଥ ସହଜ-ସୁଗମ

ଜୀବନର ମୋଡ଼ ଘୁରିବା ପାଇଁ ।

‘ଆକାଶବାଣୀ’ରେ ତୁମରି ଭାଷଣ

ବାରି ସମ ହେବ ଦେଶେ ବରଷଣ

ଗ୍ରାମ, ଜନପଦ, କୁଟୀର ମାଥେ,

ମହା ଦୁର୍ନୀତି- ଗ୍ରଂଥମାଳାର

ଉପୋଦ୍‌ଘାତେ,

ତୁମ ସ୍ୱାକ୍ଷରେ ତୁମେହିଁ କହିବ :

‘ଗାଂଧୀଟା ଥିଲା ନିପଟ ଓଲୁ’,

ତାକୁ ଚିତାକାଟି ‘ସ୍ୱରାଜ’-ବନରୁ

ତୁମେ ବାହାରିଛ ସଫେଦ୍‌ ଭାଲୁ ।

 

ଯେତେ ନାଗରିକ, ଯେତେ ନାଗରିକା,

ନୋଟ୍‌ ନେଇ ନଶିଖିଲେ ଭୋଟ୍‌ବିକା

ଗାଆଁ, ମଫସଲ ସହର-ସଦରେ

ନଭାସିଲା ଯଦି ମଣିଷ ମଦରେ

ସେ’କି ସ୍ୱାଧୀନତା !

ମୂଲ୍ୟହୀନ,

ଏଇ କଥା ଯେବେ ବଂଧୁ ହେ

ତୁମେ କରିବ ଗାନ !

ସବୁ ବିପଦର ଭିତ୍ତି ଦବିବ

ସବୁ ପ୍ରତିବାଦ- ମଶାଲ ନିଭିବ

ଶୁଦ୍ଧକୁ ହେବ ଭେଜାଲ୍‌ କରି,

କଳା ହେବ ଧଳା, କୃଷ୍ଣା ‘ଗୋରୀ’ ।

ଧର ଏଇ ବାଟ ଦେଖୁ ଦେଖୁ ତୁମ

ବଢ଼ିବ ଭାଉ,

ମାର ଗୁଲି ସବୁ ପଛରେ ଯିଏ ଯା

କହୁଛି କହୁ ।*

 

୧୪ ନଭେଂବର, ୧୯୬୩

 

* ୧୦ ଜାନୁଆରୀ (୧୯୬୪) ଦୈନିକ ‘ମାତୃଭୂମି’ରେ ପ୍ରକାଶିତ ।

Image

 

ଦିନଲିପି

 

କବି ମୁହିଁ ‘ରବି ସିଂ’

ହାତରେ ମୋ ସ୍ୱଚରିତ-କାବ୍ୟଗ୍ରଂଥ

ନବ-ପ୍ରକାଶିତ,

ସଂଧ୍ୟାର ଗୁଂଠନ ତଳେ

ଅତିକ୍ରମୁଥିଲି ଯେବେ

ସହରର ମୁଖ୍ୟ-ରାଜପଥ;

ଯାଯାବର, ତଂବୁମୁହାଁ ହେଇ,

ଛୁଟିଥିଲି କ୍ଷିପ୍ର-ପଦେ

ତନୁ-ମନ ଆଗକୁ ଝୁଂକାଇ ।

 

ଜୀବନର ସବୁଜ-ସପନ

କାଂଦୁଥିଲା ମୋ ଭିତରେ ଘୂର୍ଣିଝଡ଼,

ପ୍ରବଳ ତେଫାନ୍‌ ।

ଟେକିଥିଲା ଧ୍ୱଜା,

ଅଂଧକାର ଭବିଷ୍ୟତ

ଯାହା ଦିଗହଜା ।

ଯାହା ମୋର ଅଜ୍ଞାତ, ଅଜଣା,

ମନର ଗହନେ ଆସି ପିଟୁଥିଲା ଡେଣା ।

 

ସତେ ଅବା ରହସ୍ୟର ଗୋଟାଏ ବାଦୁଡ଼ି

ଯାଉ ଯାଉ ଉଡ଼ି

ଢେଉ କାଟି ଏ କଳାରାତିର......

ହୋଇଥିଲା ଅବା କ୍ଷୁଧାତୁର !

ଶାଣିତ-ଦୃଷ୍ଟିରେ ତା’ର

ପକ୍ୱଫଳ ସମ,

ପଡ଼ିଗଲା ଏ ମୋର ମରମ

ସ୍ୱାଭାବିକ ଦୃଶ୍ୟ ଯେତେ

ଆଖି ଆଗୁଁ ଗଲା ସବୁ ନିଭି

ସହରର ଶେଷ-ପ୍ରାଂତେ

ମୋ ଆବାସ ଭଡ଼ାଘର ଛବି

ଚଉପାଶେ ଯା’ର...

ଆବର୍ଜନା-ଜଳର କଲ୍ଲୋଳ ।

 

ବିଷ୍ଠାଗଂଧେ କଳୁଷିତ ବତାସର ଢେଉ

ମଶକର ଶୋଭାଯାତ୍ରା

ପ୍ରଶ୍ନକରେ ଯହିଁ ମୁହୁର୍ମୁହୁ :

‘‘ଲହୁ କାହିଁ, ଲହୁ ??’’

ସେହି ମୋର ଆବାସ-ଲପନ

ଯାହା କୋଳେ କରେ ମୁହିଁ ଜୀବନ-ଯାପନ,

ଆପାତତଃ, ଏବେ, ବର୍ତମାନ-

ଭାର୍ଯା ଆଉ ଶିଶୁପୁତ୍ର ମେଳେ,

ସଂଧ୍ୟାର ଗୁଂଠନ ଠେଲି

ଯେଉଁଠାକୁ ବର୍ତମାନ ଫେରେ ।

ଛବି ତା’ର ସ୍ପଷ୍ଟ ଗଲା ଦିଶି,

ସବୁ ଦୃଶ୍ୟ, ସବୁ ଚିଂତା ଗଲା କାହିଁ ଭାସି !

ଲଘୁ-ଅଂଧକାରେ......

ଘନୀଭୂତ ସହର-ସଂଧ୍ୟାରେ ।

 

ଚାଲୁ ଚାଲୁ ବାଟ ମୋର ପଡ଼ୁଥିଲା ମନେ

ଆଜିର ପୂର୍ବାହ୍ନେ

ଘରଣୀ ଯା କହିଥିଲା ଶଂକିତ-ନୟନେ :

‘‘କାଲି ପାଇଁ ନାହିଁ ତ ଚାଉଳ

ଟିକେ ବୋଲି ଟିକେ ନାହିଁ କିରାସିନି ତେଲ

ମନେକରି ଫେରିବ ଚଂଚଳ ।

ପୁଅ ଦିହ ଟିକେ ଟିକେ ଲାଗୁଛି ଉଷୁମ

ଗତକାଲିଠାରୁ,

ଏଇ ଚାରିଦିନ ତଳେ

ଛୁଆଟା ମୋ ଉଠିଛି ଜରରୁ ।’’

 

ଅଜାଣତେ ପକେଟରେ ପଶିଗଲା ହାତ

ଶୂନ୍ୟତାରେ ନୀରସ-ସ୍ୱାଗତ-

ପାଇଲା ମୋ ଶିଳ୍ପୀର ଅଂଗୁଳି,

ଆପତତଃ କିଛି ଅର୍ଥ

କେଉଁଠାରୁ ଆସିବ କିପରି ?

 

ରାଶି ରାଶି କବିତାର ମୁହିଁ ଜନ୍‌ମଦାତା

ଏକାଧିକ ଗ୍ରଂଥର ପ୍ରଣେତା !

ଦିନୁଦିନ

ବଜାରେ ବଢ଼ୁଛି ଯେତେ ସଂଖ୍ୟା ମୋ ବହିର

ଦାରିଦ୍ର୍ୟ ଉତ୍‌କଟ ହୁଏ

ତା’ ସହିତ ରଖି ସମତାଳ !

ଭାବି ନଈ-ପଠା

ଭୋକ ନିଏ ଜଠରକୁ ପଟା ।

 

ହାୟ, ସେ’ବି ପାଏନାହିଁ ଖାଦ୍ୟ ତା’ର ଯାହା !

ପାଏ ଖାଲି ଅବହେଳାରେ

କ୍ରମାଗତ ଲେଂବୁଦିଆ ଚାଆ ।

କଂଠନଳି ମୋର

ଭୋକର ଗଳାରେ ନେଇ

ନିର୍ଭୟରେ ଦିଏ ଉପହାର

ଶସ୍ତା-ସିଗାରେଟ୍‌ ଧୂଆଁ-କୁସୁମର ମାଳା,

କ୍ଷୁଧା ମୋର ଅନାହାରୀ,

ମୁଁ ନୁହେ ଏକଲା ।

ଜଠରର ବଂଧୁ ମୋର ଆଜି ମୃତବତ,

ତା’ ତୀବ୍ର-ମଶାଲ ଘେନେ

ଜଠରେ ମୋ ନିଭିବାର ଶାଣିତ- ଶପଥ ।

 

ସତ୍ୟ-ଶିବ-ସୁଂଦର ସଂଧାନ–

କରିବାକୁ ଆସିଥିଲି ମୁଁ ଦେବ-ନଂଦନ

ଏଇ ଭୂଲୋକରେ......

ଜନ୍ମିଥିଲି ଏକ ଝଲକରେ ।

ଆଣିଥିଲି ସହଜାତ ଯେତେକ ପ୍ରତିଭା,

ଧରିଥିଲି ପାଥେୟ ଯା

କବିତ୍ୱର ଶୋଭା,

ଗଦ୍ୟମୟ, ଅ-କାବ୍ୟିକ-ରୁଧିରାକ୍ତ-ଜୀବନ-ସମରେ

ଅ-ଶିବକୁ ଭାଂଗିବାର ଗୈରିକ-କ୍ରମରେ

ଗଲାଣି ତ ସବୁ ନଷ୍ଟ ହୋଇ...

ନାହିଁ, କିଛି ନାହିଁ ।

ଅସ୍ଥି-ମଜ୍ଜାଗତ ମୋର ହୋଇଅଛି

ଧ୍ୱଂସର ପିପାସା

ଜନମିଛି ଜାଳିବା ଅଭ୍ୟାସ

ଦୃଷ୍ଟିରେ ମୋ ‘ସୃଷ୍ଟି’ ନାହିଁ

ଅଛି ଖାଲି ଅଛି ସର୍ବନାଶ ।

 

ଜୀବନ କରିଛି ମୋତେ ପ୍ରତାରିତ

ପ୍ରତିଟି ସୁଯୋଗ,

ତା’ ସଂଗ୍ରାମେ ଅଗ୍ରଦୂତ

ମୁହିଁ ତା’ର ଆଗେ-

ଯେତେବେଳେ ପତାଇଛି ଛାତି,

ହଠାତ୍ ପଛକୁ ଚାହିଁ

ଦେଖିଛି ମୁଁ : ନାହିଁ ବଂଧୁ, ନାହିଁ କେହି ସାଥୀ !

କାପୁରୁଷ ପଳାଇଛି ଦୂରେ......

ମୁଁ ଏକା ମରିଛି ଗର୍ଜି

ପାଶବିକ-ଶକ୍ତି ସମ୍ମୁଖରେ ।

 

ସମାଜ ଯାଇଛି ସଢ଼ି

ଭୀରୁ ଆଜି ମାନବ-ଚେତନା,

‘ବାରତ୍ୱ’ର ପୁନର୍ଜନ୍ମ

ଆଜି ଏଠି ବାଚାଳ-କଳ୍ପନା ।

ପ୍ରଚଳିତ-ପଚାରୀତି ଦୂଷିତ-ପବନ-

ସଂସ୍ପର୍ଶରେ ଆସିଲେହିଁ

ଆଗାମୀର ବଂଶଧରଗଣ

ହେବେ, ହେବେ ଦକ୍ଷ-ଜାନୁଆର,

ଏ ନୁହେ ଜ୍ୟୋତୀଷବାଣୀ

ସାବଧାନୀ ଏହା ଏକ ସାଗ୍ନିକ-ଆତ୍‌ମାର ।

 

ଝଡ଼ର ବକ୍ତବ୍ୟ ଏହା

କ୍ରୁଦ୍ଧ ଏକ ମେଘର ଘୋଷଣା,

ଯାହା ମୋର ତପ୍ତପ୍ରାଣେ

ବଜାଇଛି ବୈଶ୍ୱାନର-ବୀଣା ।

ଏ କବିତା ଝଂକାର ତାହାରି...

ବିଶ୍ୱବ୍ୟାପୀ ବଜ୍ଜାତୀର

ଏହା ଏକ ତ୍ରାସ-ତରବାରୀ ।

ତେଣୁ ଏକ ଅଭିନବ

ସଂପୂର୍ଣ ନୂତନ-

ସମାଜର, ଦୁନିଆର,

ଜୀବନର ମାନଚିତ୍ର ଆଖିଆଗେ ରଖି;

ଅନାଗତ,

ଯିଏ ଜନ୍ମ ନେଇ ନାହିଁ

ତାହାରି ପାଇଁ କି

ସ୍ୱଚରିତ କବିତାର ମର୍ମପଟେ ଲେଖି ସ୍ୱାଗତିକା,

ଯାହା ସ୍ଥିତ, ବ୍ୟବସ୍ଥିତ

ମୁଁ ତାହାରି ଧ୍ୱଂସର ପରିଖା

ମଧ୍ୟରାତ୍ରେ ଖୋଳୁଛି ଏକାକୀ,

ହେଉପଛେ କ୍ଷୟକ୍ଷତି

ଅଛି ଯାହା ବାକୀ

ଆଜନ୍ମରୁ ଏହା ମୋ ଶପଥ......

ନିଃସଂଗ ମୁଁ

ଲୋହିତ-କପୋତ ।

 

ଯେବେ ଜଳିଉଠି ପାରେ

ପୁନର୍ବାର

ନଷ୍ଟ-ଅଗ୍ନିଶିଖା,

ଜୀବନର ଭ୍ରଷ୍ଟ ଉପତ୍ୟକା

ଶିବ ଆଉ ସୁଂଦରର

ଅଭିଷେକ ପାଇଁ

ମୋ କ୍ଷତିରେ

ପାରେ ଯେବେ ଉପଯୋଗୀ ହୋଇ,

ହେଉ ତେବେ ତାହା,

ରକ୍ତ-ଉଷା ଜନ୍ମ ଦେବ ସୂର୍ଯର ସଂତାନ ?!

ଦେଉ ଜନ୍ମ ।

ଜନ୍ମ ଦେଉ ଅତିଶୀଘ୍ର, ଆ-ହା !!*

 

୨୪ ଅକ୍‌ଟୋବର, ୧୯୬୩

 

* ‘ଗଣତଂତ୍ର’ର ଦୀପାବଳୀ (୧୯୬୩) ବିଶେଷାଂକରେ ପ୍ରକାଶିତ ।

Image

 

ଗୋଟିଏ କୈଫିୟତ୍‌

 

ହେଉନି ହେଉନି କିଆଁ

କୌଣସିଟି ଗ୍ରଂଥ ମୋର ଦ୍ୱିତୀୟ ମୁଦ୍ରଣ ?

ନିଂଦୁକ ବରଷେ ଆଜି ପଶ୍ଚାତୁ ମୋ

କ୍ରୋଧେ ତା’ର ଏଇ ପ୍ରଶ୍ନବାଣ ।

ସବୁ ଶୁଣେ, ସବୁ ମୁହିଁ ସହେ,

ବର୍ମେ ବାଜି ସବୁ ତୀର ଭୂ-ପତିତ ହୁଏ ।

 

ରାତି ତ ପାହିନି...

ପଶ୍ଚାତେ ମୋ ଗର୍ଜେ ଦୂରେ

ମାଂସଭୁକ୍‌ ଶ୍ୱାନର ବାହିନୀ ।

ଐଶ୍ୱରିକ-ସତ୍ତାର ମୁଁ ପ୍ରବୀଣ ସିପାହି,

ମଧ୍ୟରାତ୍ରେ ମୁଁ ଚାଲିଛି

ଆପଣାର ଶ୍ୟେନ-ଦୃଷ୍ଟି ନେଇ ।

 

ବୁଟ୍‌ ମୋର ବାଜି ଉଠେ ଲୁଟ୍‌ଖୋରୀ-ରାତିରେ ଅଧରେ

କ୍ଷୁବ୍‌ଧ ହୁଏ ମୂକ-ଯାତନାରେ

ଅତୀତର କୃଶତନୁ, ବର୍ତମାନ ମେଦୁଳା-ଦୁର୍ନୀତି

ତା କ୍ଷୁବ୍‌ଧତା ମୋ ନିଂଦୁକ-ଶ୍ୱାନକଂଠେ ମାତି

ମୋ ଗତିର ତରଂଗ ବିରୁଦ୍ଧେ,

ପ୍ରତିବାଦ କରେ ହିଂସ୍ରକ୍ରୋଧେ !

ଚତୁର୍ଦ୍ଦିଗେ ଅସୁସ୍ଥତା

ଶଯ୍ୟାଗତ ଏ ସମାଜ ପାଶବିକ-ରୋଗେ,

ଅଶ୍ଳୀଳ, ଅପଥ୍ୟ ଯେତେ ପାନକରି, ଭୋଗେ ।

ଶ୍ଳୀଳତାର ବହୁତ ଦୂରରେ,

ଅ-ଜାତ-ଚରିତ୍ର ସବୁ ଜନ୍‍ମ ନେଇ

ଯାତ୍ରା ସୁରୁକରେ

ରଜନୀର ନିଷିଦ୍ଧ-ପ୍ରହରେ ।

କଳାବୁଟ୍‌, କଳାସୁଟ୍‌,

ରାତି କଳା, ଜାତିକଳା,

ସହର ଓ ବଜାର ବି କଳା

ସବୁ ଏକାକାର୍‌......

ସୁଂଢ଼ୀ ସାକ୍ଷୀ ଯେପରି ମାତାଲ୍‌ !

 

ମୁଁ-ଉଁ ସେଇଠାରେ,

ଈଶ୍ୱରର ଗୁପ୍ତଚର । ଡିଉଟି ମୋ କରେ ।

ପ୍ରତିଦିନ ଗଣିନିଏ

ମାନବିକ ମୂଲ୍ୟବୋଧ-ଅଭାବ-ଦରମା,

‘ପୂର୍ଣଚ୍ଛେଦ’ ରକ୍ତ ନେଇ ପୁଷ୍ଟକରେ ‘କମା’ ।

 

କ୍ଳାଂତି ମୋର ହଜିଯାଏ

ପାଶବିକ-ବିଷାକ୍ତ ରାତିରେ,

ବୁଟ୍‌ ମୋର ବାଜି ଚାଲେ ଅବିରାମ

ମୋ ଆତ୍ମରତିରେ ।

ମୁଁ ଗୋଏନ୍‌ଦା,

ପ୍ରାଣପଣେ କଲେ ମଧ୍ୟ ନିଜକୁ ଗୋପନ,

ମୋ ନିଂଦୁକ-ଶ୍ୱାନର ଆଘ୍ରାଣ......

ମୋ ସତ୍ତାକୁ କରେ ଉଦ୍‌ଘାଟନ !

 

ଆପ୍ରାଣ-ଶୋଷାରେ ଯେବେ

ଜଳିଉଠେ ଦୁର୍‌ନୀତିର ଉଦ୍ଧତ-ଚିଲମ୍‌,

ତା’ ବଂଦନା ଗାଇଉଠେ

ଚାଟୁକାର-କବିର କଲମ !

ଲେଖିଯାଏ ଲେଖା,

‘ଅମର-ସାହିତ୍ୟ’ ନାମେ

ସୃଷ୍ଟିକରି ମାଂସର ବୁଭୁକ୍ଷା ।

ସମାଜ-ଜଠରେ ଯେବେ ଜାଗିଉଠେ

ପାଶବିକ-ଭୋକ,

ଖାଦ୍ୟ ନେଇ ଦିଏ ତାକୁ

ସାରମେୟ-ବଂଶର ଲେଖକ

ବିଧାତାର ଆଦିଶିଳ୍ପ-ନାରୀର ଜଘନ...

ନିତଂବ ଓ ସ୍ତନ !

 

ଅଭିନବ ‘ମେଡ଼ିସିନ୍‌’ ଏକ,

ଅସୁସ୍ଥ-ସମାଜ ପାଇଁ

ବଜାରକୁ ଛାଡ଼େ ପ୍ରକାଶକ-

‘‘ଝାଡ଼ା ଆଉ ଝଡ଼’’ ଉପନ୍ୟାସ

ମାସକ ଭିତରେ ଏକ ‘ଏଡ଼ିସନ୍‌’ ଶେଷ୍‌ !

ଅଭିଧାନ, ଶବ୍‌ଦକୋଷେ ଯେ ଶବ୍‌ଦକୁ ପାରିନାହିଁ ଧରି,

ତାକୁ ପୁଂଜିକରି,

ଛାପାହୁଏ ଉପନ୍ୟାସ : ‘‘ହୃତ୍‌ପିଂଡ଼େଶ୍ୱରୀ’’ ।

ଗୋଟେ ପରେ ଗୋଟେ ସଂସ୍‌କରଣ

ଶେଷହୁଏ- ‘‘ଦିବସେ ଚୁଂବନ !’’

‘‘ବେସ୍‌ ଲେଖା’’ । କହେ ପ୍ରକାଶକ :

‘‘ୟାକୁ ସିନା କହିବ ଲେଖକ !’’

ବହିର ମଲାଟ ଦେଖି

ସିନେମାର ଅଭିନେତ୍ରୀ-Look

ପାଠକ ବି ତା ସହିତ ତାଳ ଦିଏ

ଅପଥ୍ୟ ସେ ପଚା-ମାଂସଭୂକ୍‌ !

ପ୍ରାଣଦଂଡ଼ ପାଏ ବାକ୍‌ଦେବୀ,

ଦେଖେଁ ମୁହିଁ

ସତ୍ୟ ଆଉ ସାରସ୍ୱତ-ସେବୀ ।

ତା ବିରୁଦ୍ଧେ ମୋ ଶାଣିତ-ତରବାରୀ ଟେକେ...

ପ୍ରତିବାଦ-କବିତା ବି ଲେଖେ ।

 

ମୋ ଗ୍ରଂଥର ପୁନର୍‌ସଂସ୍କରଣ

କିପରି ସଂଭବ କୁହ, ରେ ନିଂଦୁକ ଜନ ? !

 

ଭାରତୀୟ ସିପାହୀ ମୁଁ

ନିଃସଂଗ, ଏକକ,

କ୍ଷୀଣକଂଠ-ସତ୍ୟର ଲେଖକ ।*

 

୨ ନଭେଂବର, ୧୯୬୩

 

* ୧ମ ବର୍ଷ, ୩ୟ ସଂଖ୍ୟା (୧୯୬୪) ‘‘ସମ୍ମୁଖ୍ୟ’’ରେ ପ୍ରକାଶିତ ।

Image

 

ମଣିଷର ପ୍ରିୟ ସ୍ୱାଧୀନତା

 

ଦୁର୍ନୀତିର ଅବାରିତ ଉନ୍ମୁକ୍ତ-ବିପଣୀ

ଖୋଲି ବସିଅଛ ଦେଶେ ଯଥା ପସାରୁଣୀ ।

ନିତି ନୂଆ ଲାଂଚ-ମିଛ ଗୋଦାମର ଶୁଭ ଦିଅ ତୁମେ,

ବଂଧୁ, ତୁମ ଅଲାଜୁକୀ ରାତିର ତ୍ରିଯାମେ !

 

ସତ୍ୟ-ଶିବ-ସୁଂଦରକୁ କରିଅଛ କାଲ

ବିଶୁଦ୍ଧକୁ ବଂଧୁ ତୁମେ କରିଛ ଭେଜାଲ !

ପବିତ୍ର-ଜୀବନପଥେ ନିର୍ବିକାରେ ପୋତିଅଛ କୀଳା

ଯିଏ ତାକୁ ଓପାଡ଼ୁଛି, ତା’ ଅବସ୍ଥା ହୋଇଯାଏ ଢିଲା ।

ଆହେ ଚୋରାବଜାରର କବି,

ଜନ-ମନେ ତୁମ ତୂଳୀ ଆଂକିଛି ଯେ

ଅଭିନବ ତୈଳଯୁଗ ଛବି !

ଆହେ ମର୍ଦରାଜ !

ଏ ଦେଶ ପାଇଛି ଆଜି ମର୍ଦନର ‘ନିର୍ଘାତ-ସ୍ୱରାଜ’ ।

 

ଯେଉଁଠି ମାରିଲେ ହାତ

ମୁକ୍ତ-ପିମ୍‌ପା ଦେଶୀ ଆଉ ବିଦେଶୀ ମଦର

ମଫସଲ ଅଥବା ସଦର

କାହିଁ ନାହିଁ ବାକି,

ଛାପିବାକୁ ମାଡ଼େ ଡର ଏ କବିତା ଲେଖି ।

ନାଗରିକେ ଦିଅ ଦୋଷ :

ସେ କୁଆଡ଼େ କଳା-କାରବାରୀ,

ସବୁ ଦୁର୍‌ନୀତିର ମୂଳ

ଏ ମଣିଷ କିଛି ନ ବିଚାରି

ଯିବ ଯେବେ ଦୁର୍ନୀତିର ପଥେ,

ସେଠି ତୁମେ ନିରୁପାୟ

କହୁଅଛି ବୁଲି ପଥେ ପଥେ !

 

କିଂତୁ ଭାଇ, କହିବକି ଥରେ ?

ତୁମ ସୃଷ୍ଟ ଶାସନର ବିଷାକ୍ତ-ଅଂଧାରେ

ଅନାବିଳ ଜନ-ମନ

କାହିଁ ପାଇଁ ଆଜି ପତ ହୁଡ଼େ ?

 

ରୋଗୀ ଆଗେ ହେଲେ ଥୁଆ

ଦୁନିଆର ସମସ୍ତ ଅପଥ୍ୟ

ରୋଗୀ ତାକୁ କଲେ ଗର୍ଭସାତ

ସେ ଦୋଷ କାହାର ?

ରୋଗୀର ନା ଥୋଇବା ବାଲାର ?

 

ବୁଭୁକ୍ଷିତ କି ପାପ ନ କରେ ?

ଏ ପ୍ରଶ୍ନ ଲିଖିତ ଅଛି ସଂସ୍କୃତର ଦ୍ୱାରେ ।

ଲାଗେ ନାଇଁ ପାତକର ବାଆ,

ସବୁ ଜୀର୍ଣ କରିପାରେ

ମଣିଷର କ୍ଷୁଧା ଆଉ ଦାରିଦ୍ର୍ୟର ନିଆଁ ।

 

ଅନାବିଳ ଜନସାଧାରଣ,

ତା’ ଭିତରେ କରେ ଯିଏ

ଆବିଳତା ବୀଜକୁ ବପନ

ସିଏ ମହା ଅପରାଧୀ

କ୍ଷମା ନାହିଁ ତା’ର

ମଣିଷର ଦୀର୍ଘଶ୍ୱାସ ଦିନେ ସବୁ କରିବ ବିଚାର ।

 

ନେଉ କେତେ ଜନ୍ମ ନେବ କ୍ରୂର-ଦୁଃଶାସନ,

ଟଙ୍କା ଦେଇ କିଣୁ ଭୋଟ୍‌

କରୁ ଦେଶେ ବେଶ୍ୟାବୃତ୍ତି-ପ୍ରଥା ପ୍ରବର୍ତନ

ନାହିଁ ଚିଂତା ନାହିଁ,

ଏ ମଣିଷ ମାରିପାରେ

ସବୁ ଊର୍ଧ୍ୱେ ବିଦ୍ରୂପର ହୋଇ ।

ଇତିହାସ କହିଛି ଏ କଥା,

ଏ କଥା ବି କହେ ଆଜି

ମଣିଷର ପ୍ରିୟ ସ୍ୱାଧୀନତା ।*

 

୨୫ ଜାନୁଆରୀ, ୧୯୬୪

 

* ୩ ଫେବୃଆରୀ, ୧୯୬୪ ‘ପ୍ରଜାତଂତ୍ର’ରେ ପ୍ରକାଶିତ ।

Image

 

ତୁମେ ସରକାରୀ

 

ତୁମକୁ ପୂଜିବା ଆଜି ଅନ୍ୟାୟ

ତୁମେ ହୋଇଅଛ କିଣା ଗୋ !

ଲଜ୍ଜା ଲାଗେନା ?

ଦୁଃଖ ଜାଗେନା ?

ବହିଛ କିପରି ବୀଣାପାଣି ତୁମେ ବୀଣା ଗୋ ?

 

ଅବନତ ଆଜି ତୁମରି ଚିରାଳ,

ତୁମରି ମରାଳ ଦୁର୍ନୀତି-ରଥ ଟାଣୁଛି,

ଅ-କବି ଯେବେଳେ

ପାଇ କବିଯଶ

ରାଜପଥେ ଫେରେ

ହୋଇ ହସ ହସ

ସେତେବେଳେ ସିନା

ତୁମ ପତନର ସଂବାଦ ମୁହିଁ ଜାଣୁଛି !

 

ତୁମ ସରସିଜ ତୁମରି ଆଳୟ

କବିର ଭରସା ବାଣୀ-ଦେବାଳୟ

ଆଜି ଶୂନ୍‌ଶାନ୍‌, ନୀରବ,

ତୁମେ ନାହିଁ ଏଠି, ତୁମେ ନାହିଁ ଦେବୀ

ଅତ୍ୟାଚାରୀର ତୁମେ ପଦସେବୀ

ତୁମକୁ ପୂଜିବ କାହିଁକି ଏ କବି ?

କାହିଁକି କରିବ ଗରବ ?

 

ନୁହ ତୁମେ ଆଉ ନୁହ ଦରକାରୀ

ତୁମେ ଅନୀତିକା, ତୁମେ ସରକାରୀ

ମଦ୍ୟପ ମେଳେ, ମଦଭାଟି ତଳେ

ତୁମରି ନୁପୂର ଥରେ ଗୋ,

ତୁମରି ଦେହର ଗୁପ୍ତ-ଅୟନେ

ତୁମରି ତନୁର ସୁରଭି-ଚୟନେ

ସାରା ଦୁନିଆର ପାଶବଶକ୍ତି

ଚଳେ ଆଜି ଅଭିସାରେ ଗୋ !

 

ଆଜି ଶାସକର ଶୟନ-ମହଲେ

ତୁମ କାକ-କଳା-କବରୀ ଦୋହଲେ

ସାରସ୍ୱତର ଶାଶ୍ୱତ ଚିରହାସିନୀ,

ଏକଥା ବି ତୁମେ ଜାଣିରଖ ‘ଦେବୀ’

ଗତ-ଅତୀତର ତୁମ ପଦସେବୀ

ତୁମ ଆଶିଷକୁ ଆଉ ତ ଅନାଇଁ ବିସିନି ।

 

ତାର ସାଧନାରେ ଆସିଅଛି ନୂଆ ଛଂଦ,

ଭୁଲି ପୁରାତନ

ହୃଦୟ-ଦୀପରେ ତଇଳ ନୂତନ

ପାଇଚି ଅନୂଢ଼ା-ଭାରତୀ କେଶର ଗଂଧ ।*

 

୧୯ ଜାନୁଆରୀ, ୧୯୬୪

(ବସଂତ ପଂଚମୀ)

 

* ଜାନୁଆରୀ-ଫେବୃଆରୀ ସଂଖ୍ୟା (୧୯୬୪) ‘ନବଜୀବନ’ରେ ପ୍ରକାଶିତ

Image

 

ହେ ପ୍ରିୟ ପାଠକ !

 

ସ୍ୱରଚିତ କାବ୍ୟଗ୍ରଂଥ

ସଦ୍ୟ ଆଉ ନବ-ପ୍ରକାଶିତ

ହାତେ ଅଛି,

ଅଛି ଆଗେ ତଂବୁ ମୋର

ମାଇଲିଏ ପଥ ।

ରାତିର ଅନୂଢ଼ାବସ୍ଥା

ସେତେବେଳେ

ହେଉଅଛି ଭୋଗ,

ବର୍ଧମାନ ମୋର ଗତିବେଗ ।

 

ସମ୍ମୁଖେ ମୋ

ସତେ ଅବା ସଂଧ୍ୟାର କୁମାରୀ

ଶୁଖାଇଛି ତା’ର କଳାଫ୍ରକ୍‌ !

ମୁଁ ଫେରୁଛି ଗ୍ୟାରେଜ୍‌କୁ

ଠେଲି ଠେଲି ତାକୁ

ମିଲିଟାରି ଟ୍ରକ୍‌ ।

ଚାଲିଛି ମୁଁ ସାମରିକ-କବି......

ଶୁଣିଶୁଣି ଭୋକର ଭୈରବୀ ।

 

ରିକ୍ତ-ହାତ, ତିକ୍ତ-ମନ ନେଇ,

ଏତିକି ବେଳରେ ତୁମେ,

ତୁମ ନମସ୍କାର

ଗତିବେଗେ ମୋର ବାଧା ଦେଇ

ଠିଆହେଲା ଆସି,

ହେ ପାଠକ, ବଂଧୁତ୍ୱର ସଂଭାଷେ ମୁଁ

ଠିଆହେଲି ହସି !

 

‘‘କିପରି ଅଛଂତି ?’’ କହି

କୁଶଳତା ମୋ ପାରିବାରିକ

କାହିଁକି ମୁଁ ଅବସନ୍ନ,

କି କାରଣେ ଶୁଷ୍‌କ ମୋର ମୁଖ ?

ଏକ ସଂଗେ ସବୁ ପ୍ରଶ୍ନ

ପୁଣି ପରେ ପରେ-

ଆରଂଭିଲ ପ୍ରଶଂସା ମୋ

ଠିଆ ଠିଆ ରାଜପଥ ଧାରେ :

ପ୍ରତିଭାର ଶ୍ମଶାନ ଏ ଓଡ଼ିଶାରେ ପୁଣି

ମୁଁ କୁଆଡ଼େ ସୃଷ୍ଟି କଲି

ସାହିତ୍ୟରେ ନୂତନ-ସରଣୀ !

ଯୁଗସ୍ରଷ୍ଟା ହୋଇ ଜନ୍ମ ଦେଲି ନବଯୁଗ,

ମୁଁ ଏକ ସ୍ଫୁଲିଂଗ-ଝଡ଼

ମୁଁ କୁଆଡ଼େ ବିଦ୍ରୋହୀ-ଅଗ୍ରଗ !

ସବୁ ଗଲେ ଅନର୍ଗଳ କହି

ମଧ୍ୟେ ମଧ୍ୟେ ଦେଉଥିଲ ଚାହିଁ

ସଦ୍ୟ-ପ୍ରକାଶିତ ମୋର

ହାତେଥିଲା ଯେ କବିତା ବହି ।

 

ନଦେଖିଲା ପରି ପୁଣି ଦେଖି

ହଠାତ୍‌ ଉଠିଲ କହି :

‘‘ଦେଖେଁ ଟିକେ, ସେ ‘ଭ୍ରୂକୁଟି’ ଏ’ କି ?!’’

ବହିଟିକୁ ହାତେ ନେଇ

କହିଗଲ କଥା କେଡ଼େ କେଡ଼େ......

ଠିଆ ଠିଆ ବଜାରର ଭିଡ଼େ !

ପରିଶେଷେ ସେଇଟିକୁ

କରିବାକୁ ନିଜ ହସ୍ତଗତ

ପ୍ରୟୋଗିଲ କୌଶଳ ସମସ୍ତ !

 

ସମ୍ମୁଖରେ ସମସ୍ୟାର କଳାରାତି

ଉଠୁଥିଲା ଜାଗି,

ସ୍ତଂଭୀଭୂତ ହେଲି ବଂଧୁ ମୁହୂର୍ତକ ଲାଗି !

ତୁମ ବ୍ୟବହାରେ,

ଶୃଗାଳସୁଲଭ ଅତି ତୁମ ଧୂର୍ତତାରେ ।

ନଥିଲା ତ ବେଳ,

ବହିଟିକୁ ନେବାପାଇଁ

ଜବର୍ଦସ୍ତ୍‌ ତୁମେ ‘‘ଉପହାର’’

କରୁଥିଲ ଆପ୍ରାଣ-ଉଦ୍ୟମ,

ତୁମେ ଦସ୍ୟୁ, ମୁହିଁ ଯଥା ଅସହାୟ ଜନ !

 

‘ଏଇ ମାତ୍ର ଖଂଡ଼େ କପି ଆଣୁଛି ଅବିକା

ପରେ ଦେବି

କେଉଁଠାରେ ହେଲେ ପୁଣି ଦେଖା ।’

ବ୍ୟର୍ଥ କରି

ଲୁଂଠନର ଉଦ୍ୟମ ତୁମରି

ବଜାରର ଭିଡ଼ ଠେଲି ଠେଲି

କ୍ଷିପ୍ରତର କଲି ବେନିପାଦ...

ହେ ପାଠକ, ନୀରବରେ

ତୁମକୁ ମୁଁ ଦେଇ ଧନ୍ୟବାନ ।

 

।। ୨ ।।

 

ଗତକାଲି

ପ୍ରେକ୍ଷାଗୃହ ସମ୍ମୁଖରେ

ଯାଉ ଯାଉ ଚାଲି,

ତୁମେ ତ ଦେଖିନ ମୋତେ

ମୁଁ ତୁମକୁ ବଂଧୁ ଦେଖିଥିଲି !

ଲକ୍ଷ୍ୟହୀନ ଭାବେ ହୋଇ ଠିଆ,

ପ୍ରେକ୍ଷାଳୟ ପରିସରେ

ପିଇବାକୁ ଚାଆ

ଯେବେ ମୁହିଁ ଯାଇଥିଲି ପଶି

ସିନେମା ଟିକେଟ୍‌ ନେଇ

ଦର କଷାକଷି

କଳାବଜାରୀର ସାଥେ ଚାଲିଥିଲା ତୁମ

ହେ ପାଠକ ! ଆହେ ବଂଧୁ ମମ !!

 

ଦେଖିଲି ଶେଷରେ

ଟିକେଟ୍‌ର ମୂଲ୍ୟ ଯାହା

ତାହାଠାରୁ ଅତ୍ୟଧିକ ଦରେ-

ଶେଷେ ତୁମେ କିଣିଲ ଟିକେଟ୍‌ !

ଉନ୍‌ମୁକ୍ତ ପକେଟ୍‌-

ଥିଲା ଯେବେ ବଂଧୁ ଗତକାଲି,

ଆଜି କିଆଁ ଦାରିଦ୍ର୍ୟର ଉତ୍‌କଟ-କବାଲୀ ?

 

ହେ ମୁଫତ୍-ସାହିତ୍ୟ-ରସିକ,

ଏ କି ଶସ୍ତା-ସାରସ୍ୱତ-ପୀରତିର ଭେକ ?

 

।। ୩ ।।

 

ତୁମେ କି ଦେଖୁନ ଅଂଧ

ଏ ଦେଶର ବାଣୀର ପୂଜାରୀ,

ଅପମାନେ, ଅନାଦରେ,

ଅନାହାରେ ମରେ ଘୁରିଘୁରି ?

ଯଥା ଘୃଣ୍ୟ-ଶ୍ୱାନ,

ସହି ସହି ସମସ୍ୟାର ତୀବ୍ର-ନିପୀଡ଼ନ ।

 

ଏ ଲଂପଟ-ସମାଜର ବାହୁଛାୟା ତଳେ

ବାଧ୍ୟହୋଇ ଶେଷେ ଅନିଚ୍ଛାରେ

କେତେ କବି, କେତେ କଳାକାର

କେତେ ଶିଳ୍ପୀ, ଲେଖକର ଦଳ

ଅବନତ କରଦିଏ

ଆପଣାର ପ୍ରତିଭା-ଚିରାଳ !

ଛିଡ଼ିପଡ଼େ ମଣିଷ ହୃଦୟ,

ମାନବତା ଲୁପ୍ତ ପ୍ରାୟ

ଆର୍ତନାଦ କରେ ସୂର୍ଯୋଦୟ ।

ୟାର ସମାଧାନ,

ମୁମୂର୍ଷୁ ଏ ମାନବତା-

ଧମନୀରେ ନୂଆରକ୍ତ

ନୂତନ ସ୍ପଂଦନ

ଆଣିଦେବ ଲେଖନୀ ଯାହାର

ସେହି କବି, ସାହିତ୍ୟିକ, ସେହି କଳାକାର...

ଭୂଲୋକରେ ଈଶ୍ୱରର ଯିଏ ଗୁପ୍ତଚର ;

ଦୁର୍‌ନୀତିକୁ ଶିଖିନାହିଁ ଯେ କରି ସାଲ୍ୟୁଟ୍‌,

ସ୍ୱେଚ୍ଛାଚାର ବିରୁଦ୍ଧରେ

ଯେ ପିଂଧିଛି ସାମରିକ ବୁଟ୍‌

ଦେବାପାଇଁ ଦୁଃଶାସନେ ଦଳି,

ଧରିତ୍ରୀର ପ୍ରାଂତରରେ

ଯେ ଧାଇଁଛି

ଉଲ୍‌କାମୁଖୀ ଡାଂକିନୀର ସମ ନିଭିଜଳି;

ବିଳାସର କ୍ରିତଦାସ ହେ ପାଠକ !

ପକେଟ୍‌ ତୁମର ଶୂନ୍ୟ

କିଣିବାକୁ ଖଂଡ଼େ ତା ପୁସ୍ତକ ?

 

।। ୪ ।।

 

ସେତେବେଳେ

ଆର୍ଥାଭାବ ପ୍ରଶ୍ନ ତ ଉଠେନା !

ଯେତେବେଳେ

ନର୍ତକୀର ନଗ୍ନବକ୍ଷ, ଶ୍ଳଥନୀବି-

ଦର୍ଶନର ଟିକେଟ୍‌ ଯୁଟେନା,

ବଜାରରେ ଯେତେବେଳେ ନିୟଂତ୍ରଣ ସୁନା,

ସେବେଳେ ଗୋପନ-ପ୍ରିୟା

ଯେବେ ମାଗି ବସିବ ଗହଣା

ତେବେ ବଂଧୁ

ଅକୁଂଠିତେ ତୁମ ଧନାଗାର

ଅଂଗପୁଷ୍ଟି ପାଇଁ ଏଇ କଳାବଜାରର

ଯିବନିକି ଖୋଲି କହ

ହେ ପାଠକ ମୋର ?

 

ପଶୁତାର ଆକ୍ରମଣ

ଅନୀତିର-ଦୁଃସହ-ପୀଡ଼ନ

ଯେତେ ଦୁଃଖ ଦେଉନାହିଁ କବି-କଳାକାରେ,

ସେତିକି ଦୁଃଖିତ ସିଏ

ଆଜି ବଂଧୁ, ତୁମ ବ୍ୟବହାରେ !

ସମାଜ ତ ରଖିନାହିଁ

ରଖିବନି ତାହାରି ଖବର,

କାରଣ, ସମାଜ-ଦ୍ରୋହୀ-

ବିବେକ ତା ତୀକ୍ଷ୍‌ଣ-ତଲୁଆର ।

କେବଳ ପାଠକ ତା’ର ଅଂତିମ-ଭରସା

ତାର ସୃଷ୍ଟି-ଆଶା ।

 

କିଂତୁ ସେ ‘ଭରସା’ ଆଜି ଚୂର୍ଣୀଭୁତ

ନିରାଶାର ତୀବ୍ର-ଅଟ୍ଟହାସେ...

ଅଂଧତ୍ୱ-ସଂତ୍ରାସେ

 

ବହିତ ହେଉନି ବିକ୍ରି

ଲେଖକକୁ ପ୍ରାପ୍ୟ ତାର ମିଳିବ ବା କାହୁଁ ?

ଦାରିଦ୍ର୍ୟର ବେୟୋନେଟ୍‌

ଛାତି ତାର ଚିରି ରକ୍ତ ଖାଉ ।

ଗ୍ରଂଥ ତା’ର ପ୍ରକାଶକ ବିଡ଼ାବାଂଧି ରଖିଥାଉ ଘରେ

ସଂଥ ଆଜି ବୁଲୁ ଥାଉ ବିଡ଼ିଟାଣି

ମଜାରେ ବଜାରେ !

 

ଅନାଗତ ଯୁଗର ପ୍ରଣେତା

ତା ରଚନା, ତାହାରି କବିତା

ଥାଉ ବଂଧୁ

‘ବୃହତ୍ତର ଠୁଂଗାଶିଳ୍ପ’ ପାଇଁ,

ଦୁର୍‌ନୀତିର ଗଂଗାକୂଳେ

ଛୁଟିଥାଉ ଜାତି ଅଂଧ ହୋଇ

କିଣୁଥାଉ ସିନେମା ଟିକେଟ୍‌

ଅତ୍ୟଥିକ ଦରେ,

ନିର୍ବିକାରେ...କଳାବଜାରରେ !

 

ବାଣୀର ମରାଳ ମାଂସେ

ବଣଭୋଜୀ ଚାଲୁଥାଉ ‘ଟାଉନ୍‌ହଲ୍‌’ରେ

ନିତଂବ ନର୍ତନ :

‘ଅମଳ ଲେଖକ ଥିଲେ

ଅତି ମହୀୟାନ୍‌’,

ଏ ଦେଶର ଠୁଂଗାଶିଳ୍ପେ

ସବୁଗ୍ରଂଥ ଦାନ-

ଯାଇଛଂତି ଦେଇ,

‘ସ୍ଥାନ ତାଂକ ଅପୂରଣ

ଆଉ କେବେ ପୂର୍ଣ ହେବ ନାହିଁ ।’

 

ଶିଶୁର ବିସ୍ମୟେ

କବି ମୁହିଁ

ହେ ପାଠକ, ତୁମକୁ ଅନାଏଁ !

ନାହିଁ ଆଜି କଂଠେ ଭାଷା ମୋର

ସାରସ୍ୱତ-ପ୍ରୀତି ତୁମ ଅତି ଚମତ୍‌କାର !*

 

୨୮ ଅକ୍‌ଟୋବର, ୧୯୬୩

 

* ‘ନବଜୀବନ’ର ୮ମ ବର୍ଷ, ୧୨ଶ ସଂଖ୍ୟାରେ ପ୍ରକାଶିତ ।

Image

 

ଚେତନାର ମର୍ମପଟେ

 

ମଣିଷର ପ୍ରିୟ-ସ୍ୱାଧୀନତାର ଦୃଷ୍ଟି ସାମ୍‌ନାରେ

ଅସହ୍ୟ ତୁମର ଏଇ ପତାକା

ଆଉ

ତା’ର ତରଂଗାୟିତ-ପ୍ରହସନ ।

ଅସହ୍ୟ

ୟାର ଫତ୍‌ ଫତ୍‌ ଆବାଜ୍

(ଗୃଧ୍ରଡେଣାର ଆବାଜ୍‌ ପରି) ।

 

ମାନବତାର ସିଂହଦ୍ୱାରରୁ

ମଣିଷର ଦୃଷ୍ଟି ସାମ୍ନାରୁ

ହଟାଅ ତୁମର ଏ ହର୍‌ରଂଗୀ ପତାକା !

ହଟାଅ !!

 

ଚିଂତାର ଦର୍ପଣ ଆଜି ସ୍ୱଚ୍ଛ

(ଯେପରି ସୂର୍ଯାଲୋକିତ ମେଘମୁକ୍ତ ଆକାଶ !)

ବୈଚଳିତ୍ୟର ଅପ୍ରତିରୋଧ୍ୟ-ତାଡ଼ନାରେ

ମଣିଷର ଚିଂତା

ଆଜି ଉଗ୍ର

ଜାଗ୍ରତ

ସ୍ୱାଧୀନତାର ମୂଲ୍ୟବୋଧ ।

 

ମଣିଷ ବର୍ତମାନ ଚିଂତା କରୁଛି :

ତୁମର ଘୃଣ୍ୟ, କଳୁଷିତ

ଜୀର୍ଣ-ବିଗ୍ରହକୁ

ରଖିବ ନା ଭାଂଗିବ ?

 

ଏପାଖ ନଚେତ୍‌ ସେପାଖ,

ଜୀବନ ନଚେତ୍‌ ମରଣ,

ହସ ନଚେତ୍‌ କାଂଦ

ଏଇ ଦୁଇଟିରୁ ଗୋଟିକୁ ବାଛି ନେବାପାଇଁ

ଚିଂତାନ୍ୱିତ ବର୍ତ୍ତମାନର ମଣିଷ ।

 

ଶୁଣି ପାରୁଛ ଚିଂତାର ସେଇ

ଆଗ୍ନେୟ-ଗୁଂଜରଣ ?

 

ମୁଁ କବି,

ସେହି ଚିଂତାର ଚାକର ।

ବାରଂବାର ସାଂକେତିକ-ଠୋକରରେ

ତୁମେ ମତେ କାହିଁକି ଆସି ପଚାରୁଛ :

‘‘କୋଉଟା ସ୍ଥିର ହେଲା ?

ଏପାଖ ନା ସେପାଖ ??’’

ସତର୍କ ରହିବା ପାଇଁ

ସମସ୍ତ ଶକ୍ତି ସଂଚୟ କରି

ମୁଁ କହୁଛି, ଶୁଣ-

‘‘ସେ ପାଖ !

 

ମଣିଷ ଆଜି (ବୋଧେ) ଚିଂତା କରୁଛି

ତୁମର ଏଇ ହର୍‌ରଂଗୀ ପତାକାକୁ

ଆଉ ନିଜ ଉର୍ଧ୍ୱରେ ନଉଡ଼ାଇ

ବିଶ୍ୱାକାଶରେ ଉତ୍ତୋଳିତ କରିବ

ତା ନିଜର ପତାକା !

ବୋଧେ ସେ ଯଥାଶୀଘ୍ର ମୋତେ ନିର୍ଦ୍ଦେଶ ଦେବ

ରଚନା କରିବା ପାଇଁ ମାନବିକତାର ପ୍ରାଣବାନ୍‌ ସଂଗୀତ !!

 

ମୁଁ ଅପେକ୍ଷା କରୁଛି

ସେଇ ନିର୍ଦେଶକୁ

ସମୁଦ୍ର-ମେଖଳା-ମଳିନ-ମୃତ୍ତିକା କୋଳରେ ଠିଆହୋଇ,

ଉଲ୍‌କାର ଜ୍ୱଳଂତ କଟାକ୍ଷ ଭିତରେ

ମୁଁ ଅପେକ୍ଷା କରୁଛି ।

ତୁମେବି ଅପେକ୍ଷା କର !

ଇଶାଣର ବେତାରକେଂଦ୍ରରୁ ଶୁଣିଯିବ

ଝଡ଼ର ପ୍ରଥମ-ଭାଓଲିନ୍‌ ।

ଦେଖିଯିବ

ଅ-ମାନବତାର ଅଂତିମ-କବର । *

 

ବସଂତ ପଂଚମୀ

୧୯୬୪

 

* ୨୬ ଜାନୁଆରୀ, ୧୯୬୪ ଦୈନିକ ‘‘ଗଣତଂତ୍ର’’ ରେ ପ୍ରକାଶିତ ।

Image

 

ଚେତନାର ଲାଲ୍‌ବତି

 

ଏଇ ଧରଣୀର ସରଣୀରେ କେତେ

କେତେ କାପୁରୁଷ-ଆତ୍ମା

ଆର୍ତେ-ଆତୁରେ ଡାକେ ଦିବା-ନିଶି-

‘ରଖ ରଖ ପରମାତ୍ମା !

ରଖ ଦୟାମୟ ହରି !’

ଡାକଇ ଦସ୍ୟୁ, ଡାକେ ଶଇତାନ୍‌

ଡାକେ ଆଜି ପାପାଚାରୀ ।

‘ଭଗବାନ’ ନାମେ ଡାକଶୁଭେ ଦିବା-ନିଶି,

ଡାକ ଶୁଭେନାହିଁ ମହାଜୀବନର

ଫୁଲ ଝଡ଼େ ରାଶିରାଶି !

ଦୁନିଆର କାରାଗାରେ,

ଜଳେ ହତାଶାର ହୋମ-ହୁତାଶନ

ହୁତୁ ହୁତୁ ପ୍ରାଣପୁରେ ।

ପ୍ରସ୍ତର ଗଳେ ଲଂବାଇ ଫୁଲମାଳ

ମଣିଷ ଚାହୁଛି ଲଂଘିବା ପାଇଁ

ପାପ-ବାରିଧିର ଜଳ !

ଚମତ୍‌କାର ଏ ପଂଥା,

ଉଦ୍ୟାନୁ ଲୁଟି ଫୁଲ-ସଉରଭ

ଚାଲିଅଛି ମାଳ ଗୁଂଥା !

ମଣିଷ ଧରିଛି ଆଜି ‘ଭଗବାନ’-ଭାଲୁ,

ମିଥ୍ୟା-ପୁଜକ ଆଜିର ମଣିଷ

ପେଲୁଛି ତୁଚ୍ଛା ଗାଲୁ ।

ଜାଣନି କି ତୁମେ, ଜାଣନି ମାନବ-ଶିଶୁ ?

ସୁଦୂର-ଅତୀତୁଁ କବର ଘେନିଛି

ଶିବ-ସୁଂଦର-ଯୀଶୁ !

ଅ-ସୁଂଦରର ରାଜୁତୀ ଚାଲିଛି

ସାରା ସଂସାରେ ଆଜି

ପଦଲେହନର ଘନ-ଅଂଧାରେ

ଭଗବାନ ନିଜେ ହଜି-

ଯାଇଛି । ବଂଧୁ, ଉପାସନା କର କା’ରେ ?

ଅନୀତିପୂର୍ଣ ଅ-ଶିବର ଏଇ

ପୃଥିବୀର ପଥଧାରେ ?

ମନର ଶିଖରେ ତୋଳ ମଂଦିର

ଯେଉଁ ‘ଭଗବାନ’ ନାମେ,

ବଂଧୁ କି ତାକୁ ଦେଖାଇ ପାରିବ ତୁମେ ?

ଯା’ରେ ଡାକି ଡାକି ନିଃଶେଷ କର

ମହା-ଜୀବନର ସତ୍ତା,

ସେହି ସେ ଜୀବନ ଆଜି ସଚେତନ

ଚାହେ ‘ଭଗବାନ’-ପତ୍ତା ।

ଖୋଲରେ ଖୋଲରେ ଆଖି !

ଶୁଣ ! ଅବିରତ କେତେ ଯେ ପୀଡ଼ିତ

ଭଗବାନ ଉଠେ ଡାକି !

ନାହିଁ ପୂଜା-ପାଣି

ନିଭି ଆସେ ବାଣୀ

ଶୁଖି ଆସେ କା’ର କଂଠ,

ତମେ ହତଭାଗା

ପୂଜାକର କା’ରେ

କା’ର ଆଗେ ପିଟ ଘଂଟ ?

ଜୀବନ ସବୁଂଠୁଁ ସତ୍ୟ ସିନାରେ

ପଥ୍ୟ ତାହାରି ପୂଜା,

ଭଗବାନୁଁ ବଳି ଭଗବାନ ସିଏ

ସେ ଆଜି ଭୋଗୁଛି ସଜା ।

ଧମନୀରେ ଡାକେ ଲୋହିତ-ଛଂଦେ ଯେଉଁ ଲାଲେଲାଲ୍‌ ରକ୍ତ,

ତା ଡାକ ନଶୁଣି ନିଜକୁ ସଜାଏ ଯିଏ ‘ଭଗବାନ ଭକ୍ତ’,

ମୁ-ଉଁ କୁହେ ତାକୁ କାପୁରୁଷ, ଭୀରୁ, ଶଠ ସିଏ ଶଇତାନ୍‌

ଜୀବନର ମହାଶତ୍ରୁ, ଘାତକ, ମୃତ୍ୟୁର ସିଏ ଜାଗ୍ରତ-ଦରୁଆନ୍‌ ।

ଜୀବନକୁ ଛାଡ଼ି ଯିଏ କରେ ପୂଜା ପ୍ରସ୍ତର-ଉପାସନା,

ରୋଗେ ଶୋକେ ଦୁଖେ ପ୍ରସ୍ତରେ ଯାଚେ ଯେ ନିତି କାଛେଣି କନା

ଆପଣା କୁଟୀର କରି ଅଂଧାର ଯେ ନେଇ ପ୍ରଦୀପ ଜାଳେ ।

ମୃଗତୃଷ୍ଣାର ମଂଦିରେ ନିତି, ପ୍ରସ୍ତର ପଦ ତଳେ ।

ବିସ୍ଫୋଟକର କ୍ଷତକୁ ଯେ ନର କହେ ‘ମାଆ ଭଗବତୀ’

ଚଂଡ଼ିକା ପଦେ ଯେ ନେଇ ଚଳାଏ ପଶୁର ଗଳାରେ କାତି,

ଏଣେ ଆସି ନିତି ଜଳିପୋଡ଼ି ମରେ ଅନୀତି ଶୋଷଣାନଳେ

ସ୍ୱଇଚ୍ଛାରେ ଯେ ଯୋଗଦିଏ ଯାଇ ନିରୀହ-ମେଷର ପଲେ

ସେତେବେଳେ କେଉଁ ‘ଭଗବାନ’ ସାହା ହୁଏ ?

ଆପଣା ଭିତରେ ଥିବା ଭଗବାନ ଗଂଡ଼ ଭିଜଇ ଲୁହେ ।

ଭଗବାନ ଆଜି ନିଜେ ବୁଭୁକ୍ଷୁ

ଭିକ୍ଷାଝୁଲି ତା’କରେ

ଭୋକେ ଭଗବାନ କରେ କ୍ରଂଦନ

ଭୋକିଲାର ପଟୁଆରେ ।

ସେ କାହୁଁ ରଖିବ ଆନେ !

କ୍ଷୁଧାର କବଳୁ ରଖିବାକୁ ହେବ

କ୍ଷୁଧିତ ଏ ଭଗବାନେ ।

ମାନବଜନ୍ମ ଭଗବାନ ଅବତାର,

ଜୀବନ ପାଇଁକି ଏଇ ଯଥେଷ୍ଟ ।

ଆଉ କିବା ଦରକାର ?

ପୁରୁଷୋତ୍ତମ ଦତ୍ତ-କୁଠାର ଆଜି ତ ପଡ଼ିଛି ଖସି,

ପୁରୁଷୋତ୍ତମ ନିଜେ ନିରସ୍ତ୍ର, ପଥେପଥେ ପଥବାସୀ ।

ହୃଦୟ ଭିତରେ ହୃଦୟର ଆଜି ସୁଦୀର୍ଘ ବ୍ୟବଧାନ

ମୃତବତ୍‌ ଆଜି ଜୀବନର ସେହି ମହା ସନାତନ-ମାନ ।

ଜୀବନପଦ୍ମେ ଛଦ୍ମବେଶରେ ପଶୁ ଆଜି ପୂଜା ପାଏ

ଅସମାନତାର ଜାଲ ସେ ବିଛାଏ ଭୂଲୋକ ବେପର୍ବାଏ ।

ଗୀର୍ଜା, ପାଗୋଡ଼ା, ମଂଦିର, ମଠ ସେହି ସେ ଜାଲର ଗ୍ରଂଥି

ସତ୍ୟ-ଶିବ ଓ ସୁଂଦର ପରିପଂଥୀ ।

ତେଣୁ ମୋ କଳମ ଡାକେ ଆଜି ଶୁଣ

ଶୁଣରେ ମାନବ ଶିଶୁ !

ଶୁଣ ଚଳମାନ ଯେତେ ଭଗବାନ

ଶିବ-ସୁଂଦର-ଯୀଶୁ !

କରି ବେଦଖଲ୍‌ କରହେ ଦଖଲ୍‌

ଆପଣା ସିଂହାସନ

ନୂତନ ଆଲୋକ ପାଇଁ ଖୋଲିଦିଅ

ଚେତନାର ବାତାୟନ !

ଉଠ ଭାସ୍ୱର, ଜାଗ ଈଶ୍ୱର

ରିକ୍ତ ପୀଡ଼ିତ-ଶିବ,

ଜାଗ କବିତ୍ୱ, ରଚନା କରହେ

ସତ୍ୟର ନୂଆ ସ୍ତବ !

ଖସାଅ ଖସାଅ ପାଶବ-ଶକ୍ତି

ଦୁର୍ଗ ଦୁଆରୁ ଶିଳା,

ନବ-ବିପ୍ଳବ-ଭକ୍ତ, ରକ୍ତ-

ମଶାଲ ଜଳାରେ ଜଳା !

କଟିଯାଉ ମୋହ-ରାତି

ଅଂଧାର ମନ-ମଂଦିରେ ଜଳୁ ଚେତନାର ଲାଲ୍‌ବତି ।*

 

ଜାନୁଆରୀ ୧୯୬୦

 

* ‘ଦୈନିକ ମାତୃଭୁମି’ର କୌଣସି ଏକ ବିଶେଷ ସଂଖ୍ୟାରେ କିୟଦଂଶ ପ୍ରକାଶିତ ।

Image

 

ଉତ୍ତର

 

କ୍ୟାଂପ୍‌ : କେଶରପୁର କେନାଲ୍‌ରୋଡ଼୍‌, କଟକ

୫ ଡିସେଂବର, ୧୯୬୩

(ରୋଗ ଶଯ୍ୟା)

ସମୟ : ସଂଧ୍ୟା

 

ବଂଧୁ !

ତୁମ ଚିଠି ପାଇଛି ।

ତୁମେ ଲେଖିଛ :

ମାନବିକତାର ଶୋଚନୀୟ ଅପମୃତ୍ୟୁରେ

ଆହତ-ବିହଗୀ ପରି

ଥର ଥର ହୋଇ

ଥରି ଉଠିଛି ତୁମର ହୃଦୟ ।

ତେଣୁ, ତୁମେ ବିଷପାନ କରିବ

ଅ-ସମୟରେ ବିଦାୟ ନେବ

ଜୀବନ ପାଖରୁ ।

 

କିଂତୁ

ଦୁନିଆର ସମସ୍ତପ୍ରକାର ବିଷ

(ଯାହାକୁ ପାନ କଲେ

ସହଜରେ ବିଦାୟ ନେଇ ହୁଅଂତା

ଜୀବନ ପାଖରୁ,

ମୃତ୍ୟୁ ଭିତରେ ମଣିଷ ବଂଚି ଯାଆଂତା ଅଂତତଃ !),

ଆଜି ଭେଜାଲ୍‌,

ମୃତ୍ୟୁ (ହାୟ !) ଅଧ୍ୟ ଅପମିଶ୍ରିତ ।

ତୁମର ସିଦ୍ଧାଂତ ପ୍ରତି ମୋର ଈର୍ଷା ହୁଏ

କିଂତୁ ପର ମୁହୂର୍ତରେ ପ୍ରଶ୍ନଉଠେ :

ବିଶୁଦ୍ଧ-ମୃତ୍ୟୁ

ଖାଂଟି-ବିଷ

ମିଳିବ ତ ?

 

ଅପମିଶ୍ରିତ ଏ ଯୁଗରେ ଅଂଧକାରରେ

ମୁଁ ବି ଚାହେ ମୋର ଶେଷ୍‌ ଚାଲ୍‌ ଚାଲିବା ପାଇଁ ।

ମୋ ଖଟିଆର ଚତୁଃପାର୍ଶ୍ୱରେ

ବର୍ତମାନ ଘେରି ରହିଛି ଗାଢ଼-ଅସୁସ୍ଥତା,

ଉତ୍‌କଟ ମିଥ୍ୟାର ଅତର୍କିତ-ଆକ୍ରମଣରେ

ଦୁର୍‌ଭାଗା-ସତ୍ୟର କ୍ଳାଂତ-ପ୍ରହରୀ ମୁଁ

ଆଜି ଶଯ୍ୟାଶାୟୀ ।

ଜୀବନ ପାଖରୁ ମୁଁ ବି ଚାହେ ବିଦାୟ ।

ଅଂତୁଡ଼ିଶାଳଠାରୁ

ମାଶାଣୀର ଚିତା ପର୍ଯଂତ

ମଣିଷର ଯୋଉ ଯାତ୍ରା;

ଯାହାର ଅନ୍ୟତମ- ‘ଜୀବନ’

ସେ କ’ଣ ଏତେ ଶୀଘ୍ର ବିଦାୟ ଦେବ ?

 

ମଶାଣୀ ଆଉ ଅଂତୁଡ଼ିଶାଳ ଭିତରେ ଯେଉଁ ଦୂରତ୍ୱ,

ଯେଉଁ ବ୍ୟବଧାନ

ତା’ରି ଭିତରେ ଅଛି ଯେଉଁ

କିଂଭୁତ-କିମାକାର ବ୍ୟବସ୍ଥା

(ଯାହା ‘ମୃତ୍ୟୁ’ ନୁହେ ନା ‘ଜୀବନ’ ବି ନୁହେ)

ସେ ତୁମଠାରୁ କାଢ଼ିନେବ

ମରିବାର ସ୍ୱାଧୀନତା, ବଂଚିବାର ଅଧିକାର ଟିକକ ।

ଅପରାଧ :

ତୁମେ ମରିବାକୁ ଯାଉଥିଲ !

 

ଜୀବନ ଓ ମରଣର ମଧ୍ୟଭାଗରେ

ଏଇ ଯୋଉ ହଲା-ପଟା

ସେଥିପ୍ରତି ସତର୍କ ରହି

ଜୀବନ ପାଖରୁ ବିଦାୟ ନେବାରେ

ମୋର ମୋଟେ ଆପତ୍ତି ନାହିଁ ।

କିଂତୁ

ମରିବାକୁ ଯାଇ

ବଂଚି ନଗଲେ ରକ୍ଷା ।*

 

* ପ୍ରଥମବର୍ଷ, ଦ୍ୱିତୀୟ ସଂଖ୍ୟା, ୧୫ ଡିସେଂବର, ୧୯୬୩ ‘‘ଆଧୁନିକ’’ ରେ ପ୍ରକାଶିତ ।

Image

 

ଆହ୍ୱାନ

 

ମଳିନ-ମାଟିର ବିଦୀର୍ଣ କରି ବକ୍ଷ

ଦିନେ ଜାଗିଥିଲା ଯେଉଁ ଅଂକୁର

ଯେ ଆଜି ବିଶାଳ ବୃକ୍ଷ

ପ୍ରବଳ ବାଧାର ଘନଘନ ବିଦ୍ରୂପ

ଅଭ୍ୟୁତ୍‌ଥାନର ହତ୍ୟା-ଅଂଧକୂପ-

ଠେଲି ଯେ ଉଠିଲା, ଯେଉଁ ନବ-ଉତ୍‌ଥାନ,

ଅଛି କା’ ସାହସ କରିବାକୁ ତା’ର ସାଧନାର ଜୟଗାନ ?

ଉର୍ଧ୍ୱ ଗଗନେ

ପତ୍ରାବେଦନେ

ଟେକି ଉନ୍ନତ ଶିର,

ଯେ ହୋଇଚି ଠିଆ

ଅମାନିଆଁ-ଛୁଆ

ମଳିନ-ମୃତ୍ତିକାର,

ଭୂମିଗର୍ଭରୁ ଯେ ନିଆଁ ଜଳିଛି ମେଲାଇ ସବୁଜ-ଶିଖା,

ସଂଗ୍ରାମୀ ମହା ଦ୍ରୁମ-ଗୌରବ ପଲ୍ଲବେ ଯା’ର ଲେଖା ।

ଗଢ଼ି ଉଠି ଅଛି ଯେଉଁ ମହା-ଉଦ୍ୟମ,

ସୁ-ଶୀତଳଛାୟା, ଜୀବନର ମାୟା ଯାହାର ନିବିଡ଼ତମ ।

ନିର୍ଭୀକ ଯିଏ, ଜାତକରେ ଯାର ନାହିଁ ଏତେଟିକେ ଭୀତି,

ନମ୍ର-ସମୀର-ବଲ୍ଲକୀ ଯାର ଗାଏ ମର୍ମର-ଗୀତି

ଅଭିନଂଦନ ପ୍ରଣତି ଢାଳିବ କେ ଅଛି ତାହାର ମୂଳେ ?

ସତ୍ୟ-ଶିବର ଶମଶାନ ଏଇ କଳୁଷିତ ସମାଜରେ ।

ତରୁଣ-ତରୁର ସବୁଜ ଇସ୍ତାହାର-

କେ ଅଛି ପଢ଼ିବ ? ଚଉଦିଗେ ମହାମୂର୍ଖର ପଟୁଆର ।

ଜନ୍‌ମି ନାହିଁ କେ ଛାତ୍ର,

ଜୀବନ ବିଦ୍ୟାଳୟ ଏ ପାଦପ ତଳେ କଟାଇବ ରାତ୍ର ।

ମୂକ-ଭୋଳାନାଥ, ସୃଷ୍ଟିର ଶେଷ ପର୍ଯାୟ ଏହି ଦ୍ରୁମ

ନୂଆ ଦୁନିଆର ନବପର୍ଣିକା, ବିଷ୍‌ଫୋରଣର ଧୂମ ।

ଭାଂଗିବାର ଏ ତରଂଗାୟିତ ମହାଗୈରିକ-ନେତ

ପଦେ ପ୍ରଣିପାତ ପାଇଁକି ଏହାର ଅଛି କା’ର ହିମ୍‌ମତ୍‌ ?

ମୂକ ଅଭିଶାପ, ସାଗ୍ନିକ ଦୁର୍ବାସା,

ଚାହାଣିରେ ୟାର ଦିଗ୍‌ବଧୂ ଲାଲ୍‌, ଲାଲେଲାଲ୍‌ ପୂର୍ବାଶା ।

ଜରା-ଜର୍ଜର ସୂର୍ଯର ଚିତା ଏହାରି ନୀରବ-ଧ୍ୟାନେ-

ଜଳିଉଠେ ନିତି ବାରୁଣୀର ଶମଶାନେ ।

ଏଇ ସାଧକର ଶିଷ୍ୟ କେ ହେବ

ଆଗାମୀ ଜୀବନ ପାଇଁ ?

କା’ର ସେହି ହାତ ? ଦୁଃସାହସର

ତୀବ୍ର-ମଶାଲବାହୀ ?

ପ୍ରଚଳିତ ଏଇ ଗଣିକାରୀତିର

କେ ସେହି ଭଗ୍ନଦୂତ ?

ଦୁର୍ନିବାର କେ ଜନ୍‌ମିଛି କାହିଁ

ଚୂର୍ଣିବାରର ଭୂତ ?

ଘନଘନ ଏଇ ପ୍ରଶ୍ନ ପଚାରେ

ଖାଲି ବତାସର ଢେଉ,

ଆସୁ, କିଏ ଅଛି ଝଂଜାକୁମାର

ଏହାରି ଜବାବ ଦେଉ ।*

 

୨୦ ଅକ୍‌ଟୋବର, ୧୯୬୩

 

* ୨୫ ଅକ୍‌ଟୋବର ୧୯୬୩ ପୂଜାବିଶେଷାଂକ ‘‘ମାତୃଭୂମି’’ ରେ ପ୍ରକାଶିତ

Image

 

ପଂକଜ

 

‘ବଂଚିବା’ ଦାବୀ ଅନ୍ୟାୟ ଯେଉଁ ସମାଜର ଦରବାରେ

ମରିବାର ସ୍ୱାଧୀନତା ବେଆଇନ୍‌ ବଂଧୁ ହେ ଯେଉଁଠାରେ,

ଯଂତ୍ରଣା, ଖାଲି ଯଂତ୍ରଣା ଯହିଁ ‘ସତ୍ୟ’ କପାଳେ ଲେଖା

ଅଜ୍ଞାତେ ସେଇ ପଥେ ମୁଁ ଆସିଲି ଆଂକି ମୋ ପଦରେଖା !

ଶଂକତି-ମନେ ଅନାଇଲେ ପଛେ ଫେରି,

କାଂଦେ ଅତୀତ, ସମ୍ମୁଖଭାଗେ ମାନବତା-ମରୁବାଲି !

ଦ୍ୱିପ୍ରାହରିକ ସୂର୍ଯ୍ୟ ଶୀର୍ଷେ, ନିମ୍ନେ ଧରଣୀ ତପ୍ତ,

ବିଭତ୍ସତାରେ ମହା-ଜୀବନର ସନାତନ-ମାନ ଲୁପ୍ତ ।

କେଉଁ ନରକର ଗହ୍ୱରେ ଏଇ ପଶୁ-ସମାଜର ଅଂତ ?

ନଚଳେ ଚରଣ, ଯିବ କେଉଁଦିଗେ ଲୁଂଠିତ ଏକ ପାଂଥ ।

କେଉଁ କାରାଗାରେ ୟା ପ୍ରାଣଦଂଡ଼, ଏଇ ପାଶବିକତାର ?

କେଉଁ ବିଚାରକ-ବିଚାରାଳୟରେ ଚାଲିବ ବିଚାର ୟାର ?

ଦୁର୍ନୀତିଖୋର କରେ ଯେଉଁଠାରେ ‘‘ଦୁର୍ନୀତି-ନିବାରଣ’’,

ଜାଣେ ମୁଁ ସେଠାରେ ନିରାପଦ ନୁହେ ‘ନୀତି’ର ବିଶ୍ଳେଷଣ ।

ହେଲେ ବି, କିପରି ଅନୀତିକୁ ନିଜ ଶିରପାତି ନେବି ମାନି ?

ମାନିନେବା ମାନେ ନିଜ ହାତେ ନିଜ ବିବେକର ପ୍ରାଣହାନୀ ।

‘ସତ୍ୟ’ଟା ଏଠି ଜାଣେ ମୁଁ ନିଃସହାୟ,

ଜାଣିଲେ ବି ଯେଣୁ ଗାଇନି ରେ ସଖା, ମିଥ୍ୟାବାଦର ଜୟ,

ତେଣୁ ଗୁଂଡ଼ାର ପାଦୁକା-ପ୍ରହାରେ ଫାଟୁଛି ଏ ମୋର ମୁଂଡ଼

ପ୍ରଦର୍ଶନୀର ବସ୍ତୁ ମୁଁ ଆଜି ଚଉଧାରେ ଲୋକ ରୁଂଡ଼ ।

ମୃତ୍ୟୁର ହିମଶଂଖ ଜାଣେନା ଉଠିପାରେ କେବେ ବାଜି,

ଚଳମାନ ଏଇ ଦେହ-ଦେବାଳୟ କେବେ ପଡ଼ିପାରେ ଭାଜି !

ପଶୁ-ଜନତାର ହିଂସ୍ର-ଆକ୍ରମଣେ

ଆପରାଧ ମୋର : ମାନବବାଦୀ ମୁଁ, ଯେହେତୁ ମଣିଷ ଜଣେ !

ପଛରେ ଜଳୁଛି ଜୀବନର ଯେତେ ସୁନା-ସ୍ୱପ୍ନର ଚିତା

ସମ୍ମୁଖଭାଗେ ଅବରୋଧ ପଥ ‘‘ଅର୍ଜିତ ସ୍ୱାଧୀନତା ।’’

ଓଠରୁ ଯାହାର ଶହୀଦ୍‌ କୁଳର ରୁଧିର ବି ନାହିଁ ଶୁଖି,

ଗାଂଧୀମଥାର କରୋଟି ଯେ ଅଛି ନିଜ କାଖତଳେ ଜାକି,

ନିର୍ଦ୍ଦୋଷେ ଯିଏ ଖଲାସ୍‌ କରୁଛି ଦିନ-ଦିପହରେ ଖୁଣୀ,

ସାରା ଦେଶଟାରେ ଯିଏ ଚାଲିଅଛି ହତ୍ୟାର ବୀଜ ବୁଣି

ନୋଅଟ ଦେଇ ଯେ ଭୋଅଟ କିଣୁଛି ଚାରିଆଡ଼ କରି କଳା

ମହା ଦୁର୍ନୀତି ଛାଂଚେ ଯାହାର ମୂର୍ତି ହୋଇଛି ଢଳା

ସେହି ‘‘ସ୍ୱାଧୀନତା’’ ଏହି,

ୟାକୁ ଆଣିବାକୁ ମୁଁ ବି କମ୍‌ ଜଳି ନାହିଁ !

ଆସିଲାନି ହାୟ, ଆସିବାର ଥିଲା ଯିଏ,

‘ମୁକ୍ତି’ ବଦଳେ ଆସିଲାରେ ନବ-ବଂଧନ ଯେବେ ଇଏ,

ବାଣୀର ପୂଜାରୀ ପ୍ରଥମେ ଆଘାତ ହାଣି...

ଝଡ଼-ବାଦଲରେ ବଜ୍ର-ବିଜୁଳି-ବାଣୀ-

ଘାଷେ ଆଜି ମୋର ଉନ୍ନତଶିର, ନାଚିଉଠେ ତରବାରୀ,

ମୁକ୍ତ-ସମୀରେ ଲେଖେ ମୁଁ କବିତା- ଦୂର ହୁଅ ପାପାଚାରୀ !

ମାନବବାଦର ନବ ଯୋଗାଯୋଗ ପାଇଁକି ଆଜି ମୁଁ ଏଥେ

ଆତ୍ମପ୍ରକାଶି ଅଛି ବିଦ୍ରୋହୀ, ପଥବାସୀ ହୋଇ ପଥେ ।

ପେଟରେ ସାଇତି ‘କଲିକ୍’ର ପୀଡ଼ା, ଓଠେ ଜଳଂତା ବିଡ଼ି

କ୍ଳାଂତ ପଦ ମୋ ଭାଂଗି ଚାଲିଛି ହୀନ-ସମାଜର ସିଡ଼ି ।

ଜଳୁଛି ଆଜି ମୁଁ ତରୁଣ-ସବିତା, ଜାଳିବାକୁ ଅନ୍ୟାୟ

ଆସୁ ଶାସନିକ-ଅବିଚାର ଯେତେ ଗ୍ରାସିବାକୁ ମୋତେ, ହାୟ !

ବିଦ୍ରୂପ କରୁ ମିଥ୍ୟା-ମାମଲା, ଅଛି କେତେ ହୋଇ ଛିଡ଼ା,

ମୋତେ ଅପେକ୍ଷା କରି ବସିଥାଉ ସମାଜର କାଠଗଡ଼ା !

ଯହିଁ ମଣିଷର ହିତାହିତ ଜ୍ଞାନ-ବାତାୟନ ସବୁ ବଂଦ,

ଯହିଁ ପାଶବିକ ଉଲ୍ଲାସ ନେଇ ଶାସନ, ଶାସକ ଅଂଧ,

ଅମିମାଂସିତ ମହା ସମସ୍ୟା ସେଇଠି କେବଳ ମୁହିଁ

ଜନ୍ମ ମୋର ଏ ମଳିନ ମାଟିର ମଳିନତା ନାଶ ପାଇଁ ।

 

୨୦ ନଭେଂବର, ୧୯୬୩

(ରୋଗଶଯ୍ୟା)

Image